
ଭୁବନେଶ୍ୱର : ପଞ୍ଚାୟତ ଓ ପୌର ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜଧାନୀରେ ବିଜେଡି ରାଜନୀତି ଏବେ ଚଳଚଞ୍ଚଳ ହୋଇଉଠିଛି। ୱାର୍ଡସ୍ତରରେ ବିଜେଡିର ଆଶାୟୀ ପ୍ରାର୍ଥୀମାନେ ନିଜର ଶକ୍ତି ପ୍ରଦର୍ଶନ କରି ନେତାଙ୍କ ଆସ୍ଥା ଭାଜନ ହେବାକୁ ଟିକିଏ ବି ମଉକା ଛାଡ଼ୁନାହାନ୍ତି। ସୋମବାର ଭୁବନେଶ୍ବର ବିଜେଡିର ୩ଟି ପ୍ରତିବାଦ ସଭାରେ ଏହା ଦେଖିବାକୁ ମିଳିଥିଲା। ଦିନେ କାଳେ ଦେଖା ମିଳୁ ନ ଥିବା କିଛି ବିଜେଡି ଛାମୁଆଁଙ୍କୁ ଆଜିର ପ୍ରତିବାଦ ସଭାରେ ଦେଖିବାକୁ ମିଳିଥିଲା। ୱାର୍ଡରେ ଦବ୍ଦବା ପ୍ରଦର୍ଶନ କରିବାକୁ ଅଧିକ ସଂଖ୍ୟାରେ କର୍ମୀଙ୍କୁ ଧରି କିଛି ନେତା ସଭା, ଶୋଭାଯାତ୍ରା ମଧ୍ୟ କରିଥିଲେ। କିଏ ନିଜ ୱାର୍ଡରୁ ୩ କିମି ଧରି ଶୋଭାଯାତ୍ରା କରି ସଭା ସ୍ଥଳରେ ପହଞ୍ଚିଥିଲା ତ ଆଉ କିଏ ସାଧାରଣ ଲୋକଙ୍କୁ ଗାଡ଼ିରେ ବୋହି ଆଣି ସଭା ନିକଟରେ ଛାଡ଼ିଥିଲେ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପ୍ରତିବାଦ ସଭା ସ୍ଥଳରେ ପୂର୍ବତନ କର୍ପୋରେଟରଙ୍କ ଅଧିକ ଦବଦବା ରହିଥିଲା। ସଭା ପରିଚାଳନା ସହ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସମସ୍ତେ ଲାଗିପଡ଼ିଥିଲେ। ମହିଳା କର୍ପୋରେଟର ଆଶାୟୀମାନେ ତ ୪ ଘଣ୍ଟା ଧରି ଚୁଲି କୁଣ୍ଢେଇ ବସି ରହିଥିଲେ। ଧୂଆଁରେ ଆଖି ପୋଡ଼ୁଥିଲେ ମଧ୍ୟ ଟିକିଏ ବି ହଲୁ ନ ଥିଲେ। ବରଂ ଚୁଲିରେ କିରୋସିନ୍ ଢ଼ାଳି ଜାଳ ଜାଳି ଚାଲିଥିଲେ। ଉତ୍ତର ନିର୍ବାଚନମଣ୍ଡଳୀର ଆଶାୟୀ ଜୟଦେବ ବିହାର-ନନ୍ଦନକାନନ ରାସ୍ତାପାର୍ଶ୍ବରେ ଚୁଲି ଜାଳି ସାରା ଅଞ୍ଚଳକୁ ଧୂଆଁ ମୟ କରିଦେଇଥିଲେ। ଆଉ ମଧ୍ୟ ନିର୍ବାଚନ ମଣ୍ଡଳୀର ଆଶାୟୀମାନେ ତ ଗ୍ୟାସ୍ ସିଲିଣ୍ଡରକୁ କୋକେଇର ବୋହି ନେଉଥିବାର ଅଭିନବ ଦୃଶ୍ୟ ସାମ୍ନାକୁ ଆସିଥିଲା। ମହିଳାମାନେ ଭାଷଣ ଦେବା ସମୟରେ ସବୁ ସୀମା ଟପିଯାଇଥିଲେ। ନିର୍ବାଚନମଣ୍ଡଳୀ ବିଧାୟକ ତଥା ବରିଷ୍ଠ ନେତାଙ୍କୁ ଖୁସି କରିବାକୁ ଆଶାୟୀମାନେ ‘ମାନନୀୟ’, ‘ମଉଡମଣି’, ‘ନିର୍ବାଚନମଣ୍ଡଳୀର ସାହା ଭରସା’ ପରି ଶବ୍ଦ ବ୍ୟବହାର କରୁଥିବା ଶୁଣିବାକୁ ମିଳିଥିଲା। ଏକାମ୍ର ନିର୍ବାଚନମଣ୍ଡଳୀ ଆନ୍ଦୋଳନକୁ ତ ପୂର୍ବତନ କର୍ପୋରେଟରମାନେ ପରିଚାଳନା କରିଥିଲେ।

ଫଟୋ ସେସନ୍ରେ ବି ଆଶାୟୀମାନେ ଆଗକୁ ଆସିବାକୁ ଉଦ୍ୟମ କରିଥିଲେ। କିଏ ବିଧାୟକଙ୍କ କେତେ ନିକଟତର, ତାହା ଦେଖାଇ ହେବାକୁ ଚେଷ୍ଟା କରିଥିଲେ। ଖାଦ୍ୟପେୟ କଥା ନ କହିବା ଭଲ। ଶୋଭାଯାତ୍ରାରେ ଆସିଥିବା କର୍ମୀମାନଙ୍କୁ ବିଜେଡି ଆଶାୟୀ କର୍ପେରେଟର ପ୍ରାର୍ଥୀମାନେ ସୁସ୍ବାଦୁ ଖାଦ୍ୟ ପରସି ଦେଇଥିଲେ। ଯାଚିଯାଚି ଖୁଆଉଥିଲେ। ଲାଗୁଥିଲା ସତେ ଯେମିତି ଏମାନଙ୍କ ପଛରେ ବହୁ ଜନସମର୍ଥନ ରହିଛି। ଆଗକୁ ଏହି ଆଶାୟୀମାନେ ହିଁ ଟିକେଟ୍ ପାଇବେ। ଆଗକୁ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାରୁ ଏକାମ୍ର ଓ ଉତ୍ତରର ଆଶାୟୀ ସରପଞ୍ଚ ଓ ସମିତି ସଭ୍ୟମାନେ ମଧ୍ୟ ଆଜିର ପ୍ରତିବାଦ ସଭାରେ ସାମିଲ ହୋଇ ଶକ୍ତି ପ୍ରଦର୍ଶନ କରିବାକୁ ପଛାଇ ନ ଥିଲେ।
The post ଶକ୍ତି ଦେଖାଇଲେ ବିଜେଡି ଆଶାୟୀ first appeared on Sambad.from ରାଜନୀତି | Sambad https://ift.tt/2ZePNsj
0 Comments