ଭୁବନେଶ୍ବର : କଂଗ୍ରେସର ୧୩୬ ତମ ପ୍ରତିଷ୍ଠା ଦିବସ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି କଂଗ୍ରେସ ଭବନରେ ପାଳିତ ହୋଇଯାଇଛି। ଏହି ଅବସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦଳୀୟ ପତାକା ଉତ୍ତୋଳନ କରିବା ସହିତ ସେବା ଦଳର କର୍ମୀମାନଙ୍କୁ କଂଗ୍ରେସର ନୀତି ଆଦର୍ଶରେ ପରିଚାଳିତ ହେବା ପାଇଁ ଶପଥ ପାଠ କରାଇଥିଲେ। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବହୁ ମହାମନିଷୀମାନେ ଭାରତର ଜନଗଣଙ୍କ ସୁରକ୍ଷା ପାଇଁ କଂଗ୍ରେସ ଦଳକୁ ପ୍ରତିଷ୍ଠା କରି ଦେଶକୁ ପରାଧୀନତାରୁ ମୁକ୍ତ କରିବା ପାଇଁ କାରାବରଣ କରିଥିଲେ। ବହୁ ସ୍ବାଧୀନତା ସଂଗ୍ରାମୀ ନିଜ ଜୀବନର ବଳିଦାନ ଦେଇଛନ୍ତି। ଭାରତବର୍ଷର ଗଣତନ୍ତ୍ର ବିଶ୍ବରେ ଅଦ୍ବିତୀୟ ହୋଇଥିବା ବେଳେ ଆଜି କିନ୍ତୁ ବିପନ୍ନ ହୋଇପଡ଼ିଛି। ଚାଷୀକୂଳ ହତାଶ ହୋଇପଡ଼ିଛି। ବେକାରୀ ସଂଖ୍ୟା ରେକର୍ଡ କଲାଣି। ଛାତ୍ରଛାତ୍ରୀମାନଙ୍କର ଭିବିଷ୍ୟତ ଅନ୍ଧାର। ମହିଳାମାନେ ଭୟ ଓ ଅସୁରକ୍ଷିତ ଅବସ୍ଥାରେ ଦିନ କାଟୁଛନ୍ତି। ସେହିପରି ଓଡ଼ିଶା ଦିନକୁ ଦିନ ଗରିବ ହୋଇଯାଉଛି। ରାଜ୍ୟର ବିକାଶ ଦିଗରେ ଯଥେଷ୍ଟ ସୁଯୋଗ ଥିଲେ ମଧ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଦେଶକୁ ଓ ରାଜ୍ୟକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ ପ୍ରତ୍ୟେକ କଂଗ୍ରେସ କର୍ମୀ ଆଗେଇ ଆସିବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ଜୟଦେବ ଜେନା, ରାମଚନ୍ଦ୍ର ଖୁଣ୍ଟିଆ, ବିଧାୟକ ସୁରେଶ କୁମାର ରାଉତରାୟ, ପ୍ରକାଶ ଚନ୍ଦ୍ର ବେହେରା, ଜଗନ୍ନାଥ ପଟ୍ଟନାୟକ, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ଅମୀୟ କୁମାର ପଟ୍ଟନାୟକ, ଜାନକୀବଲ୍ଲଭ ପଟ୍ଟନାୟକ, ବିଶ୍ବଜିତ୍‌ ଦାଶ, ମନୋରଞ୍ଜନ ଦାଶ, ବିପିନ ଦାସ, ରଶ୍ମି ମହାପାତ୍ର, ଚିନ୍ମୟ ସୁନ୍ଦର ଦାସ, ଅମୀୟ ପାଣ୍ଡବ ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ଓ ସେବାଦଳ କର୍ମୀ ଉପସ୍ଥିତ ଥିଲେ।

The post କଂଗ୍ରେସର ୧୩୬ ତମ ପ୍ରତିଷ୍ଠା ଦିବସ ପାଳିତ first appeared on Sambad.



from ରାଜନୀତି – Sambad https://ift.tt/3mVBPBd