
ଭୁବନେଶ୍ବର : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇଥିବା ନେଇ ଗତ କିଛି ଦିନ ଧରି କଳ୍ପନାଜଳ୍ପନା ଜାରି ରହିଛି। ଯଦିଓ ଏଆଇସିସି ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ ତେବେ ଦଳର ଏକାଧିକ ନେତା ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଓଡ଼ିଶା କଂଗ୍ରେସରେ ପରିବର୍ତନ ସ୍ବରକୁ ଖୋରାକ ମିଳିଛି। କିଛି ଦିନର ନିରବତା ପରେ ଏ ସମ୍ପର୍କରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ମୁହଁ ଖୋଲିଛନ୍ତି।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବିଜେଡି ସଭାପତି ଭଳି ପିସିସି ସଭାପତି ପଦ ଚିରସ୍ଥାୟୀ ନୁହେଁ। ପଦରେ ରହିବି କି ନାହିଁ ତାହା ଦଳର ଆଭ୍ୟନ୍ତରୀଣ ବ୍ୟାପାର। ପିପିଲି ଉପ ନିର୍ବାଚନ ପୂର୍ବରୁ ହାଇକମାଣ୍ଡଙ୍କୁ ଚିଠି ଲେଖିଛି। ହେଲେ ଚିଠିରେ କ’ଣ ଲେଖିଛି ତାହା ଗଣମାଧ୍ୟମରେ କହିହେବ ନାହିଁ। ଏଆଇସିସି ଯେ ପର୍ଯ୍ୟନ୍ତ କିଛି ନିଷ୍ପତ୍ତି ନେଇ ନାହିଁ ସଭାପତି ପଦରେ ରହି କାମ କରିବି। ବହୁତ ଦିନ ହେବ ସଭାପତି ପଦରେ ରହିଲିଣି। ତାଙ୍କ ପରେ ଦଳରେ ସଭାପତି ପଦ ସମ୍ଭାଳିବା ପାଇଁ ଅନେକ ଲୋକ ଅଛନ୍ତି। ଏଆଇସିସି ଯଦି ଏ ସମ୍ପର୍କରେ ପଚାରିବେ ତାହାଲେ ଉତ୍ତର ଦେବି। ରାଜ୍ୟରେ କଂଗ୍ରେସ କର୍ମୀମାନେ ହତାଶ ହେବାର କାରଣ ନାହିଁ। ସଭାପତି ଥିଲା ପର୍ଯ୍ୟନ୍ତ କଂଗ୍ରେସକୁ ଦୁର୍ବଳ ହେବାକୁ ଦେବିନାହିଁ ବୋଲି ସେ କହିଛନ୍ତି।
ଅପରପକ୍ଷେ ଖୁବଶୀଘ୍ର ସ୍ଥିତି ସ୍ପଷ୍ଟ କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ସେ କହିଛନ୍ତି ଯେ ଯଦି ନିରଞ୍ଜନ ଇସ୍ତଫା ଦେଇଛନ୍ତି ତେବେ ସ୍ପଷ୍ଟ କରନ୍ତୁ। ରାହୁଲ ଓ ସୋନିଆ ଗାନ୍ଧୀ ଯଦି ନିରଞ୍ଜନଙ୍କୁ ସଭାପତି ପଦରେ ରଖିବା କଥା ରଖିବେ ନଚେତ୍ କାଢ଼ିବେ। ଏମିତି ହେଲେ ଦଳର ଛବି ଖରାପ ହେଉଛି ବୋଲି ଶ୍ରୀ ରାଉତରାୟ କହିଛନ୍ତି। ସେହିପରି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ ଗଣମାଧ୍ୟମକୁ କହିଛନ୍ତି ଯେ ନିରଞ୍ଜନ ଇସ୍ତଫା ଦେବା କଥା ଗଣମାଧ୍ୟମରେ ଚର୍ଚା ହେଉଛି। ହେଲେ ଏ କଥା ସେ ହିଁ କେବଳ ସ୍ପଷ୍ଟ କରିପାରିବେ। ଲୁଚକାଳି ଖେଳ ଖେଳିବା ଉଚିତ ନୁହେଁ। ଏହାର ନକରାତ୍ମକ ପ୍ରଭାବ କର୍ମୀଙ୍କ ଉପରେ ପଡ଼ିବ ଓ ଦଳ କ୍ଷତି ସହିବ। ସଭାପତି ନ ହେଲେ ନାହିଁ ତାଙ୍କ ମିଡିଆ ଟିମ୍ କିମ୍ବା ମୁଖପାତ୍ର ଏକଥା ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ରାଉତ କହିଛନ୍ତି।
The post ପିସିସି ସଭାପତିରୁ ନିରଞ୍ଜନଙ୍କ ଇସ୍ତଫା ପ୍ରସଙ୍ଗ: ‘ସଭାପତି ଥିବା ପର୍ଯ୍ୟନ୍ତ ଦଳକୁ ଦୁର୍ବଳ ହେବାକୁ ଦେବିନାହିଁ’ first appeared on Sambad.from ରାଜନୀତି | Sambad https://ift.tt/3llqqNx
0 Comments