
ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ସ୍ତରର ଅଧିକାରୀମାନଙ୍କର ନଭେମ୍ବର ୧୫ ତାରିଖ ସୁଦ୍ଧା ବଦଳି କରିବାକୁ ରାଜ୍ୟ ନିର୍ବାଚନ କମିସନ ରାଜ୍ୟ ସରକାରଙ୍କୁ ଚିଠି ଲେଖିବା ପରେ ବିଭିନ୍ନ ବିଭାଗର ବହୁ ଅଧିକାରୀଙ୍କର ବଦଳି ହେଲାଣି। କିନ୍ତୁ ଏଥିରେ ବିଜେପି ସନ୍ତୁଷ୍ଟ ନୁହେଁ। ବିଜେପି ଦାବି କରିଛି ଯେ ରାଜ୍ୟ ସରକାରଙ୍କ ପରିବହନ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ, ମିସନ୍ ଶକ୍ତି ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଏହି ବଦଳି ପ୍ରକ୍ରିୟାରେ ସାମିଲ୍ କରାଯାଉ। ଏହାସହ ଗୋଟିଏ ଜିଲ୍ଲା କିମ୍ବା ନିଜ ଜିଲ୍ଲାରେ ୩ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଥିବା ସରକାରୀ ଅଧିକାରୀଙ୍କୁ ଅନ୍ୟ ଜିଲ୍ଲାକୁ ବଦଳି କରିବାକୁ ଗୁରୁବାର ଦିନ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିସନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଭେଟି ଦାବି ପତ୍ର ଦେଇଛି।
ବିଜେପି ପ୍ରତିନିଧି ଦଳ କହିଛି ଯେ ପଞ୍ଚାୟତ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ରାଜ୍ୟ ନିର୍ବାଚନ କମିସନ ବଦଳି ପ୍ରକ୍ରିୟାକୁ ସ୍ବଚ୍ଛ କରନ୍ତୁ। ଏହାସହ ନିର୍ବାଚନରେ ବ୍ୟବହାର ହେବାକୁ ଥିବା ବାଲଟ୍ ପେପର୍ ପ୍ରିଣ୍ଟିଂର ସ୍ବଚ୍ଛତା ଓ ନିରପେକ୍ଷତା ପ୍ରତି ବିଶେଷ ଦୃଷ୍ଟି ଦିଅନ୍ତୁ। ବିଜେପିର ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ, ସତ୍ୟବ୍ରତ ପଣ୍ଡା, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ବାଳ, ବିଜେପି ଆଇନ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
The post ରାଜ୍ୟ ନିର୍ବାଚନ କମିସନଙ୍କୁ ଭେଟିଲା ବିଜେପି: ଗୋଟିଏ ଜିଲ୍ଲାରେ ୩ବର୍ଷରୁ ଅଧିକ ସମୟ ଥିବା ଅଧିକାରୀଙ୍କୁ ବଦଳି କରାଯାଉ first appeared on Sambad.from ରାଜନୀତି | Sambad https://ift.tt/3DcDpYC
0 Comments