
ପାଟପୁର : ସାନଖେମୁଣ୍ଡି ବ୍ଲକ୍ ରାମଚନ୍ଦ୍ରପୁର ପଞ୍ଚାୟତରେ ଉପନିର୍ବାଚନ ଆସନ୍ତା ଫେବ୍ରୁଆରି ମାସ ୧୧ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଚଳିତମାସ ୧୩, ୧୫ ଓ ୧୮ ତାରିଖରେ ନାମାଙ୍କନ ପତ୍ର ଦାଖଲ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ୧୮ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିବା ବେଳେ ୧୯ ତାରିଖରେ ଯାଞ୍ଚ ଓ ୨୨ରେ ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି। ଫଳରେ ରାଜନୈତିକ ବାତାବରଣ ଉଷ୍ମ ହୋଇଛି। ତିନି ପ୍ରମୁଖ ଦଳ ନିଜ ସମର୍ଥକଙ୍କୁ ଛିଡ଼ା କରିବାକୁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଏହି କ୍ରମରେ ସନ୍ତୋଷୀ ପ୍ରଧାନ ଆଜି ସାନଖେମୁଣ୍ଡି ବିଡିଓ ତଥା ନିର୍ବାଚନ ଅଧିକାରୀ ଗାୟତ୍ରୀଦତ୍ତ ନାୟକଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହି ସମୟରେ ତାଙ୍କ ସମର୍ଥକ ମାନେ ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ ଉପନିର୍ବାଚନ ପାଇଁ ବିଜେଡିର ଏକ ବୈଠକ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ଲଢ଼ିବାକୁ ରଣନୀତି ଉପରେ ଏଥିରେ ଆଲୋଚନା ହୋଇଥିଲା। ଆଡ଼ପଡା ସରପଞ୍ଚ ନୀଳମାଧବ ରାଉତ ଓ ଅମିନ ପ୍ରଧାନଙ୍କ ଉପସ୍ଥିତିରେ ଏନ.ପ୍ରଫୁଲ୍ଲ ରେଡ୍ଡୀ, ଅଜୟ ରେଡ୍ଡୀ, ନିରାକାର ପାତ୍ର, ଅଭି ପାତ୍ର, ନିର୍ମଳ ପାତ୍ର, ହୀନ ପାତ୍ର ଓ ଟିଟୁ ପାତ୍ର ପ୍ରମୁଖ ବିଜେଡିରେ ସାମିଲ ହୋଇଥିଲେ।
ସେହିପରି ସାନଖେମୁଣ୍ଡି ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନା କର୍ମୀଙ୍କୁ ନେଇ ଏକ ବୈଠକ ଡାକିଥିଲେ। ଏଥିରେ ଆଲୋକ ପ୍ରଧାନ, ସମିତିସଭ୍ୟ ବାଲ୍ମିକୀ ପ୍ରଧାନ, ଅମୂଲ୍ୟ ତ୍ରିପାଠୀ, ସୁଭାଷ ପଟ୍ଟନାୟକ, ଅଳୟ ଦାସ ଓ ସୁନୀଲ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ସେପଟେ ବିଜେପି ପୂର୍ବତନ ଜିଲ୍ଲା ସଭାପତି ବିଜୟ କୁମାର ସ୍ବାଇଁଙ୍କ ନେତୃତ୍ବରେ ଦଳ ପ୍ରସ୍ତୁତି ଚଳାଇଛି। ଜିଲ୍ଲା ପରିଷଦ ସଭ୍ୟ ଗଦାଧର ସ୍ୱାଇଁ, ଘୁମୁସର ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ପ୍ରମୋଦ ପଣ୍ଡା, ଲିଟୁ ପ୍ରଧାନ, ଚିନ୍ମୟ ରେଡ୍ଡୀ ଓ ସୁନୀଳ ପ୍ରଧାନଙ୍କ ଉପସ୍ଥିତିରେ ରଣକୌଶଳ ତିଆରି ହେଉଛି।
The post ରାମଚନ୍ଦ୍ରପୁର ପଞ୍ଚାୟତ ଉପନିର୍ବାଚନ ଫେବ୍ରୁଆରି ୧୧ରେ : ବିଜେଡି, କଂଗ୍ରେସ, ବିଜେପିର ରଣନୀତି first appeared on Sambad.
from ରାଜନୀତି – Sambad https://ift.tt/3if9khl
0 Comments