ନୂଆଦିଲ୍ଲୀ: ଗାନ୍ଧି ପରିବାରର ଏକାନ୍ତ ଅନୁଗତ ତଥା କଂଗ୍ରେସର ବରିଷ୍ଠ ନେତ୍ରୀ ଅମ୍ବିକା ସୋନି ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ମନା କରିଦେଇଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀ ଜଣେ ଶିଖ୍‌ ସଂପ୍ରଦାୟର ବ୍ୟକ୍ତି ହେବା ଆବଶ୍ୟକ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ପଦରେ ବସିବା ପୂର୍ବରୁ ସେ ତାଙ୍କର ଅନ୍ତଃସ୍ବରକୁ ଶୁଣିବା ଆବଶ୍ୟକ ବୋଲି ସୋନି ମତ ଦେଇଛନ୍ତି।

ଗତରାତିରେ ସୋନି ଉଭୟ ରାହୁଲ ଏବଂ ସୋନିଆ ଗାନ୍ଧିଙ୍କ ସହିତ କଥା ହୋଇଛନ୍ତି। ପଞ୍ଜାବ ସହିତ ତାଙ୍କର ଗଭୀର ସଂପର୍କ ରହିଥିବା ସେ କେନ୍ଦ୍ରୀୟ ନେତୃବର୍ଗଙ୍କୁ ଜଣାଇଛନ୍ତି। ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁ ମଧ୍ୟ ତାଙ୍କୁ ବୁଝାଇବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ସେ ଏହି ପଦରେ ବସିବାକୁ ମନା କରିଦେଇଥିଲେ। ଅମ୍ବିକା ସୋନିଙ୍କୁ ଇନ୍ଦିରା ଗାନ୍ଧି ୧୯୬୯ ମସିହାରେ ରାଜନୀତିକୁ ଆଣିଥିଲେ। ଦେଶ ବିଭାଜନ ବେଳେ ସୋନିଙ୍କ ବାପା ଅମୃତସର ଜିଲ୍ଲାପାଳ ଥିଲେ। ନେହରୁଙ୍କ ସହିତ ତାଙ୍କର ଅତ୍ୟନ୍ତ ଘନିଷ୍ଠ ସଂପର୍କ ଥିଲା। ଅମ୍ବିକା ସୋନି ସଂଜୟ ଗାନ୍ଧିଙ୍କ ସହିତ ମଧ୍ୟ କାମ କରିଛନ୍ତି। ଦଳର ଅନେକ ଛାମୁଆ ସଂଗଠନର ନେତୃତ୍ବ ସେ ନେଇଛନ୍ତି। ପଞ୍ଜାବର ହୋସିଆରପୁରର ବାସିନ୍ଦା ସୋନି ରାଜ୍ୟସଭାକୁ ଏକାଧିକ ଥର ନିର୍ବାଚିତ ହୋଇଛନ୍ତି।

The post ମୁଖ୍ୟମନ୍ତ୍ରୀ ହେବାକୁ କାହିଁକି ମନାକଲେ ଅମ୍ବିକା ସୋନି ? first appeared on Sambad.

from ରାଜନୀତି | Sambad https://ift.tt/3hN9L3w