
ଭୁବନେଶ୍ୱର : ୨୦୧୯ରେ ବିଜେପୁର। ୨୦୨୦ରେ ତିର୍ତ୍ତୋଲ ଓ ବାଲେଶ୍ୱର। ୨୦୨୧ରେ ପିପିଲି। ୨୦୧୯ ସାଧାରଣ ନିର୍ବାଚନ ପର ଠାରୁ ଏ ଯାଏ ହୋଇଥିବା ଚାରିଟି ଉପନିର୍ବାଚନରେ ବିଜେଡିର ବିଜୟ ଧାରା ଜାରି ରହିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ବିଜୟର ବ୍ୟବଧାନ ବି ବଢ଼ୁଛି। ଶାସନର ପଞ୍ଚମ ପାଳିରେ ନବୀନ ଯାଦୁ ସେମିତି ଅକ୍ଷତ ରହିଛି ଓ ବିଜେଡି ତା’ର ଭୋଟ୍ ବ୍ୟାଙ୍କକୁ ସହିସଲାମତ ରଖୁଛି।
୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନ ହିଞ୍ଜିଳି ସହ ବିଜେପୁରରେ ଲଢ଼ିଥିଲେ। ଉଭୟ ଆସନ ଜିତିଲା ପରେ ସେ ବିଜେପୁର ଛାଡ଼ି ଦେଇଥିଲେ। ସେଠାରେ ରୀତା ତରାଇ ପ୍ରାର୍ଥୀ ହୋଇଥିଲେ ଓ ସର୍ବକାଳୀନ ରେକର୍ଡ ଭୋଟ୍ରେ ବିଜୟୀ ହୋଇଥିଲେ। ସାଧାରଣ ନିର୍ବାଚନ ପରେ ବିଜୟର ଧାରା ନବୀନ ପୁଣି ଆରମ୍ଭ କରିଥିଲେ। ୨୦୨୦ରେ ତିର୍ତ୍ତୋଲ ବିଜେଡି ବିଧାୟକ ବିଷ୍ଣୁ ଦାସ ଓ ବାଲେଶ୍ବର ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ଅକାଳ ବିୟୋଗରେ ଦୁଇଟି ଆସନ ଖାଲି ହୋଇଥିଲା। ୨୦୨୦ ନଭେମ୍ବର ମାସରେ ହେଲା ଉପନିର୍ବାଚନ। ତିର୍ତ୍ତୋଲରେ ବିଜେଡି ତା’ର ଗଡ଼ ବଜାୟ ରଖିଲା ଓ ସ୍ବର୍ଗତ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ ବିଜୟୀ ହେଲେ।

କିନ୍ତୁ ଅପ୍ରତ୍ୟାଶିତ ଭାବେ ବିଜେପି ଠାରୁ ବାଲେଶ୍ବର ଆସନ ଛଡ଼ାଇ ଆଣିଲା ବିଜେଡି। ସ୍ବର୍ଗତ ଦତ୍ତଙ୍କ ପୁଅ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ବି ଅନୁକମ୍ପା ଭୋଟ୍ ବିଜେଡିର ବାଟ ଓଗାଳିପାରି ନ ଥିଲା। ବିଜେଡି ଜଣେ ନୂଆ ପ୍ରାର୍ଥୀ ସ୍ବରୂପ ଦାସଙ୍କୁ ମଇଦାନକୁ ଓହ୍ଲାଇଥିଲା ଓ ସେ ବିଜୟୀ ହୋଇଥିଲେ। ସାଧାରଣ ନିର୍ବାଚନ ତୁଳନାରେ ତିର୍ତ୍ତୋଲରେ ବିଜେଡିର ଭୋଟ୍ ବ୍ୟବଧାନ ବଢ଼ିଥିଲା। ଆଉ ବାଲେଶ୍ବରରେ ସାଧାରଣ ନିର୍ବାଚନରେ ସ୍ବର୍ଗତ ଦତ୍ତ ଯେତିକି ଭୋଟ୍ ବ୍ୟବଧାନରେ ଜିତିଥିଲେ ଉପନିର୍ବାଚନରେ ବିଜେଡି ତାହା ଠାରୁ ଢେର୍ ଅଧିକ ଭୋଟ୍ରେ ଆସନଟି ନିଜ ଦଖଲକୁ ଆଣିଲା। ପିପିଲିର ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ସେହି ଆସନରେ ଉପନିର୍ବାଚନ ହେଲା। ଏଥିରେ ମଧ୍ୟ ବିଜେଡିର ବିଜୟ ଧାରା ଜାରି ରହିଲା। ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ପ୍ରାର୍ଥୀ ହେଲେ। ସାଧାରଣ ନିର୍ବାଚନଠାରୁ ରୁଦ୍ର ମହାରଥୀ ଅଧିକ ଭୋଟ୍ ପାଇଲେ ଓ ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହେଲେ।
ବିଜେପୁର ଉପନିର୍ବାଚନରେ ନବୀନ ସିଧାସଳଖ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ତିର୍ତ୍ତୋଲ ଓ ବାଲେଶ୍ବର ପାଇଁ ଭର୍ଚୁଆଲ୍ ପ୍ରଚାର କରିଥିଲେ। ପିପିଲି ଉପନିର୍ବାଚନରେ ସେ ପ୍ରଚାରରେ ସେ ସାମିଲ ହୋଇ ନ ଥିଲେ। କିନ୍ତୁ ନବୀନଙ୍କ ଭାବମୂର୍ତ୍ତି ଓ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନାକୁ ପାଥେୟ କରି ବିଜେଡି ଉପନିର୍ବାଚନ ଲଢ଼ିବାରେ କୌଣସି ସମସ୍ୟା ହୋଇ ନ ଥିଲା। ଦଳକୁ ତାହାର ସୁଫଳ ମିଳିଥିଲା।
ସାଧାରଣ ନିର୍ବାଚନ ସହ ପ୍ରତିଟି ଉପନିର୍ବାଚନରେ ନବୀନଙ୍କ ଭାବମୂର୍ତ୍ତି ଓ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନାକୁ ହିଁ ମୁଖ୍ୟ ଅସ୍ତ୍ର କରିଛି ବିଜେଡି। ଏହା ସହ ପ୍ରତି ନିର୍ବାଚନରେ ତୃଣମୂଳ ସ୍ତରରେ ନିର୍ବାଚନ ପରିଚାଳନାକୁ ବିଜେଡି ସର୍ବାଧିକ ଗୁରୁତ୍ବ ଦେଉଥିବା ଲକ୍ଷ୍ୟ କରାଯାଇଛି। ପଞ୍ଚାୟତ ୱାରି ବିଧାୟକ ଓ ନେତାମାନଙ୍କୁ ଦାୟିତ୍ବ ବାଣ୍ଟି ଏକ ପ୍ରକାର ଟାର୍ଗେଟ୍ ଦିଆଯାଉଛି। ପ୍ରତି ସ୍ତରରେ ବରିଷ୍ଠ ନେତାମାନେ ଏହାକୁ ତଦାରଖ କରୁଛନ୍ତି। ଭୋଟ୍ ଗଣିତ ଯେପରି ଓଲଟ ପାଲଟ ନ ହୁଏ, ସେଥି ପ୍ରତି ନେତାମାନଙ୍କୁ ତାଗିଦ୍ କରାଯାଉଛି। ନିର୍ବାଚନରେ ପ୍ରାର୍ଥୀ ସିନା ଜିତୁଛନ୍ତି, କିନ୍ତୁ ସବୁ ରଣନୀତିରେ ଦଳର ରାଜ୍ୟ ସ୍ତରରେ ହିଁ କରାଯାଉଛି। ଦଳୀୟ ନେତାମାନଙ୍କ ମଧ୍ୟରେ ଯାହା ଅସନ୍ତୋଷ ଥିଲେ ମଧ୍ୟ ଏକାଠି ଯୋଜନାବଦ୍ଧ ଭାବେ ନିର୍ବାଚନ ଲଢ଼ି ବାରମ୍ବାର ସଫଳତାକୁ ଦୋହରାଇ ଚାଲିଛନ୍ତି।
ସବୁଠି ବିଜେପି ଜୋର୍ଦାର୍ ଲଢ଼େଇ କରୁଛି। ଶାସକ ଦଳକୁ କଡ଼ା ଟକ୍କର ଦେଉଛି। ଦଳର ଭୋଟ୍ ହାର ବଢ଼ୁଛି। କିନ୍ତୁ ସଫଳତା ଛୁଇଁବା ଏ ଯାଏଁ ସହଜ ହେଉ ନାହିଁ। ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସକୁ ବହୁ ପଛକୁ ଠେଲି ଦେଇ ବିଜେପି ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଛି ସତ। କିନ୍ତୁ ସଂଖ୍ୟା ଗଣିତରେ ବିଜେଡିଠାରୁ ଯଥେଷ୍ଟ ପଛରେ ରହିଛି ବିଜେପି। ବିଜେଡିକୁ ପଛକୁ ଠେଲି ଏକ ନମ୍ବରକୁ ଆସିବା ପାଇଁ ଦଳର ରଣନୀତି ସେତିକି ଦୃଢ଼ ହୋଇପାରୁ ନାହିଁ। ନିର୍ବାଚନ ବେଳେ ତୃଣମୂଳ ସ୍ତରରେ ଏହି ରଣନୀତିର ଅଭାବ ସ୍ପଷ୍ଟ ପରିଲକ୍ଷିତ ହେଉଛି।
ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ତାହାର ଅବ୍ୟବହିତ ପୂର୍ବରୁ ପିପିଲି ଉପନିର୍ବାଚନର ଫଳାଫଳ ନିଶ୍ଚିତ ଭାବେ ରାଜ୍ୟ ରାଜନୀତିକୁ ସରଗରମ ରଖିବ। ବିଜେଡି ଶିବିରକୁ ଏହା ଚଳଚଞ୍ଚଳ କରିଦେଇଛି। ତ୍ରୁଟି ସୁଧାରି ବିଜେପି କିପରି ଆଗାମୀ ଦିନରେ ମୁକାବିଲା ପାଇଁ ରଣନୀତି କରୁଛି, ତାହା ଉପରେ ରାଜନୈତିକ ମହଲର ନଜର ରହିଛି। ଆଉ କଂଗ୍ରେସ ତାହାର ଶୋଚନୀୟ ସ୍ଥିତିକୁ ମୁକୁଳିବ ନା ଭୋଟ୍ ରାଜନୀତିରେ ଅପ୍ରାସଙ୍ଗିକ ହୋଇ ରହିବ, ତାହା ମଧ୍ୟ ବଡ଼ ପ୍ରଶ୍ନବାଚୀ।
The post ନବୀନ ଯାଦୁ ଅକ୍ଷତ: ଉପନିର୍ବାଚନରେ ବିଜେଡିର ବିଜୟ ଧାରା ଜାରି first appeared on Sambad.from ରାଜନୀତି | Sambad https://ift.tt/2WBOYIC
0 Comments