
ଗୋଳନ୍ଥରା : ଜନବିରୋଧୀ କାର୍ଯ୍ୟ ଅଭିଯୋଗରେ ଦଳରୁ ବହିଷ୍କୃତ ଓ ଟାଟା ମୋଟର୍ସରେ ଚାକିରି ଠକେଇ ମାମଲାରେ ଛନ୍ଦି ହୋଇ ଗୋପାଳପୁର ବିଧାୟକ ଡ.ପ୍ରଦୀପ ପାଣିଗ୍ରାହୀ ଗିରଫ ହୋଇଛନ୍ତି। ହେଲେ ବିଧାୟକ ଦଳରୁ ବିଦା ହେବା ପରେ ଗୋପାଳପୁର ନିର୍ବାଚନମଣ୍ଡଳୀର ମଙ୍ଗ କିଏ ସମ୍ଭାଳିବ ଏହାକୁ ନେଇ ଦଳୀୟ ଶିବିରରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ। ଏଭଳି ପରିସ୍ଥିତିରେ ରଙ୍ଗେଇଲୁଣ୍ଡା ବ୍ଲକ୍ରେ ବିଧାୟକ ବିପକ୍ଷ ଗୋଷ୍ଠୀର ନେତା ଓ କର୍ମୀ ତିନି ଫାଳ ହୋଇ ସାରିଛନ୍ତି। ମଙ୍ଗ ଧରିବାକୁ ଆଶାୟୀ ଥିବା ମାଳମାଳ ତୁଙ୍ଗ ନେତା ନିଜର ପତିଆରା ଜାହିର୍ ପାଇଁ ଗୋଷ୍ଠୀ ତିଆରି କରିବାରେ ଲାଗି ପଡ଼ିଛନ୍ତି। ଏଥିପାଇଁ ବୈଠକ ସାଙ୍ଗକୁ ଭୋଜିଭାତର ଆସର ଜମାଉଛନ୍ତି।
ଖାଲି ଏତିକି ନୁହେଁ, କିଛି ନେତା ଏବେ ଠାରୁ ବିଧାନସଭା ଟିକେଟ୍ ପାଇବା ସ୍ବପ୍ନ ଦେଖି ସାରିଲେଣି। ଜିଲ୍ଲାର ଜଣେ ମହିଳା ନେତ୍ରୀ ଗୋପାଳପୁର ନିର୍ବାଚନ ମଣ୍ଡଳୀର କିଛି ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ଭୁବନେଶ୍ୱରରେ ଡେରା ପକାଇ ଲବି ଆରମ୍ଭ କରିଥିବା ଜଣାପଡ଼ିଛି। ସମସ୍ତେ ଆଶାୟୀ ଥିବା ବେଳେ ଗୋପାଳପୁର ନିର୍ବାଚନମଣ୍ଡଳୀରେ ରାଜନୀତିରେ ଏବେ ଅଦୃଶ୍ୟ ଶକ୍ତି କାମ କରୁଛି ବୋଲି ଚର୍ଚ୍ଚା ଜୋର୍ ଧରିଛି। ଯେଉଁମାନେ ଦିନେ ଏକାଠି ହୋଇ ବିଧାୟକଙ୍କ ବିରୋଧରେ ମେଳି ବାନ୍ଧିଥିଲେ, ସେମାନେ ଆଜି କ୍ଷମତା ପାଇଁ ସମର୍ଥନ ଜୁଟାଇବାକୁ ନିଜ ଗୋଷ୍ଠୀ ତିଆରି କରି ଦିନରାତି ଏକ କରି କ୍ଷମତା ହାତେଇବା ଚେଷ୍ଟାରେ ଲାଗିଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ରଙ୍ଗେଇଲୁଣ୍ଡା ବ୍ଲକ୍ର ୩୨ଟି ପଞ୍ଚାୟତ ସମେତ କୁକୁଡ଼ାଖଣ୍ଡିର ୫ଟି ପଞ୍ଚାୟତ, ମହାନଗର ନିଗମର ୫ଟି ୱାର୍ଡ଼ ଏବଂ ଗୋପାଳପୁର ଏନଏସିକୁ ନେଇ ଗଠିତ ଗୋପାଳପୁର ନିର୍ବାଚନମଣ୍ଡଳୀ ଏବେ ଦିଗହରା ହୋଇଛି। ତେବେ ଏଭଳି ପରିସ୍ଥିତିରେ କିଛି କର୍ମୀ ନିରୁପାୟ ହୋଇ କେବଳ ନିରବଦ୍ରଷ୍ଟା ସାଜିଛନ୍ତି। ଏହି ନିର୍ବାଚନମଣ୍ଡଳୀର ଦାୟିତ୍ବ ଭାର କିଏ ନେବ, ଏନେଇ କିଛି ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଦଳର କିଛି ନେତା ନିଜ ନିଜର ସଂଗଠନ ଅଲଗା ଅଲଗା ଢଙ୍ଗରେ ତିଆରି କରିବା ଆରମ୍ଭ କରିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ବିଧାୟକ ଜେଲ୍ ଯିବା ପରେ ତାଙ୍କର କିଛି ସମର୍ଥକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଆଡ଼କୁ ଅଙ୍ଗୁଳି ଉଠାଇଥିଲେ। ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି କରିଥିଲେ। କିନ୍ତୁ ସେମାନେ ବି ଏବେ ବିପକ୍ଷ ଗୋଷ୍ଠୀ ସହ ହାତ ମିଳାଇବାକୁ ବାଧ୍ୟ ହୋଇ ସାରିଲେଣି। ତେବେ ଏଭଳି ଘଣ୍ଟାଚକଟା ରାଜନୀତି ଦଳ ପାଇଁ ଆଗକୁ ମହଙ୍ଗା ସାବ୍ୟସ୍ତ ହୋଇପାରେ ବୋଲି ବରିଷ୍ଠ ନେତାଙ୍କ ଭିତରେ ଚର୍ଚ୍ଚା ଜୋର୍ ଧରିଛି। ନିର୍ବାଚନମଣ୍ଡଳୀରେ ବିଜେଡିର ମଙ୍ଗୁଆଳ କିଏ ସାଜିବ, କାହା ମୁଣ୍ଡରେ ହାତୀ ସୁନା କଳସରେ ପାଣି ଢାଳିବ ଏହା ଉପରେ ଏବେ ସମସ୍ତଙ୍କ ନଜର।
The post ପ୍ରଦୀପ ବନ୍ଧା ହେବା ପରେ ରଙ୍ଗେଇଲୁଣ୍ଡା ବିଜେଡି ତିନି ଫାଳ ! first appeared on Sambad.
from ରାଜନୀତି – Sambad https://ift.tt/2KEmyrF
0 Comments