ଅନୁଗୁଳ: ଛୁଟିଦିନରେ ଖୋଲିଲା ପଞ୍ଚାୟତ କାର୍ଯ୍ୟାଳୟ। ଏହା ଭିତରେ ଚାଲିଲା ବିଜେଡିର କର୍ମୀ ସମ୍ମିଳନୀ ଓ ନିର୍ବାଚନ ପ୍ରସ୍ତୁତି ବୈଠକ। ଆଉ ବୈଠକରେ ଚା’ ପାଣି ଦେଉଥିଲେ ଖୋଦ୍ ପଞ୍ଚାୟତ କର୍ମଚାରୀ। ଏହାକୁ ନେଇ ଅନୁଗୁଳ ବ୍ଲକ୍ ବେଡ଼ାଶାସନ ପଞ୍ଚାୟତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ବେଡ଼ାଶାସନ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଦଳୀୟ ବୈଠକ କରିବା ପାଇଁ କେମିତି ଅନୁମତି ମିଳିଲା ତାକୁ ନେଇ ଉଠିଛି ପ୍ରଶ୍ନ। ଏହାକୁ ନେଇ ବିରୋଧୀ ଅସନ୍ତୋଷ ଝାଡ଼ିଥିଲାବେଳେ ଏଥିନେଇ ପ୍ରଶାସନ ପାଖରେ ଫେରାଦ୍ ହେବାକୁ ନିଷ୍ପତ୍ତି ନେଇଛନ୍ତି।
ଅନୁଗୁଳ ବ୍ଳକ୍ ବେଡ଼ାଶାସନ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗତକାଲି (ରବିବାର) ବସିଥିଲା ବିଜେଡି ବୈଠକ। ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ଏଠାରେ ଦଳ ପକ୍ଷରୁ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରାଯାଇଥିଲା। ବିଜେଡି ବ୍ଳକ୍ ସଭାପତି ସରୋଜ ନାରାୟଣ ସାହୁଙ୍କ ସମେତ ପର୍ଯ୍ୟବେକ୍ଷକ ବୁଲା ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଭାଗିରଥୀ ମାଝୀ, ପଞ୍ଚାୟତ ବିଜେଡି ସଭାପତି କୃପାସିନ୍ଧୁ ସାହୁ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ଏହାସହିତ ବେଡ଼ାଶାସନ ପଞ୍ଚାୟତର ବହୁ ବିଜେଡି ନେତା ଓ କର୍ମୀ ବୈଠକରେ ଉପସ୍ଥିତ ଥିଲେ। ଆସନ୍ତା ପଞ୍ଚାୟତ ନିର୍ବାଚନରେ ଦଳ ପକ୍ଷରୁ ଦିଆଯିବା ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସମସ୍ତଙ୍କୁ ନିର୍ଦେଶ ଦିଆଯାଇଥିଲା। ଦଳ ବିରୋଧରେ ଯିଏ ଯିବ ସେମାନଙ୍କୁ ଦଳରୁ ବିଦା କରାଯିବ ବୋଲି ବରିଷ୍ଠ ନେତାମାନେ ଚେତାଇ ଦେଇଥିଲେ। ଗତକାଲି ମଧ୍ୟାହ୍ନରେ ଘଣ୍ଟା ଘଣ୍ଟା ଧରି ଏହି ବୈଠକ ଚାଲିଲା। ବୈଠକ ସମୟରେ ପଞ୍ଚାୟତର ଜଣେ କର୍ମଚାରୀ ଉପସ୍ଥିତ ରହି ନେତାମାନଙ୍କ ପାଇଁ ଚୌକି ସଜାଡ଼ିବାଠାରୁ ଆରମ୍ଭ କରି ଥଣ୍ଡାପାନୀୟ ପର୍ଯ୍ୟନ୍ତ ସବୁ କିଛି ବ୍ୟବସ୍ଥା କରିଥିଲେ।
ହେଲେ ଗୋଟିଏ ସରକାରୀ କାର୍ଯ୍ୟାଳୟରେ କେମିତି ଦଳୀୟ ବୈଠକ ହେଲା ତା’କୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ସୂଚନା ଅନୁସାରେ, ଏବେ ଏହି ପଞ୍ଚାୟତରେ ବିଜେଡି ସମର୍ଥିତ ପ୍ରାର୍ଥୀ ସରପଞ୍ଚ ଅଛନ୍ତି। ତେଣୁ ପଞ୍ଚାୟତ କାର୍ଯ୍ୟାଳୟରେ ବିଜେଡି ନେତା ଓ କର୍ମୀଙ୍କ ପ୍ରଭାବ ଅଧିକ ରହିଛି। ଗତକାଲି ଛୁଟିଦିନରେ ସେମାନେ ପଞ୍ଚାୟତ କାର୍ଯ୍ୟାଳୟ ଖୋଲି ଦଳୀୟ ବୈଠକ କରିବାକୁ ସଫଳ ହୋଇଛନ୍ତି। ତେବେ ଏଥିନେଇ ସେମାନେ ବିଧିବଦ୍ଧ ଭାବେ କାହାଠାରୁ ଅନୁମତି ନେଇ ନାହାନ୍ତି। ବୈଠକରେ ସରପଞ୍ଚ ଅନୁପସ୍ଥିତ ରହିଥିଲା ବେଳେ ପଞ୍ଚାୟତର କିଛି କର୍ମଚାରୀଙ୍କୁ କହି ବୈଠକ ଗୃହ ଖୋଲାଯାଇଥିବା ସୂଚନା ମିଳିଛି। ଏପରିକି ଏଥିରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସଂପୃକ୍ତି ଥିବା ଅଭିଯୋଗ ହେଉଛି। ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କ ବିନା ଅନୁମତିରେ ଅନ୍ୟ କର୍ମଚାରୀମାନେ କାର୍ଯ୍ୟାଳୟ ଖୋଲିଥିବେ ବୋଲି କେହି ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ଏହି ବୈଠକ ନେଇ ବିରୋଧୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଏଥିନେଇ ପ୍ରଶାସନ ପାଖରେ ଫେରାଦ୍ ହେବାକୁ ଯୋଜନା କରିଛନ୍ତି। ଅପରପକ୍ଷରେ ଏଥିନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବିଶ୍ବାଳଙ୍କୁ ତାଙ୍କ ମୋବାଇଲ ନମ୍ବର-୭୦୦୮୭୭୦୦୫୯ରେ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନ ଥିଲେ। ତେଣୁ ତାଙ୍କ ପ୍ରତିକ୍ରିୟା ମିଳି ପାରିନଥିଲା।
The post ଛୁଟିଦିନରେ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଲା ବିଜେଡିର କର୍ମୀ ସମ୍ମିଳନୀ ଓ ନିର୍ବାଚନ ପ୍ରସ୍ତୁତି ବୈଠକ first appeared on Sambad.from ରାଜନୀତି | Sambad https://ift.tt/30CDLt2
0 Comments