
ପାନାଜୀ : ଗୋଆ କଂଗ୍ରେସକୁ ଆଜି ଶକ୍ତ ଝଟ୍କା ଲାଗିଛି। ଗୋଆ କଂଗ୍ରେସରୁ ଆଜି ୨୦ରୁ ଅଧିକ କାର୍ଯ୍ୟକର୍ତ୍ତା ଇସ୍ତଫା ଦେଇଛନ୍ତି। ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଆଜି ଗୋଆ ଗସ୍ତରେ ଥିବାବେଳେ ଏତେ ସଂଖ୍ୟାରେ ନେତା ଆଜି ହିଁ ଇସ୍ତଫା ଦେଇଦେବା ଦ୍ବାରା କଂଗ୍ରେସକୁ ଶକ୍ତ ଝଟ୍କା ଲାଗିଛି। ଗୋଆର ପର୍ବୋରିମ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରାୟ ୧୦ ଜଣ ନେତା ଆଜି ସକାଳେ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେଇଥିବା ନେତାମାନେ ସ୍ବାଧୀନ ବିଧାୟକ ରୋହନ ଖୌନ୍ତେଙ୍କୁ ସମର୍ଥନ କରନ୍ତି।
ସେମାନେ ଦାବି କରିଛନ୍ତି ଯେ, କଂଗ୍ରେସ ଆଗାମୀ ବିଧାନସଭା ନିର୍ବାଚନକୁ ଆଦୌ ଗୁରୁତ୍ବର ସହ ନେଉନାହିଁ। ଆଜି ଇସ୍ତଫା ଦେଇଥିବା ଜଣେ ପୂର୍ବତନ ପଞ୍ଚାୟତ ଅଧ୍ୟକ୍ଷ ଗୁପେଶ ନାଏକ କହିଛନ୍ତି, କଂଗ୍ରେସ ନିର୍ବାଚନରେ ଆଦୌ ଆଗ୍ରହ ଦେଖାଉନାହିଁ। ରାଜ୍ୟର ଦକ୍ଷିଣ ଅଂଶରେ ବରିଷ୍ଠ ନେତା ମୋରେନୋ ରିବେଲୋ ମଧ୍ୟ ଇସ୍ତଫା ଦେଇଛନ୍ତି। କଂଗ୍ରେସ କର୍ଟୋରିମ ବିଧାୟକ ଆଲେକ୍ସିଓ ରେଗିନାଲ୍ଡୋଙ୍କୁ ପ୍ରାର୍ଥି କରିଥିବାରୁ ମୋରେନୋ ଏହାକୁ ବିରୋଧ କରିଛନ୍ତି। ଆଗାମୀ ନିର୍ବାଚନ ପାଇଁ କଂଗ୍ରେସ ଜିଏଫ୍ପି (ଗୋଆ ଫରୱାର୍ଡ ପାର୍ଟି) ସହ କିଭଳି ବୁଝାମଣା କରିଛି ସେନେଇ ଅନେକ ନେତା ଦ୍ବନ୍ଦ୍ବରେ ଅଛନ୍ତି। ଏଆଇସିସି ଗୋଆପ ପ୍ରଭାରୀ ପି ଚିଦମ୍ବରମ ଗତକାଲି କହିଥିଲେ ଜିଏଫ୍ପି କେବଳ କଂଗ୍ରେସକୁ ସମର୍ଥନର ହାତ ବଢ଼ାଇଛି। କିନ୍ତୁ ଏହା ମେଣ୍ଟ କି ନା’ ସେ ଅସ୍ପଷ୍ଟ ରଖିଥିଲେ।
ଅନ୍ୟପକ୍ଷେ ବରିଷ୍ଠ କଂଗ୍ରେସ ନେତା ଦିନେଶ ଗୁଣ୍ଡୁ ରାଓ ଆସନ୍ତାକାଲି ଜିଏଫ୍ପି ସହ ଏକ ବୈଠକ ରଖିଛନ୍ତି। ତେବେ କଂଗ୍ରେସର ଏହି କାର୍ଯ୍ୟକୁ ନେଇ ଦ୍ବନ୍ଦ୍ବ ବଢ଼ିଥିବାବେଳେ ଆଜି ଅନେକ ସଂଖ୍ୟାରେ ନେତା ଦଳ ଛାଡ଼ିବା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଗତ ମଙ୍ଗଳବାର ଦିନ ବରିଷ୍ଠ ନେତା ରବି ନାଏକ ଇସ୍ତଫା ଦେଇଥିଲେ। ସେ ପୁଣିଥରେ ୧୯ ବର୍ଷ ପରେ ବିଜେପିରେ ଯୋଗ ଦେଇଛନ୍ତି। ଅନ୍ୟପକ୍ଷେ ଗତ ସେପ୍ଟେମ୍ବରରେ କଂଗ୍ରେସ ଛାଡ଼ିଥିବା ଲୁଇଜିହ୍ନୋ ଫାଲେରିଓ ଟିଏମ୍ସିରେ ଯୋଗ ଦେଇଛନ୍ତି।
The post ପ୍ରିୟଙ୍କାଙ୍କ ଗସ୍ତ ଦିନ ଇସ୍ତଫାର ସୁଅ: ଗୋଆରେ କଂଗ୍ରେସକୁ ଶକ୍ତ ଝଟ୍କା first appeared on Sambad.from ରାଜନୀତି | Sambad https://ift.tt/31OB8F1
0 Comments