
ଭୁବନେଶ୍ବର: ତିନି କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ପରେ ଶ୍ରେୟ ରାଜନୀତି ଆରମ୍ଭ ହୋଇଯାଇଛି। କୃଷି ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ଚାଷୀ ସଂଗଠନ ସହ ମିଶି ଖୁସି ମନାଉଥିବାବେଳେ ବିଜେଡି ମନେ ପକାଇଦେଇଛି କେମିତି ଆଇନ ଆସିବାବେଳେ ବିରୋଧ କରିଥିଲା। ଆଉ ବିଜେପି କହିଛି, ରାଜ୍ୟ ସରକାର ଧାନର ଅଭାବୀ ବିକ୍ରିକୁ ରୋକନ୍ତୁ ।
କୃଷି ଆଇନ ପ୍ରତ୍ୟାହାରକୁ ନେଇ ଶ୍ରେୟ ରାଜନୀତି ଜୋର ଧରିଛି । ଚାଷୀଙ୍କ ପାଇଁ ଦରଦ ଦେଖାଇବାକୁ ବୟାନବାଜି ଆରମ୍ଭ ହୋଇଯାଇଛି। ଅତି ଅପ୍ରତ୍ୟାଶିତ ଭାବେ ତିନି କୃଷି ଆଇନକୁ ପ୍ରଧାନମନ୍ତ୍ରୀ ପ୍ରତ୍ୟାହାର କରି ନେବା ପାଇଁ ଘୋଷଣା କରିବା ପରେ ଜୋର ଧରିଛି ଶ୍ରେୟ ରାଜନୀତି । ଆରମ୍ଭରୁ କଂଗ୍ରେସ ସରକାରଙ୍କ ଏହି ନିଷ୍ପତ୍ତିରେ ଖୁସି ମନାଇଥିବାବେଳେ ବିଜେଡି ମଧ୍ୟ ପଛରେ ପଡ଼ି ନାହିଁ । କୃଷି ଆଇନକୁ କିଭଳି ସଂସଦରେ ବିଜେଡି ବିରୋଧ କରିଥିଲା, ସିଲେକ୍ଟ କମିଟିକୁ ପଠାଇବା ପାଇଁ ଦାବି କରିଥିଲା ତାହା ମନେ ପକାଇ ଦେଇଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏଥିସହ ରାଜ୍ୟ ସରକାର ଯେଉଁ ଦୁଇଟି ଆଇନ ଆଣିଥିଲେ ତାହା ଲାପସ କରି ଯାଇଥିବା ସୂଚନା ଦେଇଛନ୍ତି ।
ବିଜେଡିର ଏଭଳି ଦାବିକୁ ଗ୍ରହଣ କରିପାରିନି କଂଗ୍ରେସ । ଡିଏମ୍କେ ନେତା ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ ଓ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯେମିତି ବିରୋଧ କରିଥିଲେ ସେମିତି ନକରି ବିଜେଡି କେବଳ ରାଜ୍ୟସଭାରେ ବିରୋଧ କରିଥିଲା ବୋଲି କହିଛନ୍ତି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ବିଜେପି କହିଛି, ରାଜ୍ୟରେ ଯେମିତି ଦରଦାମ ବଢ଼ୁଛି ତାକୁ ନିୟନ୍ତ୍ରଣ କରନ୍ତୁ ରାଜ୍ୟ ସରକାର । ଧାନ ଅଭାବି ବିକ୍ରି ହେଉଛି, ସେ କଥାରେ ମୁଣ୍ଡ ଖେଳାନ୍ତୁ ମନ୍ତ୍ରୀ । ସେପଟେ ସଂସଦରେ ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବୈଠକ ପରେ ପୁଣି ଦୋହରାଇଛନ୍ତି ଚାଷୀ ସଂଗଠନ । ଏମଏସପିକୁ ଆଇନରେ ପରିଣତ କରିବାକୁ ଦାବି କରି ଆସୁଛନ୍ତି ଚାଷୀ ।
The post ୩ କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ ଶ୍ରେୟ ପାଇଁ ରାଜନୈତିକ ଦଳର ଟଣାଓଟରା first appeared on Sambad.from ରାଜନୀତି | Sambad https://ift.tt/30NCgZh
0 Comments