
ନୂଆଦିଲ୍ଲୀ: ଗତ ବିଳମ୍ବିତ ରାତ୍ରରେ ମେଘାଳୟର ସମୁଦାୟ ୧୭ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ୍ ସଙ୍ଗ୍ମା ଏବଂ ଅନ୍ୟ ୧୧ଜଣ ‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେଇଛନ୍ତି। ଏ ସଂକ୍ରାନ୍ତରେ ମେଘାଳୟର ବିଧାୟକମାନେ ବିଧାନସଭା ବାଚସ୍ପତି ମେତବା ଲିଙ୍ଗଦୋହଙ୍କୁ ଲେଖି ଜଣାଇସାରିଛନ୍ତି।
ସୂଚନାଯୋଗ୍ୟ, ମେଘାଳୟ ବିଧାନସଭାରେ ସମୁଦାୟ ୬୦ଟି ଆସନ ରହିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ୍ ସଙ୍ଗ୍ମା ଏବଂ କଂଗ୍ରେସର ରାଜ୍ୟ ସଭାପତି ଭିନ୍ସେଣ୍ଟ୍ ଏଚ୍. ପଲ୍ଙ୍କୁ ଗତ ମାସରେ ରାହୁଲ୍ ଗାନ୍ଧୀ ଭେଟି ସେମାନଙ୍କ ଦାବି ସଂକ୍ରାନ୍ତରେ ଆଲୋଚନା କରିବା ପରେ ଗତରାତିରେ ଉପରୋକ୍ତ ଘଟଣା ଘଟିଛି। ଭିନ୍ସେଣ୍ଟ୍ ଏଚ୍. ପାଲାଙ୍କୁ ମେଘାଳୟ କଂଗ୍ରେସ ୟୁନିଟ୍ର ମୁଖ୍ୟ ଭାବେ ନିଯୁକ୍ତି ମିଳିବା ସମୟରୁ ତାଙ୍କ ସହ କଂଗ୍ରେସ ବିଧାୟକ ଦଳର ନେତା ମୁକୁଲ୍ ଏମ୍. ସଙ୍ଗ୍ମାଙ୍କ ଭଲ ପଡୁନଥିଲା। ପାଲାଙ୍କୁ ନିଯୁକ୍ତି କରିବା ପ୍ରସଙ୍ଗରେ ଦଳୀୟ ନେତୃତ୍ବ ତାଙ୍କ ସହ ବିଚାରବିମର୍ଶ କରି ନ ଥିବା କଥା ମଧ୍ୟ ସଙ୍ଗ୍ମା କହିଥିଲେ। କିନ୍ତୁ, ଗତ ଶନିବାର ଦିନ ଦୁଇ ନେତା ଏକତ୍ର ହୋଇ ଆଗାମୀ ଉପନିର୍ବାଚନ ପାଇଁ ମିଳିତଭାବେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ।
ପ୍ରାପ୍ତ ସୂଚନା ଅନୁସାରେ, ‘ତୃଣମୂଳ କଂଗ୍ରେସ’ ତରଫରୁ ପ୍ରଶାନ୍ତ କିଶୋରଙ୍କ ଟିମ୍ ମେଘାଳୟ କଂଗ୍ରେସ ନେତାମାନଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ, ‘ତୃଣମୂଳ କଂଗ୍ରେସ’ର ଅଫର୍ ସଂକ୍ରାନ୍ତରେ ନିରବ ରହିଥିଲେ।
ସୂଚନାଯୋଗ୍ୟ, ଗତ ଦୁଇ ମାସ ହେବ ‘ତୃଣମୂଳ କଂଗ୍ରେସ’ ସମ୍ପ୍ରସାରିତ ହୋଇ ଚାଲିଛି ଏବଂ ବିଶେଷକରି କଂଗ୍ରେସ ନେତାମାନଙ୍କୁ ସାମିଲ କରୁଛି। ଆଗାମୀ ରାଜ୍ୟ ବିଧାନସଭା ପ୍ରତି ଦୃଷ୍ଟି ଦେଇ ‘ତୃଣମୂଳ କଂଗ୍ରେସ’ ତ୍ରିପୁରା ଏବଂ ଗୋଆରେ ମଧ୍ୟ ଆପଣା ଉପସ୍ଥିତ ଜାହିର କରିବାକୁ ଉଦ୍ୟମ ଚଳାଇଛି।
The post ମେଘାଳୟ: ବିଳମ୍ବିତ ରାତ୍ରରେ ‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ୍ ସଙ୍ଗ୍ମା ଏବଂ ଅନ୍ୟ ୧୧ କଂଗ୍ରେସ ବିଧାୟକ first appeared on Sambad.from ରାଜନୀତି | Sambad https://ift.tt/3nMKf1C
0 Comments