
ଫୁଲବାଣୀ : କନ୍ଧମାଳରେ ସୋମବାର ମମିତା ମେହେର ହତ୍ୟାକାଣ୍ଡର ତାତି ଦେଖିବାକୁ ମିଳିଥିଲା। ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଉଭୟ କଂଗ୍ରେସ ଓ ବିଜେପି କର୍ମୀମାନେ ପୃଥକ୍ ପୃଥକ୍ ସ୍ଥାନରେ କଳାପତାକା ପ୍ରଦର୍ଶନ କରିବା ସହ ତାଙ୍କ ଗାଡ଼ିକୁ ଅଟକାଇଥିଲେ। ଏହି ସମୟରେ ବିଜେଡି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।
ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କନ୍ଧମାଳ କାର୍ଯ୍ୟକମରେ ଯୋଗଦେବା ପାଇଁ ଅନ୍ୟମାନଙ୍କ ସହ ମନ୍ତ୍ରୀ ଶ୍ରୀ ଜେନା ଏଠାକୁ ଆସିଥିଲେ। ମୁଖ୍ୟମନ୍ତ୍ରୀ ପହଞ୍ଚିବାର କିଛି ସମୟ ପୂର୍ବରୁ ଫୁଲବାଣୀ ସହର ନାରାୟଣୀ ରୋଡ୍ ନିକଟରେ ମନ୍ତ୍ରୀଙ୍କୁ କଂଗ୍ରେସ କର୍ମୀମାନେ କଳାପତାକା ପ୍ରଦର୍ଶନ କରିବା ସହ ତାଙ୍କ ଗାଡ଼ିକୁ ଅଟକାଇଥିଲେ। କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଏଆଇସିସି ସଦସ୍ୟ ତଥା ଶ୍ରମିକ ନେତା ଘନ କୁମାର ଶବର ଏବଂ ଜିଲ୍ଲା ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢୀଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସାଙ୍ଗକୁ କଳାପତାକା ପ୍ରଦର୍ଶନ କରାଯାଇଥିଲା। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସାମିଲ ହୋଇ ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ଦିଗାଳ, ପ୍ରଫୁଲ କୁମାର ବେହେରା, ତ୍ରିନାଥ ବେହେରା, ଗଜେନ୍ଦ୍ର କହଁର, ସୁବ୍ରତ ବେହେରା, ପଞ୍ଚାନନ ବେହେରା, କିଷାନ ବେହେରା, ନଗର କଂଗ୍ରେସ ସଭାପତି ଶିବଶଙ୍କର ବେହେରା, ସଂସାର ଭୋଇ, ହେମନ୍ତ କର, ହୃଷୀକେଶ ବେହେରା, ରାଜା ମହାନନ୍ଦିଆ ପ୍ରମୁଖ ମନ୍ତ୍ରୀ ଶ୍ରୀଜେନାଙ୍କୁ କଳାପତାକା ପ୍ରଦର୍ଶନ କରିଥିଲେ। ଫଳରେ କଂଗ୍ରେସ କର୍ମୀ ଓ ବିଜେଡ଼ି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୁଲିସ ଏଥିରେ ହସ୍ତକ୍ଷେପ କରି କଂଗ୍ରେସର ୫୦ରୁ ଅଧିକ କର୍ମୀଙ୍କୁ ଗିରଫ କରିଛି।
ସେହିଭଳି ମାଦିକୁନ୍ଦା ଛକରେ ଶତାଧିକ ବିଜେପି କର୍ମୀମାନେ ମଧ୍ୟ ମନ୍ତ୍ରୀ ଶ୍ରୀ ଜେନାଙ୍କୁ କଳାପତାକା ପ୍ରଦର୍ଶନ କରିଥିଲେ। ‘ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ଗିରଫ କରିବା ସହ ମୁଖ୍ୟମନ୍ତ୍ରୀ କନ୍ଧମାଳ ଛାଡ଼ି ଚାଲି ଯାଆନ୍ତୁ’ ବୋଲି ଉଭୟ କଂଗ୍ରେସ ଓ ବିଜେପି କର୍ମୀମାନେ ନାରା ଦେଇଥିଲେ। ‘ନବୀନ ପଟ୍ଟନାୟକ ଗୋ ବ୍ୟାକ୍’ ସ୍ଲୋଗାନରେ ମାଦିକୁନ୍ଦା ଛକ ଏବଂ ନାରାୟଣୀ ରୋଡ ପ୍ରକମ୍ପିତ ହୋଇ ଉଠିଥିଲା। ମନ୍ତ୍ରୀଙ୍କୁ କଳାପତାକା ଦେଖାଇବା ଫଳରେ ଫୁଲବାଣୀ ପୁଲିସ ବିଜେପିର ୪୨ କର୍ମୀଙ୍କୁ ମଧ୍ୟ ଅଟକ ରଖିଥିଲା। ଜିଲ୍ଲା ବିଜେପି ଉପସଭାପତି ବନ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭଗବାନ ମହାନ୍ତି, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମିତାରାଣୀ ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ଲିଙ୍ଗରାଜ ଦଳବେହେରା, ମହିଳା ମୋର୍ଚ୍ଚା ସମ୍ପାଦିକା ରାଜକୁମାରୀ ବେହେରା, ଜିଲ୍ଲା ଉପ ସଭାନେତ୍ରୀ ନମିତା ସାହୁ, ଦେବ ନାରାୟଣ ପ୍ରଧାନ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଗୋଲକ କହଁର, ସୁଧାଂଶୁ ଗୁରୁ, ଟିକୁ ସାହୁ, ଆଦିତ୍ୟ କହଁର, ଅନନ୍ତ ଦିଗାଲ, ସମୀର ବେହେରା, ସତ୍ୟ ନାରାୟଣ ବେହେରା ପ୍ରମୁଖ ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରିଥିଲେ।
The post ଫୁଲବାଣୀରେ ମମିତା ମେହେର ତାତି: ମନ୍ତ୍ରୀ ପ୍ରତାପଙ୍କୁ କଳାପତାକା ପ୍ରଦର୍ଶନ first appeared on Sambad.from ରାଜନୀତି | Sambad https://ift.tt/3DIAmHD
0 Comments