ଭୁବନେଶ୍ବର : ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟର ମିଲର୍ସମାନେ ୫ଶହ କୋଟି ଟଙ୍କାର ଚାନ୍ଦା ବିଜେଡିକୁ ଦେବା ଲାଗି ମିଲର୍ସ ସଂଗଠନମାନଙ୍କୁ କୁହାଯାଇଛି। ଏଥିପାଇଁ ପ୍ରାକ୍ ପ୍ରସ୍ତୁତି ଶେଷ ହୋଇଥିବା ଅଭିଯୋଗ କରିଛନ୍ତି ରାଜ୍ୟ ବି‌ଜେପି କୃଷକ ମୋର୍ଚା ସଭାପତି ପ୍ରଦୀପ ପୁରୋହିତ।

ଶ୍ରୀ ପୁରୋହିତ କହିଛନ୍ତି ଯେ ଚାଷୀମାନଙ୍କୁ କେନ୍ଦ୍ର ଦେବାକୁ ଥିବା ୨୦ହଜାର କୋଟି ଟଙ୍କା ଉପରେ ରାଜ୍ୟ ସରକାର ଓ ମିଲର୍ସଙ୍କ ଆଖି ପଡ଼ିଛି। ଗତଥର ରାଜୃରେ ୫୯ଶହ ମଣ୍ଡି ଖୋଲିଥିବା ବେଳେ ଚଳିତ ଋତୁ ପାଇଁ ଏବେ ସୁଦ୍ଧା ୧୧ରୁ ଅଧିକ ଜିଲ୍ଲାରେ ଗୋଟିଏ ହେଲେ ମଣ୍ଡି ଖୋଲି ନାହିଁ। ରାଜ୍ୟରେ ମାତ୍ର ୧୮ଶହ ମଣ୍ଡି ଖୋଲିଛି। ମଣ୍ଡି ନ ଖୋଲିବା କାରଣରୁ ଚାଷୀ ଅଭାବୀ ବିକ୍ରିର ଶିକାର ହୋଇ ଧାନ କ୍ବିଣ୍ଟାଲ ପିଛା ୯୦୦-୧୦୦୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ପ୍ରତି କ୍ବିଣ୍ଟାଲରେ ୨ଶହ ଟଙ୍କା ହିସାବରେ ଚାଷୀଙ୍କ ଟୋକନ କିଣୁଛନ୍ତି ମିଲର୍ସ। ଆରଏମସି ଓ ସମବାୟ ବିଭାଗର ଷଡ଼ଯନ୍ତ୍ରର ଶିକାର ହୋଇ ଚାଷୀ ମଣ୍ଡିକୁ ଧାନ ନ ନେଇ ସିଧାସଳଖ ମିଲର୍ସ ପାଖରେ ପହଞ୍ଚାଉଛି। ଟୋକନ ଅବ୍ୟବସ୍ଥା କାରଣରୁ ମିଲର୍ସ, ଆରଏମ୍‌ସି ଓ ପାକ୍ସ ଅଧିକାରୀମାନେ ମଧୁଚିନ୍ଦ୍ରିକା କରି ବ୍ୟାପକ ଅର୍ଥ ହରିଲୁଟ୍‌ କରୁଛନ୍ତି।

ଗତ ମାର୍ଚ ମାସରେ ରାଜ୍ୟ ବିଜେପି ସାଂସଦମାନେ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟି ରାଜ୍ୟରେ ଧାନ କିଣାବିକାର ଅବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା କରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦେଶରେ କେନ୍ଦ୍ର ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଓ ଏଫ୍‌ସିଆଇ ଅଧିକାରୀମାନେ ରାଜ୍ୟର ବିଭିନ୍ନ ମଣ୍ଡିକୁ ଯାଇ ତଦନ୍ତ କରି ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦେଇଥିଲେ। ପୁଣିଥରେ ରାଜ୍ୟ ସାଂସଦମାନେ ଧାନ କିଣାବିକାର ଅବ୍ୟବସ୍ଥା ସଂପର୍କରେ ଶ୍ରୀ ଗୋଏଲଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ବୃହତର ସ୍ବାର୍ଥ ଦୃଷ୍ଟିରୁ କେନ୍ଦ୍ର ହସ୍ତ‌େକ୍ଷେପ କରିବା ପାଇଁ ଅନୁରୋଧ କରିଛନ୍ତି। କମ୍ ଦାମରେ ଧାନ କିଣିଲେ ମିଲର୍ସମାନଙ୍କୁ ଗିରଫ କରାଯିବ ବୋଲି ରାଜ୍ୟ ଯୋଗାଣ ମନ୍ତ୍ରୀ ଦେଇଥିବା ବକ୍ତବ୍ୟରୁ ଧାନ କିଣିବାର ସଂପୂର୍ଣ୍ଣ ଦାୟିତ୍ବ ମିଲର୍ସମାନେ ନେଇଥିବା ପରୋକ୍ଷରେ ସ୍ବୀକାର କରିଥିବା ଶ୍ରୀ ପୁରୋହିତ କହିଛନ୍ତି। ଏହି ଅବସରରେ କୃଷକ ମୋର୍ଚା ରାଜ୍ୟ ଉପସଭାପତି ରଂଜନ ମଙ୍ଗରାଜ, କାମାକ୍ଷା ପ୍ରଧାନ ଓ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

The post ସାଂଘାତିକ ଅଭିଯୋଗ ଆଣିଲା ବିଜେପି: ନିର୍ବାଚନ ପାଇଁ ମିଲର୍ସଙ୍କଠାରୁ ୫ଶହ କୋଟି ଚାନ୍ଦା‌‌ ନେବ ବିଜେଡି first appeared on Sambad.

from ରାଜନୀତି | Sambad https://ift.tt/30XA41v