କେନ୍ଦୁଝର: କେନ୍ଦୁଝର ସହରର କାଶୀପୁର ନିକଟରେ ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୮ଟା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଛି। କିଛି ଅସାମାଜିକ ଯୁବକ ଗାଡ଼ି ଉପରେ ଚଢ଼ି ଉତ୍ପାତ କରିଛନ୍ତି। ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଶ୍ରୀ ପଟ୍ଟନାୟକଙ୍କ ପିଏସ୍‌ଓଙ୍କୁ ମାଡ଼ ମାରିଛନ୍ତି। ଏନେଇ ଶ୍ରୀ ପଟ୍ଟନାୟକଙ୍କ ପିଏସ୍‌ଓ ରାଜେଶ ସିଂହ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପ୍ରାପ୍ତ ସୂଚନା‌ ଅନୁସାରେ, ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଓ ତାଙ୍କ ପିଏସ୍‌ଓ ରାଜେଶ ସିଂହ ଏକ ଗାଡ଼ି (ଡବ୍ଲ୍ୟୁବି-୦୮-ଏଚ୍‌-୦୦୦୯)ରେ ଯାଉଥିବା ବେଳେ କାଶୀପୁରଠାରେ ସଂଜୟ ମହାନ୍ତିଙ୍କ ସମେତ କିଛି ଅସାମାଜିକ ଯୁବକ ଏକ ବୋ‌ଲେରୋରେ ଆସି ଗାଡ଼ି ଅଟକାଇଥିଲେ। କାହିଁକି ଗାଡ଼ିକୁ ଓଭରଟେକ୍‌ କଲ ବୋଲି ପ୍ରଶ୍ନ କରିବା ସହ ଗାଳିଗୁଲଜ କରିଥିଲେ। ପିଏସ୍‌ଓ ଶ୍ରୀ ସିଂହ ପ୍ରତିବାଦ କରିବାରୁ ତାଙ୍କ ତିଣ୍ଟି ଚିପିଦେବା ସହ ମାଡ଼ ମାରିଥିଲେ। ଏପରିକି ସମ୍ପୃକ୍ତ ଯୁବକମାନେ ଗାଡ଼ି ଉପରେ ଚଢ଼ିଯାଇ ହଙ୍ଗାମା କରିଥିଲେ। ଖବର ପାଇ କିଛି କଂଗ୍ରେସ କର୍ମୀ ଘଟଣାସ୍ଥଳରେ ପହଞ୍ଚିବାରୁ ସମ୍ପୃକ୍ତ ଯୁବକମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ।

ଏନେଇ ଶ୍ରୀ ପଟ୍ଟନାୟକଙ୍କ ପିଏସ୍‌ଓ ଶ୍ରୀ ସିଂହ କେନ୍ଦୁଝର ଟାଉନ୍‌ ଥାନାରେ ଏତଲା ଦେଇଛନ୍ତି। ପୁଲିସ କେସ୍‌ ନମ୍ବର ୨୯/୨୧ ଦଫା ୩୪୧, ୨୯୪, ୩୨୩, ୩୦୭, ୪୨୭, ୫୦୬ ଓ ୩୪ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

The post କେନ୍ଦୁଝରରେ ପିସିସି ସଭାପତିଙ୍କ ଗାଡ଼ିକୁ ଆକ୍ରମଣ first appeared on Sambad.



from ରାଜନୀତି – Sambad https://ift.tt/35QgNOJ