
ଭୁବନେଶ୍ବର : ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବା ଲାଗି ଜାତୀୟ ମାନବାଧିକାର କମିସନ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ମାତ୍ର ଏହି ନିର୍ଦେଶନାମାର ୧୫ଦିନ ବିତି ଯାଇଥିଲେ ହେଁ ରାଜ୍ୟ ସରକାର ମାମଲାକୁ କ୍ରାଇମବ୍ରାଞ୍ଚର ହସ୍ତାନ୍ତର କରି ନାହାନ୍ତି। ରାଜ୍ୟ ଗୃହ ବିଭାଗ ଜାତୀୟ ମାନବାଧିକାର କମିସନଙ୍କ ନିର୍ଦେଶକୁ ଖୁଲମଖୁଲା ବେଖାତିର କରୁଛି ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।
ଗୁରୁବାର ଦିନ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମିଡିଆ ସେଲ୍ର ଆବାହକ ସତ୍ୟପ୍ରକାଶ ନାୟକ କହିଲେ ଗତମାସ ୨୩ତାରିଖରେ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ମାନବାଧିକାର କର୍ମୀ ଭଜମନ ବିଶ୍ବାଳ ପିଟିସନ୍ ଦାଖଲ କରିଥିଲେ। ୨୭ ତାରିଖରେ ମାନବାଧିକାର କମିସନ ଏହାକୁ ଗ୍ରହଣ କରିବା ସହିତ ଶୁଣାଣି କରି ଘଟଣାରେ ଗୃହ ରାଜ୍ୟମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ ଚିନ୍ତାଜନକ ବୋଲି କହିଛନ୍ତି। ତେଣୁ ଏହି ଘଟଣାରେ ରାଜ୍ୟ ସରକାର ତୁରନ୍ତ କ୍ରାଇମବ୍ରାଞ୍ଚ ତଦନ୍ତ କରନ୍ତୁ ବୋଲି ନିର୍ଦେଶ ଦେଇଛନ୍ତି। ମାତ୍ର ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାରେ ପଛଘୁଞ୍ଚା ଦେଇଛନ୍ତି। ଏହାସହ ଉଭୟ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ପୁଲିସ ବିରୋଧରେ ଅଭିଯୋଗ ଥିବା ସତ୍ବେ ମମିତାଙ୍କ ତଦନ୍ତ ପୂର୍ବରୁ ଜିଲ୍ଲାର ଏସ୍ପିଙ୍କୁ କାହିଁକି ବଦଳି କରାଗଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଶ୍ରୀ ନାୟକ ଆହୁରି ମଧ୍ୟ କହିଛନ୍ତି ଯେ କଂଗ୍ରେସ ରାଜ୍ୟର ସ୍ବାର୍ଥ, ନାରୀ ଓ ମହିଳାଙ୍କ ସୁରକ୍ଷା ଓ ନ୍ୟାୟ ପାଇଁ ରାଜନୀତି କରିବ। ମମିତା ମେହେର ଘଟଣା ରାଜ୍ୟର ନୀତିକୁ ପ୍ରଭାବିତ କରୁଛି। ତେଣୁ କଂଗ୍ରେସ ଏହାର ବିରୋଧ ଜାରି ରଖିବ। ବିଜେଡି ଭଳି କୁଟନୀତି ଓ ଖଳନୀତି କଂଗ୍ରେସ କରିବ ନାହିଁ ବୋଲି ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ ଓ ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।
The post ମମିତା ମେହେର ହତ୍ୟାକାଣ୍ଡ ଘଟଣା: ଏନ୍ଏଚ୍ଆରସିଙ୍କ ନିର୍ଦେଶ ପରେ ବି କ୍ରାଇମବ୍ରାଞ୍ଚ ତଦନ୍ତ ଦିଆଯାଉନି କାହିଁକି ? first appeared on Sambad.from ରାଜନୀତି | Sambad https://ift.tt/3qw5lTt
0 Comments