
ବେଙ୍ଗାଲୁରୁ: ଜେଡି (ଏସ) ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ନିଜର ମତ ଲାଗି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ସହ ହାତ ମିଳାଇବା ଦ୍ୱାରା ତାଙ୍କର କ୍ଷତି ଘଟିଛି। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଯଦି ବିଜେପିକୁ ସହଯୋଗ କରଥାନ୍ତେ ତେବେ ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ। ଏଥିସହ କୁମାରସ୍ୱାମୀ କହିଛନ୍ତି ଯେ ପାର୍ଟି ସୁପ୍ରିମୋ ତଥା ତାଙ୍କ ପିତା ଏଚଡି ଦେବେ ଗୌଡ଼ାଙ୍କ ଜିଦ୍ ଯୋଗୁଁ ସେ କଂଗ୍ରେସ ସହ ଏକ ମିଳିତ ସରକାର ଗଠନ କରିବାକୁ ରାଜି ହୋଇଥିଲେ। ତେବେ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ତାଙ୍କ ସରକାରର ଭାଗ୍ୟ ପାଇଁ ଏଚଡି ଦେବେ ଗୌଡ଼ାଙ୍କୁ ଦାୟୀ କରୁନାହାଁନ୍ତି ଏବଂ ଧର୍ମନିରପେକ୍ଷ ପରିଚୟ ପ୍ରତି ତାଙ୍କ ପିତାଙ୍କ ଆଜୀବନ ପ୍ରତିବଦ୍ଧତାକୁ ସମ୍ମାନ କରୁଛନ୍ତି।
ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଜେଡି (ଏସ) ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ କହିଛନ୍ତି ଯେ ସେ ଜାଲରେ ଛନ୍ଦି ହୋଇଛନ୍ତି। ଏହାଛଡ଼ା କଂଗ୍ରେସ ନେତା ସିଦ୍ଧରମୈୟା ତାଙ୍କ ବିରୁଦ୍ଧରେ ଏକ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି କୁମାରସ୍ୱାମୀ। ସେ ଏକଥା ମଧ୍ୟ କହିଛନ୍ତି ଯେ ବିଜେପି ତାଙ୍କ ସହ ବିଶ୍ୱାସଘାତକତା କରି ନାହିଁ।
୨୦୦୬-୦୭ ରେ ମୁଖ୍ୟମନ୍ତ୍ରୀ ଭାବେ ମୁଁ ରାଜ୍ୟବାସୀଙ୍କ ଠାରୁ ଯେଉଁ ଶୁଭେଚ୍ଛା ଅର୍ଜନ କରିଥିଲି ଏବଂ ବିଜେପିକୁ କ୍ଷମତା ହସ୍ତାନ୍ତର ନ କରିବା ଯୋଗୁ ମୋ ବିରୁଦ୍ଧରେ ବଡ ଅଭିଯାନ ସତ୍ତ୍ବେ ତାହା ଗତ ୧୨ ବର୍ଷ ଧରି ବଜାୟ ରହିଥିଲା, କିନ୍ତୁ କଂଗ୍ରେସ ସହ ମିଶିବା ପରେ ସବୁ କିଛି ନଷ୍ଟ ହୋଇଯାଇଥିଲା ବୋଲି ସ୍ପଷ୍ଟୋକ୍ତି କରିଛନ୍ତି କୁମାରସ୍ବାମୀ। ଯଦି ସେ ବିଜେପିକୁ ବାଛିଥାନ୍ତେ, ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ହୋଇ ରହିଥାନ୍ତେ ବୋଲି କୁମାରସ୍ବାମୀ ଦୃଢୋକ୍ତ କରିଛନ୍ତି ।
The post କଂଗ୍ରେସ ସହ ହାତ ନ ମିଳାଇ ବିଜେପିକୁ ସହଯୋଗ କରିଥିଲେ ଏବେ ବି ମୁଖ୍ୟମନ୍ତ୍ରୀ ହୋଇ ରହିଥାନ୍ତି: ଏଚଡି କୁମାରସ୍ୱାମୀ first appeared on Sambad.
from ରାଜନୀତି – Sambad https://ift.tt/3gl9frh
0 Comments