କେନ୍ଦୁଝର : ବିଜେଡିରେ ମିଶିବେ ଚମ୍ପୁଆର ପୂର୍ବତନ ବିଧାୟକ ତଥା କେନ୍ଦୁଝର ଜିଲ୍ଲା ବରିଷ୍ଠ ବିଜେପି ନେତା ଧନୁର୍ଜୟ ସିଦୁ। କେନ୍ଦୁଝର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି ଦାସ) ଦାୟିତ୍ବ ନେବା ପରେ ସେ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଚାଲିଥିଲା। ତେବେ ଏ ସଂପର୍କରେ କୌଣସି ବିଧିବଦ୍ଧ ଘୋଷଣା ହୋଇନାହିଁ। ଏ ନେଇ ବବିଙ୍କ ଯାଜପୁରସ୍ଥିତ ବାସଭବନରେ ତାଙ୍କର ଏକାଧିକବାର ଗୁପ୍ତ ଆଲୋଚନା ହୋଇଥିବା ଜଣାପଡ଼ିଛି। ତେବେ ଶ୍ରୀ ସିଦୁଙ୍କୁ ଏ ସମ୍ପର୍କରେ ପଚରାଯିବାରୁ ସେ ଏହାକୁ ଅସ୍ବୀକାର କରିଛନ୍ତି।

ଜନତା ଦଳରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ଶ୍ରୀ ସିଦୁଙ୍କ ଏହା ହେବ ଘରବାହୁଡ଼ା। ୧୯୯୭ରେ ଜନତା ଦଳ ସମର୍ଥନରେ ସେ ଯୋଡ଼ା ବ୍ଲକ୍‌ ଭଦ୍ରାସାହି ପଞ୍ଚାୟତରୁ ସମିତି ସଭ୍ୟ ଭାବେ ବିଜୟୀ ହୋଇଥିଲେ। ବ୍ଲକ୍‌ ଅଧ୍ୟକ୍ଷ ପଦ ନ ମିଳିବାରୁ ସେ ଜନତା ଦଳ ଛାଡ଼ି କଂଗ୍ରେସରେ ସାମିଲ ହୋଇଥିଲେ। ୨୦୦୪ରେ ଚମ୍ପୁଆରୁ କଂଗ୍ରେସ ପ୍ରାର୍ଥୀ ହୋଇ ବିଧାୟକ ହୋଇଥିଲେ। ୨୦୧୯ ନିର୍ବାଚନ ପୂର୍ବରୁ ଶ୍ରୀ ସିଦୁ ବିଜେପିରେ ମିଶିବା ସହ ତେଲକୋଇ ନିର୍ବାଚନ ମଣ୍ଡଳୀରୁ ଦଳୀୟ ପ୍ରାର୍ଥୀ ହୋଇ ୬୮ ହଜାର ୬୨୮ ଖଣ୍ଡ ଭୋଟ୍‌ ପାଇଥିଲେ। ବିଜେଡି ପ୍ରାର୍ଥୀ ତଥା ବର୍ତ୍ତମାନର ମନ୍ତ୍ରୀ ପ୍ରେମାନନ୍ଦ ନାୟକ ୭୪ ହଜରେ ୧୪୮ ଖଣ୍ଡ ଭୋଟ୍‌ ପାଇ ବିଜୟୀ ହୋଇଥିଲେ।

The post ଶଙ୍ଖ ଧରିବେ ସିଦୁ! first appeared on Sambad.

from ରାଜନୀତି | Sambad https://ift.tt/3B8WGIk