ନୂଆଦିଲ୍ଲୀ : ମମିତା ମେହେର ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ଦାବିରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ଗୁରୁବାର ଦିନ ଦିଲ୍ଲୀର ଜନ୍ତରମନ୍ତରରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛି। ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ବରେ ବହୁ ରାଜ୍ୟ ସ୍ତରୀୟ ନେତା ଓ ଶତାଧିକ କର୍ମୀ ପ୍ରତିବାଦ ସଭାରେ ଏକତ୍ରିତ ହୋଇଥିଲେ। ଓଡ଼ିଶାରେ କ୍ରମବର୍ଦ୍ଧିଷ୍ଣୁ ନାରୀ ନିର୍ଯାତନା, ବଳାତ୍କାର ଓ ହତ୍ୟା ଭଳି ଅପରାଧକୁ ପ୍ରତିବାଦ ସଭାରେ ନିନ୍ଦା କରାଯିବା ସହିତ କ୍ଷମତାସୀନ ଦଳର ନେତା ଓ ମନ୍ତ୍ରୀ ଏହିସବୁ ମାମଲାରେ ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ହୋଇଥିଲା।

ସଭାରେ ମୁଖ୍ୟ ଅତିଥି ଭାବେ ଅଖିଳ ଭାରତୀୟ ଯୁବ କଂଗ୍ରେସ ଜାତୀୟ ପ୍ରଭାରୀ କ୍ରିଷ୍ଣା ଆଲାବାରୁ, ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ, ଓଡ଼ିଶା ଯୁବ କଂଗ୍ରେସ ପ୍ରଭାରୀ ରିୟାଜୁଲ ଅନସାରୀ ଓ ଯୁବ କଂଗ୍ରେସ ଜାତୀୟ ସଂପାଦକ ସରିଫା ରହମାନ ପ୍ରମୁଖ ଯୋଗଦେଇ ଓଡ଼ିଶାରେ ବିଜେଡି ସରକାର ଓ କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ସରକାରଙ୍କ ଶାସନ କାଳରେ ସାଧାରଣ ଜନତା ଓ ମହିଳାମ‌ାନେ କିଭଳି ଅସୁରକ୍ଷିତ ହୋଇପଡ଼ିଛନ୍ତି ସେ ନେଇ ଅଭିଯୋଗ କରିଥିଲେ। ଓଡ଼ିଶାରେ ବିଜେଡି ମନ୍ତ୍ରୀମାନଙ୍କ ଛତ୍ରଛାୟା ତଳେ ଗୋଟିଏ ପରେ ଗୋଟିଏ ବଳାତ୍କାର ଓ ହତ୍ୟା ଘଟଣା ଘଟୁଥିବା ଏମାନେ ଅଭିଯୋଗ କରିଥିଲେ। ମମିତା ହତ୍ୟାକାଣ୍ଡ ମାମଲ‌ାରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବି‌ରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଯୁବ କଂଗ୍ରେସ ସଭାପତି ଡ. ଲେଙ୍କା କହିଥିଲେ। ମମିତାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଯୁବ କଂଗ୍ରେସ ଆନ୍ଦୋଳନ, ବିକ୍ଷୋଭ ଓ ପ୍ରତିବାଦ ଜାରି ରଖିବ ବୋଲି ସେ ଚେତାଇ ଦେଇଥିଲେ।

ପ୍ରତିବାଦ ସଭାରେ ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ, ମୁରଲୀଧର ଜେନା, ଚିନ୍ମୟ ପ୍ରସାଦ ବେଉରା, ନିକୁଞ୍ଜ ପଶାୟତ, ବିଶ୍ବଜିତ ଦାସ, ସଂଜୟ ରାୟ, ସୁଜିତ ଜେନା, ଜ୍ଞାନେନ୍ଦ୍ର ଦାସ, ଆ‌ଲବର୍ଟ କିଣ୍ଡୋ, ମହମ୍ମଦ ଆସିଫ, ମହମ୍ମଦ ଅଲିମ, ଜ୍ଞାନେନ୍ଦ୍ର ମହାନ୍ତି, ରମଜାନ ଅଲ୍ଲୀ, ଶେଖ ଗୁଲାମୁହିଦିନ, ମହେଶ୍ବର ପ୍ରଧାନ, ଆର୍ଯ୍ୟବୀର ଲେଙ୍କା, ବସନ୍ତ ପାଢ଼ୀ, ସତ୍ୟପ୍ରିୟ ସାମଲ, ଶ୍ରୀକାନ୍ତ ବିଶ୍ବାଳ, ଅମ୍ରିତା ଦାସ, ନିକିତ ପରବିନ, ବଳରାମ ରାଉତ, ସତ୍ୟାନନ୍ଦ ରାଉତ, ବିକ୍ରମ ପଣ୍ଡା, ସର୍ବଜିତ ପଟ୍ଟନାୟକ, ଜ୍ଞାନରଂଜନ ରାଉତ, ସୁରେନ୍ଦ୍ର ପାଢ଼ୀ, ପୃଥ୍ବୀରାଜ ନାୟକ, ବିଶ୍ବଜିତ ଲେଙ୍କା, ସୋମନାଥ ପଣ୍ଡା, ବିଭୁତି ଭୂଷଣ ଦଳସିଂରାୟ, ସନ୍ତୋଷ ପାତ୍ର, ଦେବେନ୍ଦ୍ର ପ୍ରସାଦ ସେଠୀ ଓ ସୁଜିତ ସ୍ବାଇଁ ପ୍ରମୁଖଙ୍କ ସହିତ ଶତାଧିକ ଯୁବ ନେତା ସାମିଲ ହୋଇଥିଲେ। ମମିତା ହତ୍ୟାକାଣ୍ଡକୁ ନେଇ ଗତକାଲି ଓଡ଼ିଶା ଯୁବ କଂଗ୍ରେସ ପକ୍ଷରୁ ଓଡ଼ିଶା ନିବାସସ୍ଥିତ ଆବାସିକ କମିସନରଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

The post ମମିତା ମେହେର ହତ୍ୟା ମାମଲା: ଜନ୍ତରମନ୍ତରରେ ଓଡ଼ିଶା ଯୁବ କଂଗ୍ରେସର ଧାରଣା first appeared on Sambad.

from ରାଜନୀତି | Sambad https://ift.tt/3wBnYXa