
ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ହୋଇନାହିଁ ସଂରକ୍ଷଣ ବ୍ୟବସ୍ଥା
ଆସନ ସଂରକ୍ଷଣକୁ ନେଇ ରାଜ୍ୟ ସରକାର ଜାରି କରିବେ ସାନି ବିଜ୍ଞପ୍ତି
୭ ତାରିଖରେ ନିର୍ବାଚନ କମିସନଙ୍କୁ ଦିଆଯିବ ଚୂଡ଼ାନ୍ତ ସଂରକ୍ଷଣ ତାଲିକା
ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ବିଳମ୍ବ ହେବ, ଦ୍ବିତୀୟ ସପ୍ତାହକୁ ଆଖି
କଟକ/ ଭୁବନେଶ୍ବର : ଚଳିତ ପଞ୍ଚାୟତ ନିର୍ବାଚନରେ ଓବିସି ବା ପଛୁଆ ବର୍ଗଙ୍କ ପାଇଁ କୌଣସି ଆସନ ସଂରକ୍ଷଣ ରହିବ ନାହିଁ। ବରଂ ଓବିସିଙ୍କ ପାଇଁ ସଂରକ୍ଷିତ ସବୁ ଆସନ ଅଣସଂରକ୍ଷିତ କରି ଦିଆଯିବ। କେବଳ ସେତିକି ନୁହେଁ, ସରପଞ୍ଚ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ପଦବି ନିମନ୍ତେ ରାଜ୍ୟର ଜନସଂଖ୍ୟା ପ୍ରତିଶତ ଅନୁଯାୟୀ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ନିମନ୍ତେ ଆସନ ସଂରକ୍ଷଣ ରଖିବ। ଏହି କ୍ରମରେ ସମସ୍ତ ଜିଲ୍ଲାପାଳ ସଂରକ୍ଷଣ ତାଲିକା ପୁନଃ ପ୍ରକାଶ କରିବେ।
ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ସଂପର୍କିତ ମାମଲା ଗୁଡିକର ଶୁଣାଣି ସମୟରେ ସରକାରଙ୍କ ତରଫରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ସାନି ଚିଠା ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି କୁହାଯିବା ପରେ ଏଭଳି ସୂଚନା ମିଳିଛି। ଅନ୍ୟପକ୍ଷରେ, ଖଣ୍ଡପୀଠ ପଂଚାୟତ ନିର୍ବାଚନ ବିଜ୍ଞପ୍ତି, ସଂରକ୍ଷଣ ସଂକ୍ରାନ୍ତ ବିଜ୍ଞପ୍ତି ସଂପର୍କରେ ସାନି ତାରିଖ ଧାର୍ଯ୍ୟ କରିଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ପଞ୍ଚାୟତ ନିର୍ବାଚିତ ପ୍ରତିନିଧି ମାନଙ୍କ କାର୍ଯ୍ୟକାଳ ଶେଷ ପୂର୍ବରୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଶେଷ ହେବ। ଡିସେମ୍ବର ୨୭ରେ ପଂଚାୟତ ସଂରକ୍ଷଣ ସଂପର୍କିତ ଡ୍ରାଫ୍ଟ ନୋଟିଫିକେସନ୍ ବା ଚିଠା ବିଜ୍ଞପ୍ତି ପ୍ରକାଶ ପାଇବ। ଜିଲ୍ଲାପାଳମାନେ ଏହା ଉପରେ ଆପତ୍ତି/ଅଭିଯୋଗ ଆହ୍ବାନ କରିବେ। ଜାନୁଆରି ୩ ସୁଦ୍ଧା ଆପତ୍ତି ଅଭିଯୋଗ ଦାଖଲ କରାଯିବ। ୫ ଜାନୁଆରି ସୁଦ୍ଧା ଜିଲ୍ଲାପାଳମାନେ ଆପତ୍ତି/ଅଭିଯୋଗ ଉପରେ ନିଷ୍ପତ୍ତି ଗ୍ରହଣ କରିବେ। ଏହାପରେ ଜାନୁଆରି ୭ ତାରିଖ ଦିନ ରାଜ୍ୟ ନିର୍ବାଚନ କମିସନଙ୍କୁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ସଂକ୍ରାନ୍ତରେ ଅବଗତ କରାଯିବ। ଏହା ପରେ ଜାନୁଆରି ୮ରେ ପଞ୍ଚାୟତ ନିର୍ବାଚନ ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ।
ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ନିମନ୍ତେ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ରାଜ୍ୟ କ୍ଷେତ୍ରରେ ଗତ ଡିସେମ୍ବର ୧୭ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ ଆଭିମୁଖ୍ୟ ଗ୍ରହଣ କଲେ, ତାହା ସରକାରଙ୍କ ନିର୍ବାଚନ ଗଣିତକୁ ଓଲଟପାଲଟ କରିଦେଇଥିଲା। ଯଦି କୌଣସି ଅଞ୍ଚଳରେ ପଛୁଆ ବର୍ଗମାନଙ୍କର ଜନସଂଖ୍ୟାର ନିର୍ଦିଷ୍ଟ ତଥ୍ୟ ଉପଲବ୍ଧ ନ ଥିବ, ତେବେ ସେ ଅଞ୍ଚଳରେ ପଛୁଆ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଆସନ ଅଣସଂରକ୍ଷିତ ରହିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଦେଇଥିଲେ। ଫଳରେ ଏବେ ପଞ୍ଚାୟତ ନିର୍ବାଚନରେ ଓବିସିଙ୍କ ପାଇଁ ସଂରକ୍ଷଣ ଆଦୌ ରହିବନାହିଁ ବରଂ ଅନୁସୂଚିତ ଜାତି, ଜନଜାତି ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ ପରେ ବାକି ଆସନ ଅଣ ସଂରକ୍ଷିତ ବା ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ରହିବ।
କୌଣସି ପରିସ୍ଥିତିରେ ସଂରକ୍ଷଣ ସୀମା ୫୦ ପ୍ରତିଶତ ଅତିକ୍ରମ କରିବ ନାହିଁ, ମାତ୍ର ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ, ପ୍ରତି ବର୍ଗଙ୍କୁ ମିଶାଇ ୫୦ ପ୍ରତିଶତ ଆସନରେ ମହିଳା ପ୍ରାର୍ଥୀ ହେବେ। ଆଜିର ନିର୍ବାଚନ ସମ୍ପର୍କିତ ଏହି ବଡ଼ ନିଷ୍ପତ୍ତି ସହିତ ଚଳିତମାସ ଶେଷ ସପ୍ତାହରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ଯେଉଁ ପୂର୍ବାନୁମାନ କରାଯାଉଥିଲା, ତାହା ଜାନୁଆରି ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ଆପାତତଃ ଟଳିଯାଇଛି।
ଉଲ୍ଲେଖ ଯୋଗ୍ୟ ଯେ ୨୦୨୧, ଅକ୍ଟୋବର ୧ରେ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ପକ୍ଷରୁ ପଂଚାୟତ ସଂରକ୍ଷଣ ସଂପର୍କିତ ନିୟମାବଳୀ ଜାରି କରାଯାଇ ପ୍ରକାଶିତ ବିଜ୍ଞପ୍ତିକୁ ଅସାମ୍ବିଧାନିକ ଦର୍ଶାଇ ହାଇକୋର୍ଟରେ ପି.କେ.ବେହେରା ଓ ଅନ୍ୟମାନେ ମାମଲା ଦାୟର କରିଥିଲେ। ଆସନ ସଂରକ୍ଷଣରେ ପରିବର୍ତ୍ତନ (ରୋଟେସନ୍) ପ୍ରସଂଗରେ ଭାରତୀୟ ସମ୍ବିଧାନ, ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ, ଓଡ଼ିଶା ଜିଲ୍ଲା ପରିଷଦ ଆଇନ, ଓଡ଼ିଶା ପଞ୍ଚାୟତ ସମିତି ଆଇନର ଉଲ୍ଲଂଘନ କରାଯାଇଛି ବୋଲି ଅଭିଯୋଗ ହୋଇଥିଲା। ରୋଟେସନ୍ ସର୍କଲ ସଂପୂର୍ଣ୍ଣ ନ କରି କେତେକ ସ୍ଥାନରେ ଆସନ ସଂରକ୍ଷଣ କରାଯାଇଛି ବୋଲି ଅଭିଯୋଗ ହୋଇଥିଲା। ସାରା ରାଜ୍ୟରେ ଏସ୍ସି ଓ ଏସ୍ଟି ଜନସଂଖ୍ୟାକୁ ବିଚାରକୁ ନିଆଯାଇ ଆସନ ସଂରକ୍ଷଣ କରାଯିବା କଥା। କିନ୍ତୁ ଅକ୍ଟୋବର ୧ରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଗ୍ରାମ/ ପଞ୍ଚାୟତ/ ବ୍ଲକ/ ଜିଲ୍ଲାରେ ଏସ୍ସି ଓ ଏସ୍ଟି ଜନସଂଖ୍ୟାକୁ ଭିତ୍ତି କରି ସେମାନଙ୍କ ପାଇଁ ଆସନ ସଂରକ୍ଷଣ କରାଯିବ ବୋଲି କୁହାଯାଇଥିଲା। ଏପରି କରାଯିବା ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନରେ ଥିବା ବ୍ୟବସ୍ଥାକୁ ଉଲ୍ଲଂଘନ କରୁଛି ବୋଲି ମାମଲାରେ ଦର୍ଶାଯାଇଥିଲା। ଏଥି ସହିତ ପଛୁଆ ବର୍ଗଙ୍କ ସଂରକ୍ଷଣ ପ୍ରସଂଗରେ ମଧ୍ୟ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ମାମଲାରେ ଦର୍ଶାଯାଇଥିଲା।
ବୁଧବାର ଦିନ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ଆସନ ସଂରକ୍ଷଣ ପ୍ରସଂଗ ନେଇ ଦାୟର ସମସ୍ତ ମାମଲା ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ଦାୟର ହୋଇଥିଲା। ସରପଞ୍ଚ ପଦ ପାଇଁ ପଛୁଆ ବର୍ଗ (ବ୍ୟାକୱାର୍ଡ କ୍ଲାସେସ୍ ଅଫ୍ ସିଟିଜେନ୍ସ ବା ବିସିସି) ପ୍ରସଂଗରେ ସୁପ୍ରିମକୋର୍ଟ ଚଳିତ ଡିସେମ୍ବର ମାସରେ ପ୍ରଦାନ କରିଥିବା ରାହୁଲ ରମେଶ ୱାଘ ବନାମ ମହରାଷ୍ଟ୍ର ସରକାର ଓ ମନମୋହନ ନାଗର ବନାମ ମଧ୍ୟପ୍ରଦେଶ ସରକାର ମାମଲାର ରାୟ ପ୍ରସଂଗରେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଡକ୍ଟର କେ.କ୍ରିଷ୍ଣମୂର୍ତ୍ତି ଓ ବିକାଶ କିଶନରାଓ ମାମଲାରେ ପ୍ରଦାନ କରାଯାଇଥିବା ରାୟ ମହାରାଷ୍ଟ୍ର ସ୍ଥାନୀୟ ପରିଷଦ ପାଇଁ ଅନୁୁଷ୍ଠିତ ନିର୍ବାଚନ ପାଇଁ ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ ଏଠାରେ କହିଥିଲେ। ପଛୁଆ ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ପୂର୍ବରୁ ‘ଟ୍ରିପଲ ଟେଷ୍ଟ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ପାଳନ କରାଯିବ। ଟ୍ରିପଲ ଟେଷ୍ଟ ଅନୁସାରେ ପ୍ରଥମେ ପଛୁଆବର୍ଗଙ୍କ ସଂପର୍କିତ ତଥ୍ୟ ସଂଗ୍ରହ ପାଇଁ ଏକ କମିସନ୍ ଗଠନ କରାଯିବା କଥା। ଦ୍ବିତୀୟରେ କମିସନଙ୍କ ଅନୁମୋଦନ ଅନୁସାରେ କେତେ ସଂରକ୍ଷଣ ପ୍ରଦାନ କରାଯିବା ଅାବଶ୍ୟକ ତାହା ସ୍ପଷ୍ଟ କରାଯିବ। ତୃତୀୟ ଆବଶ୍ୟକତା େହଉଛି କୌଣସି ପରିସ୍ଥିତିରେ ଏସସି, ଏସଟି ଓ ପଛୁଆ ବର୍ଗ ପାଇଁ ମୋଟ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ। ମହାରାଷ୍ଟ୍ରରେ ପ୍ରଥମ ପଦକ୍ଷେପ ସ୍ବରୂପ ତଥ୍ୟ ସଂଗ୍ରହ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ନଥିଲା। ତେଣୁ ରାଜ୍ୟ ନିର୍ବାଚନ କମିସନଙ୍କୁ ପୂର୍ବ ପ୍ରକାଶିତ ନିର୍ବାଚନ କାର୍ଯ୍ୟସୂଚୀ ଅନୁସାରେ ପଛୁଆ ବର୍ଗ ପ୍ରସଂଗରେ ନ ଆଗେଇବାକୁ କୁହାଯାଇଥିଲା।
ମନମୋହନ ନାଗର ମାମଲାରେ ସୁପ୍ରିମକୋର୍ଟ ପଛୁଆବର୍ଗ ଆସନ ପ୍ରସଂଗରେ ନିର୍ବାଚନ ପ୍ରକ୍ରିୟା ଉପରେ ଅଙ୍କୁଶ ଜାରି କରିଥିଲେ ଓ ପରବର୍ତ୍ତୀ ସମୟରେ ଏଭଳି ଆସନ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଦର୍ଶାଇ ସାନି ବିଜ୍ଞପ୍ତି ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଓଡ଼ିଶାରେ ପଛୁଆ ବର୍ଗଙ୍କ ପାଇଁ ଟ୍ରିପଲ ଟେଷ୍ଟର ପ୍ରଥମ ବ୍ୟବସ୍ଥା ଅନୁସାରେ ଏକ କମିସନ ଗଠନ କରାଯାଇଥିବା ନେଇ ରାଜ୍ୟ ସରକାରଙ୍କ ତଥ୍ୟରୁ ସ୍ପଷ୍ଟ ହୋଇଥିଲା। କିନ୍ତୁ ଦ୍ବିତୀୟ ଟେଷ୍ଟ ଅନୁସାରେ ତଥ୍ୟ ସଂଗ୍ରହ ପରେ କେତେ ପ୍ରତିଶତ ଆସନ ସଂରକ୍ଷଣ କରାଯିବ ସେ ନେଇ କମିସନଙ୍କ ଅନୁମୋଦନ ଏ ପର୍ଯ୍ୟନ୍ତ ମିଳି ପାରି ନାହିଁ। ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଆଗାମୀ ନିର୍ବାଚନରେ ଓଡ଼ିଶାରେ ସରପଞ୍ଚ ପଦ ପାଇଁ ପଛୁଆ ବର୍ଗଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା କରାଯାଇ ପାରି ନାହିଁ। ଏଭଳି ସ୍ଥିତିରେ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ, ୨୦୨୨ ନିର୍ବାଚନ ପାଇଁ ସରକାର ପୁଣି ଡ୍ରାଫ୍ଟ ନୋଟିଫିକେସନ୍ ଉପରେ କାର୍ଯ୍ୟ କରିବା ନିହାତି ଦରକାର ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ହାଇକୋର୍ଟରେ ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ସରପଞ୍ଚ ପଦ ପାଇଁ ଏସସି, ଏସଟିଙ୍କ ଲାଗି ସଂରକ୍ଷଣ ପ୍ରସଂଗରେ ମଧ୍ୟ ପୁଣି ସାନି ନିଷ୍ପତ୍ତି ନେବାକୁ ସ୍ଥିର କରାଯାଇଛି ବୋଲି ଦର୍ଶାଯାଇଥିଲା। ଓଜିପି ଆଇନର ଧାରା ୧୦(୫)(କ) ଆଇନ ଅନୁସାରେ ଏହି କାର୍ଯ୍ୟ କରାଯିବ। ଏଭଳି ସ୍ଥିତିରେ ସରକାର ସାନି ଡ୍ରାଫ୍ଟ ନୋଟିଫିକେସନ୍ ପଞ୍ଚାୟତରାଜ ଅନୁଷ୍ଠାନ ପାଇଁ ଆଣିବେ ବୋଲି ହାଇକୋର୍ଟଙ୍କୁ କହିଥିଲେ। ଚୂଡାନ୍ତ ବିଜ୍ଞପ୍ତି ପୂର୍ବରୁ ଏହି ପ୍ରସଂଗରେ ସାନି ଅନୁଶୀଳନ କରାଯିବ ବୋଲି ସରକାର କହିବା ପରେ ହାଇକୋର୍ଟ ଆଜି ଏ ସଂପର୍କିତ ସମସ୍ତ ମାମଲାର ଶୁଣାଣିରେ ଅନ୍ତ ଘଟାଇଛନ୍ତି। ଭବିଷ୍ୟତରେ ଆବେଦନକାରୀ ଚାହିଁଲେ ସାନି ଆବେଦନ ଦାୟର କରି ପାରିବେ ବୋଲି ହାଇକୋର୍ଟ କହିଛନ୍ତି। ନିର୍ବାଚନ ଚୂଡାନ୍ତ ବିଜ୍ଞପ୍ତି ସଂକ୍ରାନ୍ତରେ ସାନି ତାରିଖ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ନିର୍ବାଚନ କମିସନଙ୍କ ତରଫରୁ ଦର୍ଶାଯାଇଥିଲା।
ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା, ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର, ବିଦ୍ୟାଧର ମିଶ୍ର, ଆଇନଜୀବୀ ସୁକାନ୍ତ କୁମାର ଦଳାଇ ଓ ରାଜ୍ୟ ନିର୍ବାଚନ କମିସନଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ମାମଲା ପରିଚାଳନା କରୁଛନ୍ତି।
The post ପଂଚାୟତ ନିର୍ବାଚନ ପ୍ରସଙ୍ଗ: ହାଇକୋର୍ଟଙ୍କ ରାୟ ପରେ ବଦଳିଲା ଚିତ୍ର, ରହିବନି ଓବିସି ସଂରକ୍ଷଣ first appeared on Sambad.from ରାଜନୀତି | Sambad https://ift.tt/3sIIjdx
0 Comments