ଅମୃତସର: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂହ ନିଜର ଏକ ନୂତନ ଦଳ ଗଢ଼ିବା ଏବଂ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ସହ ମେଣ୍ଟ କରିବାର ସମ୍ଭାବନା ବିଷୟରେ ପ୍ରକାଶ କରିବାର ଦିନକ ପରେ ବୁଧବାର କଂଗ୍ରେସ ତାଙ୍କୁ ‘ବିଶ୍ବାସଘାତକ’ ଓ ‘ସୁବିଧାବାଦୀ’ ବୋଲି କହିଥିବା ବେଳେ ବିଜେପି ତାଙ୍କୁ ଜଣେ ସଚ୍ଚା ‘ଦେଶଭକ୍ତ’ ବୋଲି ଅଭିହିତ କରିଛି।

ସୂଚନାଯୋଗ୍ୟ ଯେ, ସିଂହ ରାଜ୍ୟ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁଙ୍କ ସହ ବିବାଦ ପରେ ଗତମାସରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଦଳ ଚରଣଜିତ୍ ସିଂହ ଚନ୍ନିଙ୍କ ମୁଣ୍ଡରେ ସୁନା କଳସ ଢାଳିଲା ଓ ତାଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଲା। ଏହାପରେ ପରବର୍ତ୍ତୀ ନିର୍ବାଚନରେ ଜିତି ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଥିବା ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଦେବି ନାହିଁ ବୋଲି ପ୍ରତିଜ୍ଞା କରିଥିବା କ୍ୟାପ୍‌ଟେନ ଅମରିନ୍ଦର ସିଂହ ନିଜର ଏକ ଦଳ ଗଠନ କରିବାକୁ ଘୋଷଣା କରିଥିବା ବେଳେ କଂଗ୍ରେସ ତାଙ୍କୁ ବିଶ୍ବାସଘାତକ ଓ ସୁବିଧାବାଦୀ ବୋଲି କହିଛି। ଅପରପକ୍ଷେ ବିଜେପି ସାଧାରଣ ସମ୍ପାଦକ ତଥା ଦଳର ରାଜ୍ୟ ପ୍ରଭାରୀ ଦୁଷ୍ୟନ୍ତ ଗୌତମ ବୁଧବାର ଯେକୌଣସି ଜାତୀୟତାବାଦୀ ଚିନ୍ତାଧାରା ସମନ୍ବିତ ଦଳ ବା ‌ନେତାଙ୍କ ପାଇଁ ବିଜେପିର ଦ୍ବାର ସବୁବେଳେ ଉନ୍ମୁକ୍ତ ବୋଲି କହିଥିଲେ। ତା’ଛଡ଼ା ଅମରିନ୍ଦର ହେଉଛନ୍ତି ଜଣେ ପୂର୍ବତନ ସୈନିକ ଓ ଦେଶଭକ୍ତ। ଦେଶ ପ୍ରତି ବାହାର ଶତ୍ରୁଙ୍କଠାରୁ କେଉଁଭଳି ବିପଦ ରହିଛି ଏବଂ କିପରି ଦେଶର ସୁରକ୍ଷା କରିହେବ ତାହା ସେ ଭଲଭାବେ ଜାଣନ୍ତି। ତେଣୁ ତାଙ୍କ ସହ ହାତ ମିଳେଇବା ପାଇଁ ଆମେ ଉତ୍ସୁକ ‌ବୋଲି ଗୌତମ କହିଥିଲେ। କୃଷି ଆଇନ ବିଷୟରେ ଅମରିନ୍ଦରଙ୍କ ସ୍ଥିତି ବିପରୀତ ଥିବା ନେଇ ପ୍ରଶ୍ନ କରାଯିବାରୁ ଗୌତମ କହିଥିଲେ ଯେ, କୃଷି ଆଇନ ନୁହେଁ ବରଂ କୃଷକଙ୍କ ସମସ୍ୟା ବିଷୟରେ ସେ ଚିନ୍ତିତ। ଆମେ ବି କୃଷକଙ୍କ ଉନ୍ନତି ଓ ମଙ୍ଗଳ ଚାହୁଁ। ସମୟ ଆସିଲେ ଉଭୟେ ଏକାଠି ବସି କୃଷକଙ୍କ ସମସ୍ୟା ବିଷୟରେ ଆଲୋଚନା କରିବୁ ବୋଲି ସେ କହିଥିଲେ।

The post ଅମରିନ୍ଦରଙ୍କୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ: କଂଗ୍ରେସ କହିଲା ସୁବିଧାବାଦୀ first appeared on Sambad.

from ରାଜନୀତି | Sambad https://ift.tt/2Z9MulQ