
ନୂଆଦିଲ୍ଲୀ: ଲୋକପ୍ରିୟ ତେଲୁଗୁ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ବିଜୟାଶାନ୍ତି ସୋମବାର ଦିନ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେବେ ବୋଲି ଦଳର ନେତା ଜି ବିବେକ ଭେଙ୍କଟସ୍ୱାମୀ ସୂଚନା ଦେଇଛନ୍ତି। ଗତ କିଛି ମାସ ଧରି ରାଜ୍ୟରେ କଂଗ୍ରେସ ଦଳର କାର୍ଯ୍ୟକ୍ରମରେ ପ୍ରାୟତଃ ନିଷ୍କ୍ରିୟ ରହିଥିବା ବରିଷ୍ଠ କଂଗ୍ରେସ ନେତ୍ରୀ ଆସନ୍ତାକାଲି ପୁଣି ଥରେ ବିଜେପିର ସଦସ୍ୟତା ଗ୍ରହଣ କରିବେ। ସେ ନୂଆଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ଉପସ୍ଥିତିରେ ପଦ୍ମ ଧରିବେ ବୋଲି ଜଣାଯାଇଛି। ଅଭିନେତ୍ରୀ ଖୁସବୁଙ୍କ ପରେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହେଉଥିବା ଦ୍ବିତୀୟ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ହେବେ ବିଜୟାଶାନ୍ତି ।
ବିଜୟାଶାନ୍ତି ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ରାଜ୍ୟ ମନ୍ତ୍ରୀ ଜି କିଶନ ରେଡ୍ଡୀଙ୍କୁ ଭେଟିବାର କିଛି ଘଣ୍ଟା ପରେ ଏହି ସୂଚନା ମିଳିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଜୟାଶାନ୍ତି ତାଙ୍କ ରାଜନୈତିକ କ୍ୟାରିୟର ବିଜେପିରୁ ହିଁ ଆରମ୍ଭ କରିଥିଲେ। କିନ୍ତୁ ସେ ପରେ ଟିଆରଏସରେ ଯୋଗ ଦେଇଥିଲେ ଏବଂ ପରେ ୨୦୧୪ରେ ସେ କଂଗ୍ରେସର ସଦସ୍ୟତା ଗ୍ରହଣ କରିଥିଲେ।
ନିକଟରେ ଅନୁଷ୍ଠିତ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ (ଜିଏଚ୍ଏମ୍ସି) ନିର୍ବାଚନରେ ବିଜେପିର ଚମତ୍କାର ପ୍ରଦର୍ଶନ ପରେ ବିଜୟାଶାନ୍ତି ବିଜେପିକୁ ଫେରିବାର ନିଷ୍ପତ୍ତି ନେଇଥିବା କୁହାଯାଉଛି। ବିଜୟାଶାନ୍ତିଙ୍କୁ ଦଳ କୌଣସି ବଡ଼ ଦାୟିତ୍ବ ଦେଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ଏଣେ ଆଗାମୀ ଦିନରେ ଆହୁରି ଅଧିକସଂଖ୍ୟକ ଟିଆରଏସ୍ ଏବଂ କଂଗ୍ରେସ ନେତା ବିଜେପିରେ ଯୋଗ ଦେବେ ବୋଲି ଜି ବିବେକ ଭେଙ୍କଟସ୍ୱାମୀ କହିଛନ୍ତି।
The post ବିଜେପିକୁ ଫେରିବେ ଲୋକପ୍ରିୟ ତେଲୁଗୁ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ବିଜୟାଶାନ୍ତି first appeared on Sambad.
from ରାଜନୀତି – Sambad https://ift.tt/2VQQgvb
0 Comments