
ଛତ୍ରପୁର : ଆଉ ବର୍ଷକ ପରେ ପଞ୍ଚାୟତ ନିର୍ବାଚନ। ମୁଣ୍ଡ ଉପରେ ଏହି ନିର୍ବାଚନ ରହିଥିବା ବେଳେ ଛତ୍ରପୁର ପଞ୍ଚାୟତ ପ୍ରତିନିଧିଙ୍କ ମଧ୍ୟରେ ତେଜିଛି ଅସନ୍ତୋଷ। ୮ଟି ପଞ୍ଚାୟତର ପ୍ରତିନିଧି ଓ ୨ଟି ଜୋନ୍ର ଜିଲ୍ଲା ପରିଷଦ ସଭ୍ୟ ଆଜି ଏକାଠି ହୋଇ ବ୍ଲକ୍ ପ୍ରଶାସନ ବିରୋଧରେ ଗର୍ଜିଛନ୍ତି। ଏଥିସହ ବ୍ଲକ ବିଜେଡି ନେତୃତ୍ବ ଉପରେ ମଧ୍ୟ ବର୍ଷିଛନ୍ତି। ଗତ ଦୁଇ ବର୍ଷ ହେଲା ସେମାନଙ୍କୁ ବ୍ଲକରେ ଗୁରୁତ୍ବ ଦିଆ ଯାଇ ଅଣଦେଖା କରାଯାଇଥିବା ଅଭିଯୋଗ କରିଛନ୍ତି।
ଛତ୍ରପୁର ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ ସମିତି ସଭ୍ୟ ଜ୍ୟୋତି ରଞ୍ଜନ ସାହୁଙ୍କ ନେତୃତ୍ବରେ ମା’ ରାମଚଣ୍ଡି ପୀଠରେ ରବିବାର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଛତ୍ରପୁର ବ୍ଲକ ୧୮ଟି ପଞ୍ଚାୟତ ମଧ୍ୟରୁ ୮ ପଞ୍ଚାୟତର ପ୍ରତିନିଧି ଯୋଗଦେଇଥିଲେ। ଏଥିସହ ଦୁଇଜଣ ଜିଲ୍ଲା ପରିଷଦ ସଦସ୍ୟ ଉପସ୍ଥିତ ଥିଲେ। ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା, ଆବାସ ଯୋଜାନରେ ପକ୍କାଘର ଓ ରାସନକାର୍ଡ ମିଳୁନାହିଁ। ପଞ୍ଚାୟତ ପ୍ରତିନିଧିମାନେ ବ୍ଲକ୍ ପ୍ରଶାସନକୁ ବାରମ୍ବାର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ପଞ୍ଚାୟତ ପ୍ରତିନିଧିଙ୍କ ସମସ୍ୟା ବୁଝିବା ପାଇଁ କେହି ନାହିଁ। ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରହିଛି। ଆଉ ୬ମାସ ପରେ ସମସ୍ତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯିବ। ପଞ୍ଚାୟତବାସୀଙ୍କୁ କିଭଳି ଭୋଟ ମାଗିବୁ ବୋଲି ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଉପସ୍ଥିତ ପଞ୍ଚାୟତ ପ୍ରତିନିଧିମାନେ ଅଭିଯୋଗ କରିଛନ୍ତି। ଏଥିସହ ପଞ୍ଚାୟତ ପ୍ରତିନିଧିମାନେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ପଞ୍ଚାୟତ ପ୍ରତିନିଧିଙ୍କ ସମସ୍ୟା ବୁଝିବା ଲାଗି ଛତ୍ରପୁର ବ୍ଲକରେ ନେତୃତ୍ବ ଅଭାବର ରହିଥିବା ସେମାନେ କହିଛନ୍ତି। ମୁଖ୍ୟମନ୍ତ୍ରୀ ସମସ୍ତ ଜନମଙ୍ଗଳ ଯୋଜନା ଯୋଗାଇ ଆସୁଥିବା ବେଳେ ନେତୃତ୍ବ ଅଭାବ ଲାଗି ପଞ୍ଚାୟତରେ ଯୋଜନା ପହଞ୍ଚି ପାରୁ ନାହିଁ। ଏଥିଯୋଗୁଁ ପଞ୍ଚାୟତ ପ୍ରତିନିଧିଙ୍କ ମନୋବଳ ଦୁର୍ବଳ ହୋଇପଡ଼ିଛି ବୋଲି ପ୍ରତିନିଧିମାନେ କହିଛନ୍ତି।
ଅନ୍ୟପକ୍ଷରେ ନରେନ୍ଦ୍ରପୁର ପଞ୍ଚାୟତ ସମିତିସଭ୍ୟ ଜ୍ୟୋତି ରଞ୍ଜନ ସାହୁଙ୍କୁ ଛତ୍ରପୁର ବ୍ଲକ ଯୁବ ବିଜେଡି ସଭାପତି କରିବା ଲାଗି ଏହି ପଞ୍ଚାୟତ ପ୍ରତିନିଧିମାନେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦୃଷ୍ଟିଆକର୍ଷଣ କରିବା ସହ ଆବଶ୍ୟକ ହେଲେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷତ କରିବେ ବୋଲି କହିଛନ୍ତି। ଛତ୍ରପୁର ବ୍ଲକ ବିଜେଡି ବ୍ଲକ ସଭାପତି ସପ୍ନେଶ୍ବର ନାହାକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ଏସ୍.କିଶୋର ଚନ୍ଦ୍ର ରେଡ୍ଡୀ ଓ ପ୍ରମୋଦ କୁମାର ପ୍ରଧାନ, ନରେନ୍ଦ୍ରପୁର ସମିତି ସଭ୍ୟ ଶ୍ରୀ ସାହୁ, ବ୍ଲକ ଯୁବ ବିଜେଡି ସଭାପତି ତଥା ବିପୁଳିଙ୍ଗି ସରପଞ୍ଚ ଟି.ନରସିଂହ ରେଡ୍ଡୀ, ମହାନାଦପୁର ସମିତିସଭ୍ୟ ଅଶୋକ କୁମାର ପାଣିଗ୍ରାହୀ, ବଉଳଗାଁ ସରପଞ୍ଚ ସରୋଜିନୀ ମହାରଣା, ଭିକାରିପଲ୍ଲୀ ସମିତି ସଭ୍ୟ ଭାଗିରଥୀ ପ୍ରଧାନ, କାଳିପଲ୍ଲୀ ସରପଞ୍ଚ ଶ୍ରୀରାମ ବେହେରା, ବିଜେଡି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଜି.ଡିଲେଶ୍ବର ରେଡ୍ଡୀ, ଏମ୍.ଗୁମାଲୀ, ବି.ଭୀମ, ସୋମନାଥ ବେହେରା, ଅଗସ୍ତିନୂଆଗାଁ ସରପଞ୍ଚ ବି.ସିମାଦ୍ରୀ, ସମିତି ସଭ୍ୟ ବାସନ୍ତୀ ଜାନି, ଆର୍ଯ୍ୟପଲ୍ଲୀ ସରପଞ୍ଚ ଏମ୍.ଲକ୍ଷ୍ମୀ, ଶ୍ରୀରାମଚନ୍ଦ୍ରପୁର ସରପଞ୍ଚ ରେବତୀ ପ୍ରଧାନ, ମହାନାଦପୁର ସରପଞ୍ଚ ରୁନିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ମେଳି ବାନ୍ଧିଥିବା ୮ଟି ପଞ୍ଚାୟତର ପ୍ରତିନିଧି ଛତ୍ରପୁର ଜଣେ ପୂର୍ବତନ ବିଧାୟକଙ୍କ ଅନୁଗତ ବୋଲି କୁହାଯାଉଛି।
The post ଛତ୍ରପୁର ବ୍ଲକ୍ରେ ମେଳି ବାନ୍ଧିଲେ ପଞ୍ଚାୟତ ପ୍ରତିନିଧି, ନେତୃତ୍ବ ଉପରେ ଉଠାଇଲେ ପ୍ରଶ୍ନ first appeared on Sambad.
from ରାଜନୀତି – Sambad https://ift.tt/2XRvFrI
0 Comments