ନୂଆଦିଲ୍ଲୀ : ପଂଜାବ କଂଗ୍ରେସରେ ଏବେ ଯେଉଁ ସଙ୍କଟ ଦେଖାଦେଇଛି ତାହାକୁ ଟାଳି ଦିଆଯାଇ ପାରିଥାନ୍ତା ଏବଂ ସଙ୍କଟ ଆରମ୍ଭରୁ ଏହାର ସଠିକ୍‌ ସମାଧାନ ପନ୍ଥା ଗ୍ରହଣ କରାଯାଇଥିଲେ ଏପରି ଦୁସ୍ଥିତି ଆସିନଥାନ୍ତା ବୋଲି ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଦା କହିଛନ୍ତି। କଂଗ୍ରେସରେ ସ୍ଥାୟୀ ସଭାପତି ନଥିବାରୁ ମଧ୍ୟ ସମସ୍ୟା ବଢ଼ୁଛି ଏବଂ ଦଳ ଏ ଦିଗରେ ମଧ୍ୟ ଗୁରୁତ୍ବର ସହ ଚିନ୍ତା କରିବା ଆବଶ୍ୟକ ବୋଲି ହୁଦା କହିଛନ୍ତି। କଂଗ୍ରେସରୁ ଅନେକ ଦକ୍ଷ ଓ ବିରିଷ୍ଠ ନେତା ଛାଡ଼ି ଚାଲିଯାଉଥିବାରୁ ହୁଦା ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜିତିନ ପ୍ରସାଦ, ଅମରିନ୍ଦର ସିଂହ ଏବଂ ପୂର୍ବତନ ଗୋଆ ମୁଖ୍ୟମନ୍ତ୍ରୀ ଲୁଇଜିନୋ ଫାଲେରିଓ ଦଳ ଛାଡ଼ିବା ଯୋଗୁଁ କଂଗ୍ରେସ ଦୁର୍ବଳ ହୋଇଛି ବୋଲି ହୁଦା କହିଛନ୍ତି। ଦଳର ପରିସ୍ଥିତି ନେଇ ମୁହଁ ଖୋଲିଥିବା ବରିଷ୍ଠ ନେତା କପିଲ ସିବଲଙ୍କ ଘର ବାହାରେ ଯେଉଁଭଳି ବିରୋଧ ପ୍ରଦର୍ଶନ କରାଗଲା ତାହା ଦାଦାଗିରି ଥିଲା ଏବଂ ଏଭଳି କାର୍ଯ୍ୟକୁ କଂଗ୍ରେସରେ ପ୍ରଶ୍ରୟ ଦିଆଯିବା ଉଚିତ ନୁହେଁ ବୋଲି ହୁଦା କହିଛନ୍ତି।

ଛତିଶଗଡ଼ରେ ପଂଜାବ ପରି ସ୍ଥିତି ନାହିଁ: କଂଗ୍ରେସ ବିଧାୟକ
ନୂଆଦିଲ୍ଲୀ : ପଂଜାବରେ ରାଜନୈତିକ ସଙ୍କଟ ଲାଗି ରହିଥିବା ବେଳେ ଆଗକୁ ଛତିଶଗଡ଼ରେ ବି ଅନୁରୂପ ସ୍ଥିତି ନେଇ ଭୟ ରହିଛି। ଛତିଶଗଡ଼ରୁ ବହୁ ସଂଖ୍ୟାରେ କଂଗ୍ରେସ ବିଧାୟକ ଗୁରୁବାର ଦିଲ୍ଲୀ ପହଞ୍ଚିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ଦଳର ପ୍ରଭାରୀ ପିଏଲ୍‌ ପୁନିଆଙ୍କୁ ଭେଟିବାପାଇଁ ସେମାନେ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି କଂଗ୍ରେସ ବିଧାୟକମାନେ କହିଛନ୍ତି, ଛତିଶଗଡ଼ରେ ପଂଜାବ ପରି ସ୍ଥିତି ନାହିଁ। ପଂଜାବ ସଙ୍କଟ ସହ ଆମ ଗସ୍ତର କିଛି ସଂଯୋଗ ନାହିଁ ବିଧାୟକମାନେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଭୂ‌ପେଶ ବାଘେଲଙ୍କୁ ବିଧାୟକମାନେ ପ୍ରଶଂସା କରିଛନ୍ତି। ବାଘେଲଙ୍କୁ ଦଳ ପରିବର୍ତ୍ତନ ନ କରି ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳ ସଂପୂର୍ଣ୍ଣ କରିବା ପାଇଁ ସୁଯୋଗ ଦେବାକୁ ବିଧାୟକମାନେ କହିଛନ୍ତି।

The post ଅସନ୍ତୁଷ୍ଟ ନେତାଙ୍କ ସହ ସ୍ୱର ମିଳାଇଲେ ହୁଦା first appeared on Sambad.

from ରାଜନୀତି | Sambad https://ift.tt/3F8u4SX