କଂଗ୍ରେସ ଭବନରେ ସଭାପତି, ପ୍ରଭାରୀଙ୍କ ବିରୋଧରେ ବିକ୍ଷୋଭ
ସଭାପତି ପଦବି ପାଇଁ ଆଗ୍ରହୀ ନାହାନ୍ତି ନିରଞ୍ଜନ

ଭୁବନେଶ୍ୱର : ପୁଣି ଓଡ଼ିଶାରେ କଂଗ୍ରେସରେ ନେତୃତ୍ବରେ ପରିବର୍ତ୍ତନ ସ୍ବର ଉଠିଛି। ସାରା ଦେଶରେ କଂଗ୍ରେସ ସଂଗଠନରେ ସୃଷ୍ଟି ହୋଇଥିବା ଅସ୍ଥିରତାରୁ ଓଡ଼ିଶା ବାଦ୍ ପଡ଼ିନି। ରାଜ୍ୟ ରାଜନୀତିରେ କଂଗ୍ରେସ ଏବେ ତିନି ନମ୍ବର ସ୍ଥାନରେ ଥିଲେ ବି ବହୁ ଗୋଷ୍ଠୀରେ ସଂଗଠନ ଭାଗ ଭାଗ ହୋଇଯାଇଛି। କିଛି ଗୋଷ୍ଠୀ ପିସିସି ସଭାପତି ପରିବର୍ତ୍ତନ ପାଇଁ ଦାବି ଜୋର୍‌ଦାର କରିଛନ୍ତି। ଉଲ୍ଲେଖନୀୟ କଥା ହେଉଛି ଯେ ନିଜେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସଭାପତି ପଦବି ପାଇଁ ଆଗ୍ରହୀ ନାହାନ୍ତି ବୋଲି ସଙ୍କେତ ଦେଉଛନ୍ତି।

କିଛି ଦିନ ହେଲା ସାରା ଦେଶରେ କଂଗ୍ରେସ ସଂଗଠନରେ ଅସ୍ଥିରତା ଦେଖାଦେଇଛି। ବହୁ ରାଜ୍ୟରେ ନେତୃତ୍ବ ପରିବର୍ତ୍ତନକୁ ନେଇ ଗୋଷ୍ଠୀ କନ୍ଦଳ ବଢ଼ିବାରେ ଲାଗିଛି। ପଞ୍ଜାବରେ ନେତୃତ୍ବ ପରିବର୍ତ୍ତନ ଓ ବିଶୃଙ୍ଖଳାକୁ ସାରା ଦେଶ ଦେଖୁଛି। ରାଜସ୍ଥାନରେ କଂଗ୍ରେସ କ୍ଷମତାରେ ଥିଲେ ବି ଗୋଷ୍ଠୀ କନ୍ଦଳ ସମାଧାନ ହୋଇପାରୁନି। ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନର ଦାବି ବଢ଼ିବାରେ ଲାଗିଛି। ବିହାରରେ ଦଳ କ୍ଷମତାରେ ନ ଥିଲେ ବି ଗୋଷ୍ଠୀକନ୍ଦଳ ଚର୍ଚ୍ଚାରେ ରହୁଛି। ଓଡ଼ିଶା କଂଗ୍ରେସରେ ମଧ୍ୟ ଗତ କିଛି ଦିନର ଘଟଣାକ୍ରମ, ନେତାମାନଙ୍କ କାର୍ଯ୍ୟକଳାପ ଓ ବୟାନବାଜି ଦଳରେ ସାଂଗଠନିକ ଅଦଳବଦଳ ଓ ନେତୃତ୍ବ ପରିବର୍ତ୍ତନକୁ ଇଙ୍ଗିତ କରୁଛି।

ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କଂଗ୍ରେସ ଛାଡ଼ିବା ନେଇ ଗତ କିଛି ଦିନ ଧରି କଳ୍ପନା ଜଳ୍ପନା ଚାଲିଥିଲା। ସେ ବିଜେଡିରେ ମିଶିବା ନେଇ ତାଙ୍କ ନିକଟତମ ମହଲରୁ ଖବର ପ୍ରଚାର ହୋଇଥିଲା। କିନ୍ତୁ ହଠାତ ଦୁଇ ଦିନ ତଳେ ଶ୍ରୀ ମାଝୀ ନୂଆଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଭେଟିଲେ ଓ କଂଗ୍ରେସରେ ରହିବେ ବୋଲି ଗଣମାଧ୍ୟମକୁ ଜୋର୍‌ ଦେଇ କହିଲେ। ଏହି ସାକ୍ଷାତ ସମୟରେ ସେ ପିସିସି ସଭାପତି ପରିବର୍ତ୍ତନ ଉପରେ ଜୋର୍‌ ଦେଇଥିବା କୁହାଯାଉଛି। ଯଦିଓ ରାହୁଲ ଗାନ୍ଧୀଙ୍କୁ ଭେଟିଲା ପରେ ସାମୟିକ ଭାବେ ସେ ତାଙ୍କ ଦଳବଦଳ ଚର୍ଚ୍ଚାକୁ ଟାଳିଦେଇଛନ୍ତି, କିନ୍ତୁ ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ଶ୍ରୀ ମାଝୀଙ୍କ ସହ ବରିଷ୍ଠ ନେତା ଭକ୍ତ ଦାସ ମଧ୍ୟ ଶ୍ରୀ ଗାନ୍ଧୀଙ୍କୁ ଭେଟିଛନ୍ତି। ସେ ମଧ୍ୟ ନେତୃତ୍ବ ପରିବର୍ତ୍ତନ ପାଇଁ ଯୁକ୍ତି ବାଢ଼ିଥିବା ସୂଚନା ମିଳିଛି। ତେବେ ବିହାର ପ୍ରଭାରୀ ଥିବା ଶ୍ରୀ ଦାସଙ୍କ ନାଁରେ ଏକ ସଙ୍ଗୀନ ଅଭିଯୋଗ ଆସିଛି। ସେ ଟଙ୍କା ନେଇ ସଂଗଠନର ପଦପଦବି ବାଣ୍ଟୁଛନ୍ତି ବୋଲି ବିହାରରେ କିଛି କଂଗ୍ରେସ ନେତା ଅଭିଯୋଗ ଆଣିଛନ୍ତି। ଶ୍ରୀ ଦାସ ଓଡ଼ିଶାରେ ପିସିସି ସଭାପତି ପାଇଁ ଜଣେ ଦାବିଦାର ଥିଲା ବେଳେ ତାଙ୍କ ବିରୋଧରେ ଏପରି ଅଭିଯୋଗ ଉଭୟ ବିହାର ଓ ଓଡ଼ିଶାରେ କଂଗ୍ରେସକୁ ଅଡ଼ୁଆରେ ପକାଇଦେଇଛି। ଏହା ମଧ୍ୟରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଭେଟିଥିବା ଜଣାପଡ଼ିଛି।

ଏହି ପରିପ୍ରେକ୍ଷୀରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ବୟାନ କଂଗ୍ରେସର ଆଭ୍ୟନ୍ତରୀଣ କନ୍ଦଳ ଓ କିଛି ନେତାଙ୍କ ଦଳବଦଳ ରାଜନୀତି ପ୍ରସଙ୍ଗକୁ ଚର୍ଚ୍ଚାର ଖୋରାକ ଯୋଗାଉଛି। ଦୁଇ ଦିନ ତଳେ ଶ୍ରୀ ରାଉତରାୟ କହିଥିଲେ, ଯିଏ କଂଗ୍ରେସରେ ରହିବା‌ କଥା ରହୁ ଓ ଯିଏ ଯିବା କଥା ଯାଉ। କିନ୍ତୁ ଯିବା ଆସିବା ନେଇ ବାରମ୍ବାର ଚର୍ଚ୍ଚା ଦ୍ବାରା କଂଗ୍ରେସ କ୍ଷତି ସହୁଛି। ପିପିଲି‌ରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ପାଇଁ ଏହି ଦଳବଦଳ ଚର୍ଚ୍ଚା ଦାୟୀ ବୋଲି ଶ୍ରୀ ରାଉତରାୟ ଆରୋପ ଲଗାଇଥିଲେ।

ଅପରପକ୍ଷରେ ପିପିଲିରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ପରେ ପିସିସି ସଭାପତିଙ୍କୁ ହଟାଇବା ପାଇଁ କଂଗ୍ରେସର ଏକ ଗୋଷ୍ଠୀ ଅଭିଯାନ ଆରମ୍ଭ କରିଛନ୍ତି। ଆଜି ପିପିଲି ଫଳାଫଳ ପ୍ରକାଶ ପାଇଲା ପରେ ସଭାପତି ଓ ପ୍ରଭାରୀଙ୍କୁ ହଟାଇବା ଦାବିରେ କିଛି କଂଗ୍ରେସ କର୍ମୀ କଂଗ୍ରେସ ଭବନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ସଭାପତି ଓ ପ୍ରଭାରୀଙ୍କ ବିରୋଧରେ ନାରାବାଜି କରିଥିଲେ।

ତେବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବୟାନରୁ ସେ ସଭାପତି ରହିବା ପାଇଁ ଇଚ୍ଛୁକ ନ ଥିବା ଆଭାସ ମିଳୁଛି। ହାଇକମାଣ୍ଡ ନେତୃତ୍ବ ପରିବର୍ତ୍ତନ ନେଇ ଯାହା ନିଷ୍ପତ୍ତି ନେବେ, ସେଥିରେ ତାଙ୍କର ଆପତ୍ତି ନାହିଁ ବୋଲି ସେ କହିଛନ୍ତି। ପୂର୍ବରୁ ଶ୍ରୀ ପଟ୍ଟନାୟକ ଇସ୍ତଫା ଦେଇଥିଲେ ମଧ୍ୟ ତାଙ୍କ ଇସ୍ତଫାକୁ ହାଇକମାଣ୍ଡ ଗ୍ରହଣ କରି ନ ଥିଲେ। ଏବେ ଆଉ ଥରେ ଇସ୍ତଫା ଦେଇଛନ୍ତି ବୋଲି କଂଗ୍ରେସ ମହଲରେ ଚର୍ଚ୍ଚା ହେଉଥିଲେ ବି ଶ୍ରୀ ପଟ୍ଟନାୟକ ଏ ନେଇ କିଛି ସ୍ପଷ୍ଟ କରି ନାହାନ୍ତି।

The post ଓଡ଼ିଶା କଂଗ୍ରେସରେ ପରିବର୍ତ୍ତନର ସ୍ୱର first appeared on Sambad.

from ରାଜନୀତି | Sambad https://ift.tt/3BeOuaE