
ଜିଲ୍ଲାପାଳଙ୍କ ସହ ନିର୍ବାଚନ କମିସନର୍ଙ୍କ ଆଲୋଚନା
୫ ସୁଦ୍ଧା ମତଦାନ ବୁଥ୍ ଚିହ୍ନଟ ହେବ
ଭୁବନେଶ୍ବର : ୨୦୨୨ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାକ୍ ପ୍ରସ୍ତୁତି ଜୋର୍ଦାର୍ ଚାଲିଛି। ଗୋଟିଏ ପଟେ ସରକାର ସଂରକ୍ଷଣ ପ୍ରକ୍ରିୟା ଜାରି ରଖିଥିଲା ବେଳେ ଅନ୍ୟ ପଟେ ନିର୍ବାଚନ କମିସନ୍ ତାଙ୍କ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆଜି ରାଜ୍ୟ ନିର୍ବାଚନ କମିସନର୍ ଆଦିତ୍ୟ ପ୍ରସାଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କ ସହ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି। ଏଥର ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି ବ୍ଲକ୍ ମୁଖ୍ୟାଳୟରେ ଅନୁଷ୍ଠିତ ହେବ। ଏଥିରେ ସମସ୍ତ ଜିଲ୍ଲାପାଳ ଭୋଟ୍ ଗଣତି ସମ୍ପର୍କରେ ଜାରି କରାଯାଇଥିବା ବିସ୍ତୃତ ନିୟମାବଳୀକୁ ଅନୁଧ୍ୟାନ କରିବା ପାଇଁ କମିସନର୍ କହିଥିଲେ। ଏଣୁ ଜିଲ୍ଲାପାଳମାନେ ବ୍ଲକ୍ ମୁଖ୍ୟାଳୟରେ ଭୋଟ୍ଗଣତି କେନ୍ଦ୍ର ଚିହ୍ନଟ ସହ ପ୍ରସ୍ତୁତ କରି ରଖିବାକୁ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ସୂଚନା ଦିଆଯାଇଥିଲା ଯେ ନିର୍ବାଚନ କମିସନ୍ଙ୍କ ପକ୍ଷରୁ ପଞ୍ଚାୟତ ନିର୍ବାଚନ ନିମନ୍ତେ ଜାନୁଆରି ୨୦୨୧ରେ ପ୍ରକାଶ ପାଇଥିବା ବିଧାନସଭା ନିର୍ବାଚନମଣ୍ଡଳୀ ଭୋଟର୍ ତାଲିକା ସମସ୍ତ ଜିଲ୍ଲାଗୁଡ଼ିକୁ ସିଡି(ଏକ୍ସଲ୍ ଫର୍ମାଟ୍) ଜରିଆରେ ପଠାଯାଇଛି। ଏହାକୁ ଆଧାର କରି ଜିଲ୍ଲା ପ୍ରଶାସନ ଏକ୍ସଲ୍ ଫର୍ମାଟ୍ରେ ଆସନ୍ତା ୨୦୨୨ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ଭୋଟର୍ ତାଲିକା ପ୍ରସ୍ତୁତ କରିବାକୁ କମିସନର୍ ନିର୍ଦ୍ଦେଶ ଦେଇଥିଲେ। ନିର୍ବାଚନ କମିସନ୍ ପଞ୍ଚାୟତ ନିର୍ବାଚନ ପାଇଁ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କୁ ନିଯୁକ୍ତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଚିଠି ମାଧ୍ୟମରେ ପୂର୍ବରୁ ଅବଗତ କରାଇଛନ୍ତି। ଏହି କାର୍ଯ୍ୟ ୨୫/୧୦/୨୦୨୧ ସୁଦ୍ଧା ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ନଭେମ୍ବର ୫ ତାରିଖ ସୁଦ୍ଧା ଭୋଟ୍ ଗ୍ରହଣ କେନ୍ଦ୍ର ଚିହ୍ନଟ କରିବା ପାଇଁ ଜିଲ୍ଳାପାଳମାନଙ୍କୁ କୁହାଯାଇଛି। ଯେଉଁଠାରେ ଭୋଟ୍ ଗ୍ରହଣ ନିମନ୍ତେ ସୁବିଧା ନ ଥିବ, ସେଠାରେ ଅସ୍ଥାୟୀ ଭୋଟ୍ ଗ୍ରହଣ କେନ୍ଦ୍ର ନିର୍ମାଣ କରାଇବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ପଞ୍ଚାୟତ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ବାଲଟ ବକ୍ସ ସମ୍ପର୍କରେ ନିର୍ବାଚନ କମିସନର୍ ଆଲୋଚନା କରିଥିଲେ। ପ୍ରତ୍ୟେକ ଜିଲ୍ଲାରେ କେତେ କେତେ ବାଲଟ ବକ୍ସ ଦରକାର ହେବ, ଜିଲ୍ଲା ସ୍ତରରେ କେତେ ବାଲଟ ବକ୍ସ ଅଛି, ସେ ସମ୍ପର୍କରେ କମିସନର୍ ଜାଣିବାକୁ ଚାହିଁଥିଲେ। ପଞ୍ଚାୟତ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ବାଲଟ ବକ୍ସର ମରାମତି ଓ ରଙ୍ଗ କରାଇବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ସେ କହିଥିଲେ। ଏଥି ନିମନ୍ତେ ଜିଲ୍ଲାଗୁଡ଼ିକୁ ୧ କୋଟି ୧୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ନଭେମ୍ବର ୧୫ ତାରିଖ ସୁଦ୍ଧା ଏ ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଥିଲା। ଜିଲ୍ଲାସ୍ତରରେ ବାଲଟ ବକ୍ସ କଭର୍ କିଣିବା ପାଇଁ କମିସନ୍ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି କାର୍ଯ୍ୟ ନଭେମ୍ବର ୩୦ ତାରିଖ ସୁଦ୍ଧା ଶେଷ କରିବାକୁ କମିସନ୍ ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଚାୟତିରାଜ ବିଭାଗର ପତ୍ର ଅନୁସାରେ ଜିଲ୍ଲାପାଳମାନେ ସଂପୃକ୍ତ ଜିଲ୍ଲାର ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ କାର୍ଯ୍ୟ ଶେଷ କରି ୨୬ ତାରିଖ ସୁଦ୍ଧା ନିର୍ବାଚନ କମିସନ୍ଙ୍କୁ ପଠାଇବେ। ଏହି ତାଲିକାକୁ ଜିଲ୍ଲାପାଳମାନେ ସ୍ବତନ୍ତ୍ର ବାର୍ତ୍ତାବହ ଜରିଆରେ ପଠାଇବା ପାଇଁ କୁହାଯାଇଥିଲା। ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ହୋଇଥିବା ଏହି ବୈଠକରେ ସମସ୍ତ ଜିଲ୍ଲାପାଳ, ପଞ୍ଚାୟତ ଅଧିକାରୀ, ନିର୍ବାଚନ କମିସନ୍ଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ଓ ଉପସଚିବ ଆଜାଦ ହିନ୍ଦ ପାଣିଗ୍ରାହୀ ପ୍ରମୁଖ ସାମିଲ ହୋଇଥିଲେ।
The post ପଞ୍ଚାୟତ ନିର୍ବାଚନ: ବ୍ଲକ୍ ମୁଖ୍ୟାଳୟରେ ଭୋଟ୍ ଗଣତି କେନ୍ଦ୍ର ପ୍ରସ୍ତୁତ ରଖ first appeared on Sambad.from ରାଜନୀତି | Sambad https://ift.tt/3ng57wP
0 Comments