ଭୁବନେଶ୍ୱର : ଗୁରୁବାାର ଦିନ ଆଚାର୍ଯ୍ୟବିହାରରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ହୋଇଥିବା ଆକ୍ରମଣ ମାମଲାରେ ଶୁକ୍ରବାର ଦିନ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ବିଜେପି ଗର୍ଜିଛି। ଏହି ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ ଓ ସାରା ରାଜ୍ୟକୁ ଆନ୍ଦୋଳନ ବ୍ୟା‌ପକ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ଏକ ଶୋଭାଯାତ୍ରାରେ ଲୋକସେବା ଭବନ ଆଡ଼କୁ ମୁହାଁଇଥିବା ବିଜେପି କର୍ମୀମାନେ ବ୍ୟାରିକେଡ୍‌ ଭାଙ୍ଗିବାକୁ ଉଦ୍ୟମ କରିବାରୁ ପୁଲିସ ସେମାନଙ୍କୁ ରୋକିଥିଲା ଓ ଏଥିପାଇଁ ଧସ୍ତାଧସ୍ତି ପର୍ଯ୍ୟନ୍ତ କଥା ଯାଇଥିଲା।

ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂଙ୍କ ନେତୃତ୍ବରେ ଶୁକ୍ରବାର ଦିନ ବହୁ ସଂଖ୍ୟକ ବିଜେପି କର୍ମୀ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଏକାଠି ହୋଇଥିଲେ। ବିଜେଡି ସରକାର ଶାସନରେ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ବୋଲି ଅଭିଯୋଗ କରି ନାରାବାଜି କରିଥିଲେ। ପରୀ, ମାଧବୀଲତା, ଇତିଶ୍ରୀ, ବେବିନା ଓ ମମିତା ମେହେରଙ୍କ ପରେ ମଧ୍ୟ ସରକାରଙ୍କ ଚେତା ପଶିଲାନି। ଶେଷରେ ମହିଳା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଉପରେ ଆକ୍ରମଣ କରିବାକୁ ବିଜେଡି କର୍ମୀମାନେ ପଛାଇଲେ ନାହିଁ ବୋଲି ସେମାନେ କହିଥିଲେ। ତେଣୁ ଆଉ ବିଜେପି ଚୁପ୍‌ ବସିବ ନାହିଁ ବୋଲି ବକ୍ତାମାନେ କହିଥିଲେ। ନାରୀ ଜାତି ପ୍ରତି ହେଉଥିବା ଅତ୍ୟାଚାର ଓ ନିର୍ଯ୍ୟାତନା ତୁରନ୍ତ ବନ୍ଦ ହେବା ଆବଶ୍ୟକ। ନ ହେଲେ ଅଗାମୀ ଦିନରେ ସାରା ରାଜ୍ୟରେ ପ୍ରତ୍ୟେକ ଗଳି କନ୍ଦିରେ ଜନ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି। ଆଜିର ଏହି ଆନ୍ଦୋଳନରେ ଦିଲ୍ଲୀପ ମହାନ୍ତି, ହିମାଂଶୁ ଶେଖର ଛୋଟରାୟ, ରଶ୍ମିରଞ୍ଜନ ମୁଦୁଲି, ରାମଚନ୍ଦ୍ର ରଣସିଂ, ଦାମୋଦର ବେହେରା, ସୁରେନ୍ଦ୍ର ପ୍ରଧାନ, ଅମରକୃତି ଜଗଦେବ, ନିରଞ୍ଜନ ରାଉତରାୟ, ମନୋରଞ୍ଜନ ସ୍ବାଇଁ ଓ ବନ୍ଦନା କାନୁନ୍‌ଗୋ ପ୍ରମୁଖ ସାମିଲ୍‌ ହୋଇଥିଲେ।

The post ଅପରାଜିତାଙ୍କୁ ଆକ୍ରମଣ ମାମଲାରେ ଗର୍ଜିଲା ବିଜେପି: ଲୋୟର୍‌ ପିଏମ୍‌ଜିରେ ପୁଲିସ ସହ ଧସ୍ତାଧସ୍ତି first appeared on Sambad.

from ରାଜନୀତି | Sambad https://ift.tt/3xtAEQv