ରାୟପୁର: ବ୍ରାହ୍ମଣ ସମ୍ପ୍ରଦାୟ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଗେଲଙ୍କ ପିତା ନନ୍ଦ କୁମାର ବାଗେଲଙ୍କୁ ଆଜି ଅପରାହ୍ନରେ ଛତିଶଗଡ଼ ପୁଲିସ୍‌ ଗିରଫ କରିଛି। ନନ୍ଦ କୁମାରଙ୍କୁ ଗିରଫ କରିବା ପରେ ପରେ ପୁଲିସ୍‌ ତାଙ୍କୁ ରାୟପୁରର ଏକ କୋର୍ଟରେ ହାଜର କରାଇଥିଲା। ତେବେ, କୋର୍ଟରେ ବିଚାରପତି ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେବା ସହ ତାଙ୍କୁ ୧୫ ଦନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ନିଜ ପିତାଙ୍କ ଗିରଫଦାରୀ ପରେ ମୁଖ୍ୟମନ୍ତ୍ରୀ ପୁତ୍ର ଭୂପେଶ ବାଗେଲ କହିଛନ୍ତି ଯେ ଆଇନର ଉର୍ଦ୍ଧ୍ୱରେ କେହି ନୁହନ୍ତି। ଜଣେ ମୁଖ୍ୟମନ୍ତ୍ରୀ ଭାବରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସମନ୍ଵୟ ରକ୍ଷା କରିବା ମୋର ଦାୟତ୍ୱ ଅଟେ। ଯଦି ସେ (ପିତା) ଏକ ସମ୍ପ୍ରଦାୟ ବିରୁଦ୍ଧରେ ମନ୍ତବ୍ୟ ଦେଇଛନ୍ତି, ମୁଁ ସେଥିପାଇଁ ଦୁଃଖିତ। ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭୂପେଶ ବାଗେଲ ଗଣମାଧ୍ୟମକୁ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି; ପୁଅ ଭାବରେ ମୁଁ ମୋର ପିତାଙ୍କୁ ସମ୍ମାନ କରେ। କିନ୍ତୁ ଜଣେ ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର କୌଣସି ଭୁଲକୁ ଅଣଦେଖା କରାଯାଇପାରିବ ନାହିଁ। ଯାହା ସାଧାରଣ ଜନତାଙ୍କୁ ବିଘ୍ନ କରିଥାଏ। ସେ ମୁଖ୍ୟମନ୍ତ୍ରୀଙ୍କ ପିତା ହୋଇଥିଲେ ମଧ୍ୟ ଆମ ସରକାରରେ କେହି ଆଇନଠାରୁ ଉର୍ଦ୍ଧ୍ୱରେ ନାହାଁନ୍ତି।

ଉଲ୍ଲେଖଯୋଗ୍ୟ, ନନ୍ଦ କୁମାର ବ୍ରାହ୍ମଣମାନଙ୍କୁ ବିଦେଶୀ ବୋଲି କହି ସେମାନଙ୍କୁ ବାସନ୍ଦ କରିବା ସହ ଗ୍ରାମରେ ପ୍ରବେଶ କରାଇ ନଦେବାକୁ ଲୋକଙ୍କୁ ଆହ୍ଵାନ ଦେଇଥିଲେ। ନନ୍ଦ କୁମାରଙ୍କ ଏହି ଆହ୍ଵାନକୁ ବିରୋଧ କରି ‘ସର୍ଭ ବ୍ରାହ୍ମଣ ସମାଜ’ ଦ୍ୱାରା ଡିଡି ନଗର ପୁଲିସ୍‌ ଥାନାରେ ଲିଖିତ ଅଭିଯୋଗ ଦାଖଲ କରାଯିବା ପରେ ପୁଲିସ ନନ୍ଦ କୁମାର ବାଗେଲ (୭୫)ଙ୍କ ବିରୋଧରେ ଶନିବାର ବିଳମ୍ବିତ ରାତିରେ ଏଫଆଇଆର ପଞ୍ଜିକରଣ କରିଥିଲା। ଏହି ମାମଲା ଭାରତୀୟ ଦଣ୍ଡ ସଂହିତାର ଧାରା ୧୫୩-ଏ (ଧର୍ମ, ଜାତି, ଜନ୍ମ ସ୍ଥାନ, ବାସସ୍ଥାନ, ଭାଷାକୁ ନେଇ ଶତ୍ରୁତା ସୃଷ୍ଟି କରିବା) ଏବଂ ୫୦୫ (୧) (ଖ) (ଉଦ୍ଦେଶ୍ୟ ପୂର୍ଣ୍ଣ ଭାବେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା) ଅନୁଯାୟୀ ପଞ୍ଜୀକୃତ ହୋଇଥିଲା। ଏହି ମାମଲାର ତଦନ୍ତ କରି ପୁଲିସ ଆଜି ତାଙ୍କୁ ଗିରଫ କରିଛି।

The post ବ୍ରାହ୍ମଣଙ୍କ ବିରୋଧରେ ମନ୍ତବ୍ୟ ଦେଇ ଗିରଫ ହେଲେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ପିତା ନନ୍ଦ କୁମାର first appeared on Sambad.

from ରାଜନୀତି | Sambad https://ift.tt/3n64OpP