
ନୂଆଦିଲ୍ଲୀ: ବିଶେଷସୂତ୍ରରୁ ମିଳିଥିବା ଖବର ଅନୁସାରେ, ଆଜି ସନ୍ଧ୍ୟା୫ଟାରେ ବିଧାୟକମାନଙ୍କର ଅପ୍ରତ୍ୟାଶିତ ବୈଠକ ବସିବା ପୂର୍ବରୁ କଂଗ୍ରେସ ପଠାଇଥିବା ନୋଟିସ୍ ପାଇ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର୍ ସିଂହ କୁଆଡ଼େ ସୋନିଆ ଗାନ୍ଧୀଙ୍କୁ କହିଛନ୍ତି, ଏଭଳି ଅପମାନ ସହି ସେ ଦଳରେ ରହିପାରିବେ ନାହିଁ।
ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ, ମୁଖ୍ୟମନ୍ତ୍ରୀ ପଦର ଇସ୍ତଫା ଦେବା ଲାଗି ଅମରିନ୍ଦରଙ୍କୁ କୁହାଯାଇଛି। ତାଙ୍କ ସ୍ଥାନରେ ନବଜୋତ୍ ସିଂହ ସିଧୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି।
ବହୁସଂଖ୍ୟକ ବିଧାୟକମାନଙ୍କ ଠାରୁ ଆବେଦନ ପାଇଥିବା ଦର୍ଶାଇ ଜରୁରୀ ବୈଠକ ଘୋଷଣା କରାଯାଉଛି ବୋଲି ଗତ ବିଳମ୍ବିତ ରାତ୍ରୀରେ କଂଗ୍ରେସ ଟୁଇଟ୍ କରିଥିଲା। ଅମରିନ୍ଦର୍ ସିଂହଙ୍କୁ ହଟାଇ ଦେବା ଲାଗି ପଞ୍ଜାବ ବିଧାୟକମାନେ ଦଳ ଉପରେ ଚାପ ପକାଉଥିବା ବେଳେ ଅମରିନ୍ଦର ସିଂହ ଇସ୍ତଫା ଦେବାକୁ ଚାହୁଁ ନାହାନ୍ତି।
ପଞ୍ଜାବ ଦାୟିତ୍ବରେ ଥିବା ହରିଶ ରାୱତ୍ ରାହୁଲ୍ ଗାନ୍ଧୀ, ଅମରିନ୍ଦର ସିଂହ ଏବଂ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ୍ ସିଂହ ସିଧୁଙ୍କୁ ‘ଟ୍ୟାଗ୍’ ପୋଷ୍ଟ୍ କରିଥିବା ଟୁଇଟ୍କୁ ସେମାନେ ମଧ୍ୟ ରି-ଟୁଇଟ୍ କରିଛନ୍ତି।
ଅମରିନ୍ଦର ସିଂହ ଏବଂ ତାଙ୍କର ଦଳୀୟ ପ୍ରତିଦ୍ବନ୍ଦ୍ବୀ ନବଜୋତ୍ ସିଂହ ସିଧୁଙ୍କ ମଧ୍ୟରେ ଉପୁଜିଥିବା ବିବାଦର ମଧ୍ୟସ୍ଥତା କରିବାକୁ ଉଦ୍ୟମ କରିବାର ଅଳ୍ପ ଦିନ ପରେ ଏହି ବୈଠକ ଡକାଯିବା ନେତୃତ୍ବ ପରିବର୍ତ୍ତନର ସଙ୍କେତ ବହନ କରୁଛି ବୋଲି ଶୁଣାଯାଉଛି।
ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ଏଥିରେ ଉତ୍କ୍ଷିପ୍ତ ହୋଇ ଅମରିନ୍ଦର ସିଂହ ଦଳର ଅଧ୍ୟକ୍ଷାଙ୍କୁ କହିଛନ୍ତି, ଏଭଳି ଅପମାନ ଢେର୍ ହୋଇଗଲା, ତୃତୀୟ ଥର ପାଇଁ ଏମିତିକା ଅପମାନ ପାଇଲି। ଏଭଳି ଅପମାନ ସହି ମୁଁ ଦଳରେ ରହିପାରିବି ନାହିଁ।
The post ସୋନିଆ ଗାନ୍ଧୀଙ୍କୁ କହିଲେ କ୍ୟାପ୍ଟେନ୍ ଅମରିନ୍ଦର୍: ଏଭଳି ଅପମାନ ସହି ଦଳରେ ରହିପାରିବି ନାହିଁ first appeared on Sambad.from ରାଜନୀତି | Sambad https://ift.tt/3hKinYv
0 Comments