ଆଇନ ସମ୍ପର୍କରେ ପ୍ରଣବ ଦାସ ଅଜ୍ଞ: ପୀତାମ୍ବର
ପୀତାମ୍ବର ପରିହାସର ପାତ୍ର ହୋଇଗଲେଣି: ବିଜେଡି

ଭୁବନେଶ୍ବର : ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ବିଜେଡିର ସାଧାରଣ ସମ୍ପାଦକ (ସଂଗଠନ) ପ୍ରଣବ ପ୍ରକାଶ ଦାସ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟୁଇଟ୍‌ କରି ଦେଇଥିବା ମନ୍ତବ୍ୟକୁ ନେଇ ରବିବାର ଦିନ ବିଜେପି-ବିଜେଡି ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି।

ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, ମମିତା ହତ୍ୟା ପ୍ରସଙ୍ଗରେ ଶାସକ ବିଜେଡି ପକ୍ଷରୁ ବିଜେପି ଓ ଗଣମାଧ୍ୟମକୁ ପ୍ରମାଣ ମଗାଯାଉଥିବା ବେଳେ ମାହାଙ୍ଗା ଡବଲ୍‌ ମର୍ଡର ମାମଲାରେ ଅଦାଲତୀ ରାୟ ଆସିବା ପରେ ମଧ୍ୟ ଆଇନ ମନ୍ତ୍ରୀଙ୍କ ବିରୋଧରେ ତଦନ୍ତ ଆଗଉନି। ଏହି ମାମଲାରେ କୋର୍ଟରେ ଦାଖଲ ଚାର୍ଜସିଟ୍‌ରୁ ଅଭିଯୁକ୍ତ ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ ବାଦ୍‌ ଦିଆଗଲା। ଜେଏଫ୍‌ଏମ୍‌ସି କୋର୍ଟ ତଦନ୍ତ ପ୍ରକ୍ରିୟାକୁ ଭର୍ତ୍ସନା କରି ସାନି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ। ହେଲେ ଏଯାବତ୍ କୋର୍ଟରେ କୌଣସି ରିପୋର୍ଟ ପ୍ରଦାନ କରାନଯିବାରୁ ଗତକାଲି ପୁଣି ଭର୍ତ୍ସନା କରିବା ସହ ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ କହିଛନ୍ତି। ଅନ୍ୟପଟେ ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡରେ ମୁଖ୍ୟ ଷଡଯନ୍ତ୍ରକାରୀ ତଥା ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତିକୁ ନେଇ ଶାସକ ବିଜେଡି ବର୍ତ୍ତମାନ ବିଜେପିକୁ ପ୍ରମାଣ ମାଗୁଛି। ଦୁଇ ଦିନ ତଳେ ବିଧାୟକ ପ୍ରଣବ ପ୍ରକାଶ ଦାସ ‘ଦମ୍‌ ଅଛି ତ ପ୍ରମାଣ ଦିଅ’ ବୋଲି ଅହଙ୍କାରୀ ବକ୍ତବ୍ୟ ଦେଇ ଆଇନ୍ ସମ୍ପର୍କରେ ସେ ସମ୍ପୂର୍ଣ୍ଣ ଅଜ୍ଞ ବୋଲି ପ୍ରମାଣିତ କରିଛନ୍ତି। ପ୍ରକୃତରେ ଯଦି ପ୍ରଣବ ବାବୁଙ୍କ ଦମ୍‌ ଅଛି ତାହେଲେ ସେ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇ ଅଭିଯୁକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନା‌ଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରନ୍ତୁ ଏବଂ ଘଟଣାର ନିରପେକ୍ଷ ତଦନ୍ତ ସିବିଆଇ ଦ୍ବାରା କରାନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ପୀତାମ୍ବରଙ୍କୁ ଜବାବ୍ ଦେଇ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ଯେ ଶ୍ରୀ ଆଚାର୍ଯ୍ୟ ଜଣେ ବରିଷ୍ଠ ଆଇନଜୀବୀ, ଯିଏ କି ଆଇନ୍‍କୁ ଭଲ ଭାବେ ଜାଣନ୍ତି। ମୁଁ ତାଙ୍କ ଭଳି ଜଣେ ବରିଷ୍ଠ କିମ୍ବା ଅଭିଜ୍ଞ ନୁହେଁ। କିନ୍ତୁ ମତେ ଖରାପ ଲାଗୁଛି ଯେ ଏଭଳି ଜଣେ ବରିଷ୍ଠ ଆଇନ୍‍ଜୀବୀଙ୍କୁ ଓଡିଶା ବିଜେପି ନିଜର ସଙ୍କୀର୍ଣ୍ଣ ରାଜନୈତିକ ଏଜେଣ୍ଡା ପାଇଁ ପରିହାସର ପାତ୍ରରେ ପରିଣତ କରିଦେଇଛି। ଶ୍ରୀ ଆଚାର୍ଯ୍ୟ ଏବେ ନିଜକୁ ଅଭିଶାପ ଦେଉଥିବେ ଯେ ସେ କାହିଁକି ଓଡିଶା ବିଜେପିରେ ଯୋଗଦେଲେ ଏବଂ ଏଭଳି ମିଥ୍ୟା ବିବୃତି ଦେଇ ନିଜର ଆଇନ୍‍ ବୃତ୍ତିକୁ ଅସମ୍ମାନ କରୁଛନ୍ତି। ଯଦି ଏହିପରି ସେ ଜାରି ରଖନ୍ତି ତାହାହେଲେ ସେ ନିଜର ମହକିଲଙ୍କର ବିଶ୍ୱସନୀୟତା ହରାଇବେ। ଓଡିଶା ବିଜେପିରେ ତାଙ୍କର ଏଭଳି ସ୍ଥିତି ଦେଖି ମୋତେ ଦୟା ଆସୁଛି ବୋଲି ଶ୍ରୀ ମହାନ୍ତି ମନ୍ତବ୍ୟ ଦେଇଛନ୍ତି।

The post ପ୍ରଣବଙ୍କ ଟୁଇଟ୍‌କୁ ନେଇ ବିଜେପି-ବିଜେଡି ଯୁଦ୍ଧ first appeared on Sambad.

from ରାଜନୀତି | Sambad https://ift.tt/30Op1Ys