ନୂଆଦିଲ୍ଲୀ : ବିଜେପି ପକ୍ଷରୁ ଗୁରୁବାର ଦିନ ୮୦ ଜଣିଆ ଜାତୀୟ କାର୍ଯ୍ୟକାରିଣୀ କମିଟି ଘୋଷଣା କରାଯାଇଛି। କମିଟିର ସଦସ୍ୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନି, ମୁରଲୀ ମନୋହର ଯୋଶୀ, ଅମିତ ଶାହା ଓ ରାଜନାଥ ସିଂହ ପ୍ରମୁଖ ରହିଛନ୍ତି। ଏହି ତାଲିକାରେ ଓଡ଼ିଶାରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ ଏବଂ ସାଂସଦ ଜୁଏଲ ଓରାମ ସ୍ଥାନ ପାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ ପ୍ରଥମଥର ପାଇଁ ଜାତୀୟ କାର୍ଯ୍ୟକାରିଣୀରେ ସାମିଲ ହୋଇଛନ୍ତି। ପୂର୍ବରୁ ଜାତୀୟ କାର୍ଯ୍ୟକାରିଣୀରେ ଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏଥର ବାଦ୍ ପଡ଼ିଛନ୍ତି।

ଏମାନଙ୍କ ବ୍ୟତୀତ ଦଳର ୩୫ ଜଣ ଜାତୀୟ ପଦାଧିକାରୀ, ୫୦ ଜଣ ସ୍ବତନ୍ତ୍ର ନିମନ୍ତ୍ରିତ ଏବଂ ୧୭୯ ଜଣ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଏଥିରେ ସାମିଲ ଅଛନ୍ତି। ମୋଟ ୩୦୯ ଜଣ ସଦସ୍ୟଙ୍କ ସହ ନୂଆ କାର୍ଯ୍ୟକାରିଣୀ କମିଟି ଘୋଷଣା କରାଯାଇଛି। ଏଥିରେ ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟ ଧାରକ, ସମସ୍ତ ଛାମୁଆ ସଂଗଠନର ସଭାପତି, ସମସ୍ତ ଜାତୀୟ ମୁଖପାତ୍ର, ସବୁ ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, ବିଧାୟକ ଦଳର ନେତା, ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ, ସମସ୍ତ ରାଜ୍ୟର ସଭାପତି, ରାଜ୍ୟସଭା ଏବଂ ଲୋକସଭାର ମୁଖ୍ୟ ସଚେତକ ସାମିଲ ଅଛନ୍ତି। ଦଳର ୩୫ ଜଣ ଜାତୀୟ ପଦାଧିକାରୀଙ୍କ ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ୫୦ ଜଣ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟଙ୍କ ମଧ୍ୟରେ ସାଂସଦ ବସନ୍ତ କୁମାର ପଣ୍ଡା, ୧୭୯ ଜଣ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟମାନଙ୍କ ମଧ୍ୟରେ ଦଳର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି, ରାଜ୍ୟ ପ୍ରଭାରୀ ଡି. ପୁରେନ୍ଦଶ୍ବରୀ ଓ ସହ-ପ୍ରଭାରୀ ବିଜୟପାଲ ସିଂହ ତୋମାର ପ୍ରମୁଖ ସାମିଲ ଅଛନ୍ତି।

The post ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ଓଡ଼ିଶାରୁ ତିନି ନେତା first appeared on Sambad.

from ରାଜନୀତି | Sambad https://ift.tt/3oElA05