ନବରଙ୍ଗପୁର: ପୂର୍ବତନ ସାଂସଦ ତଥା ନବରଙ୍ଗପୁର କଂଗ୍ରେସ ରାଜନୀତିର ଜଣେ ପ୍ରମୁଖ ଚେହେରା ପ୍ରଦୀପ ମାଝୀ ଦଳ ଛାଡ଼ିଦେବା ପରେ କଂଗ୍ରେସ ଶକ୍ତି ପ୍ରଦର୍ଶନ କରୁଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସରେ ନବରଙ୍ଗପୁର ପାପଡାହାଣ୍ଡିରେ କଂଗ୍ରେସ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିଛି। ପାପଡାହାଣ୍ଡି ବ୍ଲକର ଜଲାବାଟ ହାଇସ୍କୁଲ ପଡ଼ିଆରେ ପ୍ରତିପକ୍ଷଙ୍କୁ ଦଳର ଏକତା ପ୍ରଦର୍ଶନ କରିବ କଂଗ୍ରେସ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳ ଏକାଠି ରହିଥିବା ବାର୍ତ୍ତା ଦେବାପାଇଁ ଏଭଳି ଏକ ରଣନୀତି କରାଯାଇଛି।

ରାଜ୍ୟ ପ୍ରଭାରୀ ଚେଲା କୁମାରଙ୍କ ସହ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଏଆଇସିସି ସାଧାରଣ ସଂପାଦକ ରୁଦ୍ର ରାଜୁ, ସାଧାରଣ ସଂପାଦକ ମୋହନ ପ୍ରକାଶ, କୋରାପୁଟ ସାଂସଦ ସପ୍ତଗିରି ଉଲାକା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ଅବିଭକ୍ତ କୋରାପୁଟ ଜିଲ୍ଲାର କଂଗ୍ରେସ କର୍ମୀ ଓ ସମର୍ଥକଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ। ଆଗକୁ ଦଳର ରଣନୀତି କଣ ହେବ, ସେନେଇ ଏହି ସଭାରେ କଂଗ୍ରେସର ତୁଙ୍ଗ ନେତାମାନେ ସ୍ପଷ୍ଟ କରିବେ।

ସେପଟେ, ଜୟପୁର ଏୟାରଷ୍ଟ୍ରିପରେ ଆଦିବାସୀଙ୍କ ସହ ନାଚିଲେ ଓଡ଼ିଶା ପ୍ରଭାରୀ ଚେଲା କୁମାର। ନବରଙ୍ଗପୁର ଗସ୍ତରେ ଥିବା ରାଜ୍ୟ ପ୍ରଭାରୀ ଚେଲା କୁମାର, ଜୟପୁର ବିଧାୟକଙ୍କ ସହ ମିଶି ଆଦିବାସୀଙ୍କ ପାଦରେ ପାଦ ମିଶାଇ ନାଚିଛନ୍ତି। ନବରଙ୍ଗପୁରରେ କଂଗ୍ରେସ ତାର ଶକ୍ତି ପ୍ରଦର୍ଶନ କରୁଥିବାବେଳେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପହଞ୍ଚିଥିଲେ ରାଜ୍ୟ ପ୍ରଭାରୀ ଚେଲା କୁମାର। ତାଙ୍କୁ ସ୍ୱାଗତ କରିବା ପାଇଁ ସ୍ଥାନୀୟ ଆଦିବାସୀଙ୍କ ଦ୍ୱାରା ଢେମସା ନାଚ ପ୍ରଦର୍ଶନ କରାଯାଇଥିଲା। ଏତିକିବେଳେ ବିଧାୟକ ତାରା ବାହିନୀପତିଙ୍କ ସହ ଚେଲା କୁମାର ମଧ୍ୟ ଆଦିବାସୀଙ୍କ ସହ ପାଦ ମିଳାଇଥିଲେ।

 

 

The post ପ୍ରଦୀପ ମାଝୀ ଦଳ ଛାଡ଼ିବା ପରେ ନବରଙ୍ଗପୁରରେ କଂଗ୍ରେସର ଶକ୍ତି ପ୍ରଦର୍ଶନ first appeared on Sambad.

from ରାଜନୀତି | Sambad https://ift.tt/3w0TKfX