
ମୁମ୍ବାଇ : ଏନ୍ସିପି ମୁଖ୍ୟ ଶରଦ ପାୱାର ନିକଟରେ ଦେଇଥିବା ‘ ସହରୀ ନକ୍ସଲବାଦ ’ ଟିପ୍ପଣୀ ପାଇଁ ମହାରାଷ୍ଟ୍ର ବିଜେପି ତାଙ୍କ ଉପରେ ପ୍ରବଳ ବର୍ଷିଛି। ପ୍ରତି ବ୍ୟକ୍ତି ଯିଏ କି ସରକାର ବିରୋଧରେ ସ୍ବର ଉତ୍ତୋଳନ କରିବେ ତାଙ୍କୁ କ’ଣ ନକ୍ସଲ ବୋଲି ବିବେଚନା କରାଯିବ କି ବୋଲି ବିଜେପି ପ୍ରଶ୍ନ କରିଛି। ଶରଦ ପାୱାର ଏନେଇ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ମହାରାଷ୍ଟ୍ର ବିଜେପି କହିଛି।
ବିଜେପି ନେତା ରାମ କଦମ କହିଛନ୍ତି, ଶରଦ ପାୱାର ପୂର୍ବରୁ କେବେ ବି ସହରାଞ୍ଚଳରେ ନକ୍ସଲବାଦ ଥିବା ଗ୍ରହଣ କରିନାହାନ୍ତି। କିନ୍ତୁ ଏବେ ସେ ଏହାକୁ ସ୍ବୀକାର କରୁଛନ୍ତି ଏବଂ ସେ ଏହା ବି କହିଛନ୍ତି ଯେ ମୁମ୍ବାଇ, ପୁନେ ଏବଂ ନାଗପୁର ପରି ଅଞ୍ଚଳରେ ସରକାରଙ୍କ ବିରୋଧରେ ଲୋକଙ୍କର ବେଶି ଘୃଣା ବଢ଼ିଛି। ସରକାରଙ୍କ ବିରୋଧରେ ଯିଏ ପାଟି ଫିଟାଇବ ସେ ନକ୍ସଲ। ବରିଷ୍ଠ ବିଜେପି ନେତା ଏନ୍ସିପି ନେତାଙ୍କୁ ଏନେଇ ପ୍ରଶ୍ନ କରିଛନ୍ତି। ରାମ କଦମ କହିଛନ୍ତି, ମହାରାଷ୍ଟ୍ର ସରକାର ୧୦୦ କୋଟି ଟଙ୍କାର ଦୁର୍ନୀତିରେ ସମ୍ପୃକ୍ତ। ଅଫିସରଙ୍କ ବଦଳି ପାଇଁ ଏହା ଖୋଲାଖୋଲି ଭାବେ ଟଙ୍କା ନେଇଛି। ଡ୍ରଗ୍ ମାଫିଆଙ୍କୁ ସମର୍ଥନ କରିଛି। ସେମାନଙ୍କ ମନ୍ତ୍ରୀ ଦାଉଦର ଲୋକଙ୍କ ସହ ବ୍ୟବସାୟ କରୁଛନ୍ତି। ତେବେ ଏହାସତ୍ତ୍ବେ ବି କ’ଣ ମହାରାଷ୍ଟ୍ରର ଲୋକମାନେ ଚୁପ୍ ବସିବେ ଏବଂ ସରକାର ବିରୋଧରେ କିଛି କହିବେନି। ଲୋକମାନଙ୍କର ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରିବାର ଅଧିକାର ଅଛି। ସେମାନଙ୍କର ଆନ୍ଦୋଳନ କରିବାର ଅଧିକାର ଅଛି। କିନ୍ତୁ ଏନ୍ସିପି ଲୋକଙ୍କର ଅସନ୍ତୋଷକୁ ନକ୍ସଲବାଦ କହୁଛି। ସେମାନେ ଜାଣିବା ଉଚିତ ଯେ, ରାଜ୍ୟରେ ସବୁ ଲୋକଙ୍କର ସରକାର ବିରୋଧରେ ଆକ୍ରୋଶ ରହିଛି। ତେବେ ସମସ୍ତଙ୍କୁ କ’ଣ ନକ୍ସଲ କୁହାଯିବ ବୋଲି ବିଜେପି ପ୍ରଶ୍ନ କରିଛି।
ଉଲ୍ଲେଖଯୋଗ୍ୟ, ଏନ୍ସିପି ସୁପ୍ରିମୋ ଶରଦ ପାୱାର ନିକଟରେ ୩ ଦିନିଆ ବିଦର୍ଭ ଗସ୍ତରେ ଥିଲେ। ଗଡ଼ଚିରୋଲିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପାୱାର କହିଥିଲେ, କିଛି ଉପଦ୍ରବକାରୀ ରାଜ୍ୟ ସରକାରଙ୍କ ବିରୋଧରେ ଘୃଣା ସୃଷ୍ଟି କରିବାକୁ ଚାହୁଛନ୍ତି। ଏହାକୁ ସେ ‘ସହରୀ ନକ୍ସଲବାଦ’ କହିଥିଲେ।
The post ଏନ୍ସିପି ମୁଖ୍ୟଙ୍କ ‘ସହରୀ ନକ୍ସଲବାଦ’ ଟିପ୍ପଣୀକୁ ବିଜେପିର କଡ଼ା ବିରୋଧ first appeared on Sambad.from ରାଜନୀତି | Sambad https://ift.tt/3r2bHub
0 Comments