ଢେଙ୍କାନାଳ : ଢେଙ୍କାନାଳରେ ବିଜେପିକୁ ଲାଗିଛି ଝଟ୍‌କା। ବିଜେପି ନେତା ତଥା ପୂର୍ବତନ ନଗରପାଳ ସୁଧାଂଶୁ କୁମା‌ର ଦଲେଇ, ବିଜେପିର ଜିଲ୍ଲା ପୂର୍ବତନ ଉପସଭାପତି ରମେଶ ଚନ୍ଦ୍ର ସାମଲ ବିଜେପିରୁ ଇସ୍ତଫା ଦେବା ସହ ବହୁ ବିଜେପି କର୍ମୀମାନଙ୍କୁ ନେଇ ଏକ ଶୋଭାଯାତ୍ରାରେ ବାଜିଚୌକ୍ ଠାରୁ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକକୁ ଆସି ବିଜେଡିରେ ଯୋଗ ଦେଇଛନ୍ତି। ସେମାନଙ୍କ ବ୍ୟତୀତ ବିଜେପିର ପୂର୍ବତନ ମୁନିସିପାଲିଟି ଉପାଧ୍ୟକ୍ଷା ସୁଚିତ୍ରା ବେହେରା, ପୂର୍ବତନ କାଉନସିଲର ଅନୁସୟା ଦଳେଇ, ପୂର୍ବତନ ବିଜେପି କାଉନ୍‌ସିଲର ଅବଦୁଲ ଚାନ୍ଦ ଖାଁ, କଂଗ୍ରେସ କାଉନ୍‌ସିଲର ଦୀପ୍ତି ରଞ୍ଜନ ସେଠୀ, ବ୍ରହ୍ମାନନ୍ଦ ମଲ୍ଲିକ,ବାପୁଜୀ ମଲ୍ଲିକ, ସସ୍ମିତା ଖୁଂଟିଆଙ୍କ ସମେତ ବିଭିନ୍ନ ୱାଡରେ ଥିବା କଂଗ୍ରେସ କର୍ମୀ, ବଜାର କମିଟି ସଦସ୍ୟମାନେ ବିଜେଡିରେ ସାମିଲ ହୋଇଛନ୍ତି। ବିଜେପି ପକ୍ଷରୁ ଶନିବାର ଢେଙ୍କାନାଳଠାରେ ଆୟୋଜିତ କୃଷକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟସ୍ତରୀୟ ବହୁ ପୁରୁଣା ନେତା ମନ୍ତ୍ରୀ ଯୋଗ ଦେବାର ଗୋଟିଏ ଦିନ ନବିତୁଣୁ ବିଜେପି ନେତାଙ୍କ ବିଜେଡି ହାତ ଧରିବା ନିଷ୍ପତ୍ତି ଢେଙ୍କାନାଳ ରାଜନୀତିକୁ ସରଗରମ କରିଛି।

ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଗତକାଲି ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲଠାରେ ଅନୁଷ୍ଠିତ ହୋଇଛି । ଜିଲ୍ଲା ସଭାପତି ତଥା ରାଜ୍ୟ ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ମୁଖପାତ୍ର ତଥା ବିଧାୟକ ପ୍ରତାପ ଦେବ, ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ, ଢେଙ୍କାନାଳ ସାଂସଦ ମହେଶ ସାହୁ, ପର୍ଜଙ୍ଗ ବିଧାୟକ ଡ. ନୃସିଂହ ଚରଣ ସାହୁ, ଢେଙ୍କାନାଳ ବିଧାୟକ ସୁଧୀର ସାମଲ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମିନତି ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି ନେତାମାନେ ବିଜେଡିରେ ଯୋଗ ଦେଇଛନ୍ତି, ଯାହାକୁ ନେଇ ଢେଙ୍କାନାଳ ରାଜନୀତି ସରଗରମ ‌ହୋଇଉଠିଛି।

The post ଢେଙ୍କାନାଳ ରାଜନୀତି ସରଗରମ :ବିଜେଡିରେ ମିଶିଲେ ବହୁ ବିଜେପି ନେତା first appeared on Sambad.



from ରାଜନୀତି – Sambad https://ift.tt/2WRnxHf