କୋଲ୍‌କାତା: ଆଜି କୋଲ୍‌କାତାରେ ଗୋଆର ବର୍ଷିୟାନ୍‌ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିହ୍ନୋ ଫଲେରିଓ ଏବଂ ତାଙ୍କର କେତେଜଣ ଅନୁଗାମୀ ‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେଇଛନ୍ତି। ‘ତୃଣମୂଳ କଂଗ୍ରେସ’ ସାଂସଦ ଅଭିଷେକ ବାନାର୍ଜୀ ଫଲେରିଓ ଏବଂ ତାଙ୍କ ଅନୁଗାମୀମାନଙ୍କ ହାତକୁ ଦଳର ପତାକା ଦେଇଥିଲେ।

‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେବା ଲାଗି ମଙ୍ଗଳବାର ଦିନ ଲୁଇଜିହ୍ନୋ ଫଲେରିଓ ଏବଂ ଅନ୍ୟ କଂଗ୍ରେସ ନେତାମାନେ କୋଲ୍‌କାତାରେ ପହଞ୍ଚିଥିଲେ। ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଫଲେରିଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଜଣେ ‘ଷ୍ଟ୍ରିଟ୍‌ଫାଇଟର୍‌’ ଏବଂ ସେ ‘ବିଜେପି’କୁ ବଙ୍ଗ ପ୍ରବେଶ କରାଇ ଦେଇନାହାନ୍ତି କହି ଭୂୟସୀ ପ୍ରଶଂସା କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ, ମମତା ମହିଳା ସଶକ୍ତିକରଣର ସଙ୍କେତ ଅଟନ୍ତି। ସେ ଦେଶକୁ ବିକାଶ ଓ ପ୍ରଗତି ପଥକୁ ଫେରାଇ ଆଣି ପାରିବେ।

Image Courtesy of The Quint

ଲୁଇଜିହ୍ନୋ ଫଲେରିଓ ‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେବା ପରେ ଟୁଇଟ୍‌ କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲେଖିଛନ୍ତି, ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ୭ ଥର ବିଧାୟକ ହୋଇଥିବା ପ୍ରବୀଣ ନେତା ଲୁଇଜିହ୍ନୋ ଫଲେରିଓଙ୍କୁ ‘ତୃଣମୂଳ କଂଗ୍ରେସ’ ପରିବାରକୁ ସ୍ବାଗତ କରି ମୁଁ ଗୌରବାନ୍ବିତା। ‌ପ୍ରତ୍ୟେକ ଗୋଆବାସୀଙ୍କ ପାଇଁ ଆମ‌େ ମିଳିତ ହୋଇ ବିଭାଜନ ସୃଷ୍ଟିକାରୀ ଶକ୍ତି ବିରୋଧରେ ଲଢ଼ିବୁ ଏବଂ ଗୋଆରେ ବିକାଶର ନୂତନ ଅୟମାରମ୍ଭ କରିବୁ।

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ‘ଏମ୍‌ଜିପି’ର ପୂର୍ବତନ ବିଧାୟକ ଲବୁ ମାମ୍‌ଲେଦାର୍‌, କଂଗ୍ରେସ ସାଧାରଣ ସଚିବ ଯତୀଶ ନାଇକ୍‌ ଏବଂ ବିଜୟ ପୋଇ ଓ କଂଗ୍ରେସ ସଚିବ ମାରିଓ ପ‌ିଣ୍ଟୋ ଡି ସାଣ୍ଟାନା ଏବଂ ଆନନ୍ଦ ନାଇକଙ୍କୁ ମଧ୍ୟ ଦଳକୁ ସ୍ବାଗତ କରି ମୁଁ ଆନନ୍ଦିତା।

‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେଇ ସାରିବା ପରେ ଲୁଇଜିହ୍ନୋ ଫଲେରିଓ କହିଲେ, ଗୋଆ ଗୋଟାଏ ବିଶ୍ବସନୀୟ ବିକଳ୍ପ ଚାହୁଁଥିବା ହେତୁ ଆଜି ମୁଁ ଦିଦିଙ୍କ ସଙ୍ଗେ ନୂତନ ଯାତ୍ରା ଆରମ୍ଭ କରୁଛି। ଗୋଆ ଆସି ତା’ର ପରିଚିତି ଏବଂ ଐତିହ୍ୟ ସୁରକ୍ଷିତ ରଖିବା ପାଇଁ ମୁଁ ତାଙ୍କୁ ଅନୁରୋଧ କରୁଛି।

The post ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେଲେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିହ୍ନୋ ଫଲେରିଓ first appeared on Sambad.

from ରାଜନୀତି | Sambad https://ift.tt/3EZlKVs