ଭୁବନେଶ୍ୱର : ବିଜେପି ପରି କଂଗ୍ରେସ ମଧ୍ୟ ମମିତା ମେହେର ହତ୍ୟାକାଣ୍ଡକୁ ବିଧାନସଭା ଅଧିବେଶନରେ ମୁଖ୍ୟ ପ୍ରସଙ୍ଗ କରିବ। ମଙ୍ଗଳବାର ସନ୍ଧ୍ୟାରେ ବସିଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀକୁ ବାହାର କରିବା ସହ ମମିତାଙ୍କ ପରିବାରକୁ ଏକ କୋଟି ଟଙ୍କା ଦେବାକୁ ଦଳ ଦାବି କରିବ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ବସିଥିବା ଏହି ବୈଠକରେ ଦଳର ରଣନୀତି ପ୍ରସ୍ତୁତ କରାଯାଇଛି। ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ସବୁ ବିଧାୟକ ଉପସ୍ଥିତ ଥିଲେ। ବୈଠକ ପରେ ଗଣମାଧ୍ୟକୁ ଶ୍ରୀ ମିଶ୍ର କହିଥିଲେ ଯେ ମମିତା ହତ୍ୟାକାଣ୍ଡ ହେବ ବିଧାନସଭା ଅଧିବେଶନରେ ମୁଖ୍ୟ ପ୍ରସଙ୍ଗ ହେବ। ହତ୍ୟାକାଣ୍ଡ ପଛରେ କାହାର ହାତ ଅଛି ଓ ଗୁପ୍ତ ମନ୍ତ୍ରଣା ଅଛି, ତାହାର ଅନୁସନ୍ଧାନ କରି ସେହି ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ଦାବି କରିବ।

ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, ବିଧାନସଭା ଗୃହରେ କଂଗ୍ରେସ ଶୃଙ୍ଖଳିତ ଭାବେ କାର୍ଯ୍ୟ କରିବ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ବାଚସ୍ପତି ଆମ କଥା ଶୁଣିବା ଉଚିତ। ଯଦି ବାଚସ୍ପତି ଆମ କଥା ଶୁଣନ୍ତି ଓ ବିଜେଡି କର୍ମୀ ପରି କାମ ନ କରନ୍ତି, ତେବେ ଆମେ ମଧ୍ୟ ସହଯୋଗ କରିବୁ। ମମିତା ମେହେର ହତ୍ୟାକାଣ୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ପାଟି ଫିଟାଉନାହାନ୍ତି, ତାହାର ଜବାବ କଂଗ୍ରେସ ମାଗିବ। ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ବହିଷ୍କାର ଦାବି କରାଯିବ। ଏହା ସହ ଚାଷୀଙ୍କ ସମସ୍ୟା, ଉତ୍କଟ ବେରୋଜଗାରୀ ସମସ୍ୟା, ଓବିସି ସଂରକ୍ଷଣ ପ୍ରସଙ୍ଗ ଦଳ ଉଠାଇବ। ରାଜ୍ୟ ସରକାର ହେଲ୍‌ଥ୍‌ କାର୍ଡ ବାଣ୍ଟି ନିଜ ପ୍ରଚାର ପ୍ରସାର କରୁଛନ୍ତି। କିନ୍ତୁ ସେହି କାର୍ଡରେ ଟଙ୍କା ନ ଥିବାରୁ ଲୋକ ଚିକିତ୍ସା ପାଉ ନାହାନ୍ତି। ଏହି ପ୍ରସଙ୍ଗକୁ ନିଶ୍ଚିତ ଭାବେ ଗୃହରେ ଉଠାଯିବ। ଏ ସରକାରରେ କମ୍ବଳ ଯାକ ବାଳ। ତେଣୁ ଲୋକଙ୍କ ସମସ୍ୟା ସମ୍ବଳିତ ପ୍ରସଙ୍ଗର ତାଲିକା ବେଶ୍ ଲମ୍ବା ରହିଛି।

The post ବିଧାନସଭା ଅଧିବେଶନରେ ମମିତାଙ୍କ ପାଇଁ ନ୍ୟାୟ ଦାବି କରିବ କଂଗ୍ରେସ first appeared on Sambad.

from ରାଜନୀତି | Sambad https://ift.tt/31jGnw3