ଭୁବନେଶ୍ବର : ବିଧାନସଭା ପରିସରରେ ବିରୋଧୀ ବିଜେପି ଓ କଂଗ୍ରେସ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ସରକାରଙ୍କୁ ଘେରୁଥିଲା ବେଳେ ବିଜେଡି କେନ୍ଦ୍ର ବିରୋଧରେ ରଣହୁଙ୍କାର ଦେଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାରଙ୍କ ଉପେକ୍ଷା ଅଭିଯୋଗ କରି ବିଜେଡି ବିଧାୟକମାନେ ବୁଧବାର ପୂର୍ବାହ୍ନରେ ବିଧାନସଭାରୁ ପଦଯାତ୍ରାରେ ରାଜଭବନ ଯାଇଥିଲେ। ସେଠାରେ ବିଧାୟକମାନଙ୍କର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ।

ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ଏହି ପ୍ରସଙ୍ଗରେ ଗଣଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ। କେନ୍ଦ୍ର ସରକାର ଓ ବିଜେପିକୁ ଟାର୍ଗେଟ୍‌ କରି ବିଜେଡି ପକ୍ଷରୁ କୁହାଯାଇଥିଲା ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଓଡ଼ିଶାର ଲକ୍ଷ ଲକ୍ଷ ଲୋକଙ୍କୁ ବଞ୍ଚିତ କରିବା ପାଇଁ ବିଜେପି ହୀନ ରାଜନୀତି କରୁଛି। କେନ୍ଦ୍ର ସରକାର କ୍ରମାଗତ ଭାବେ ରାଜ୍ୟକୁ ଉପେକ୍ଷା କରି ଚାଲିଛନ୍ତି। ଏହି ଯୋଜନାରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାକୁ ଯଥେଷ୍ଟ କମ୍ ସଂଖ୍ୟକ ଗୃହ ମଞ୍ଜୁର ହୋଇଥିବା ବେଳେ ଏଥି ପାଇଁ ଆବଶ୍ୟକ ଅର୍ଥ ମଧ୍ୟ ପ୍ରଦାନ କରାଯାଉ ନାହିଁ। ରାଜ୍ୟର କେବିକେ ସମେତ ୧୬ଟି ଜିଲ୍ଲାର ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବା ପାଇଁ ୬ ଲକ୍ଷ ୭ ହଜାର ‌ଯୋଗ୍ୟ ହିତାଧିକାରୀଙ୍କୁ ରାଜ୍ୟ ସରକାର ଚିହ୍ନଟ କରିଥିଲେ। ମାତ୍ର କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଜିଓ ଟ୍ୟାଗିଂ ଲାଗି ଆୱାସ୍‌ ପ୍ଲସ୍‌ ପୋର୍ଟାଲ୍‌ ୱିଣ୍ଡୋ ବନ୍ଦ କରିଦେବାରୁ ଏହି ଯୋଗ୍ୟ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇପାିରଲେନାହିଁ। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ବାରମ୍ବାର ଚିଠି ‌ଲେଖି ଅନୁରୋଧ କରିଥିଲେ ମଧ୍ୟ କେନ୍ଦ୍ର ସରକାର କର୍ଣ୍ଣପାତ କରିନାହାନ୍ତି।

ଦଳ ପକ୍ଷରୁ ଆହୁରି କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟକାରିତାରେ ଓଡ଼ିଶା ସର୍ବଭାରତୀୟ ସ୍ତରରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ପ୍ରଶଂସା ସାଉଁଟିଛି। ଏହି ଯୋଜନାରେ ଓଡ଼ିଶାକୁ ୧,୭୭,୫୨୮ ଘର ମଞ୍ଜୁର ହୋଇଥିଲା ବେଳେ ରାଜ୍ୟ ସରକାର ଏ ଯାଏ ୯୮,୨୦୩ ଘର ନିର୍ମାଣ କରିସାରିଛନ୍ତି। ଏପରିକି ସଂସଦର ଷ୍ଟାଣ୍ଡିଂ କମିଟି ଓଡ଼ିଶା ମଡେଲ୍‌କୁ ପ୍ରଶଂସା କରିଛନ୍ତି। ମାତ୍ର ବିଜେପି ଏହାକୁ ସହିପାରୁ ନାହିଁ। ଓଡ଼ିଶା ସରକାରଙ୍କ ବିରୋଧରେ ମିଥ୍ୟା ଅଭି‌ଯୋଗ ଆଣି ହୀନ ରାଜନୀତି କରୁଛି। ରାଜ୍ୟ ସରକାର ତାଲିକା ଦେଇପାରୁ ନାହାନ୍ତି ବୋଲି ରାଜ୍ୟ ବିଜେପି ନେତାମାନେ ବାରମ୍ବାର ମିଛ କହି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। କେନ୍ଦ୍ର ସରକାର ମଧ୍ୟ ପାତର ଅନ୍ତର କରି ବିଜେପି ଶାସିତ ରାଜ୍ୟଗୁଡ଼ିକୁ ଏହି ଯୋଜନାରେ ଅଧିକ ଘର ମଞ୍ଜୁର କରୁଥିଲା ବେଳେ ଓଡ଼ିଶାକୁ ଉପେକ୍ଷା କରୁଛନ୍ତି। କେନ୍ଦ୍ର ସରକାରଙ୍କ ଏହି ବୈମାତୃକ ମନୋଭାବ ଓ ଚରମ ଅବହେଳା ବିରୋଧରେ ଆଗାମୀ ଦିନରେ ଆନ୍ଦୋଳନ ଜୋର୍‌ଦାର କରାଯିବ ବୋଲି ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି।

The post ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ରର ଉପେକ୍ଷା ଅଭିଯୋଗ: ପଦଯାତ୍ରାରେ ରାଜଭବନ ଗଲେ ବିଜେଡି ବିଧାୟକ first appeared on Sambad.

from ରାଜନୀତି | Sambad https://ift.tt/3rwX56j