ଚଣ୍ଡିଗଡ଼: କ୍ୟାପ୍‌ଟେନ ଅମରିନ୍ଦର ସିଂହ ପଂଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ଆଜି ଚରଣଜିତ୍‌ ସିଂହ ଚନ୍ନିଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଛି। ୫୮ ବର୍ଷୀୟ ଦଳିତ ନେତା ଚନ୍ନି ରାଜ୍ୟର ଚମ୍‌କୌର ସାହିବ ଆସନରୁ ବିଧାୟକ ଅଛନ୍ତି। ସେ କଂଗ୍ରେସ ଟିକଟରେ ତୃତୀୟ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଛନ୍ତି। ଏକଦା ଅମରିନ୍ଦରଙ୍କ ସହ ଘନିଷ୍ଠ ଥିବା ଚନ୍ନି ପ୍ରାୟ ୨ ବର୍ଷ ହେଲା ତାଙ୍କୁ ବିରୋଧ କରି ଆସୁଛନ୍ତି। ୨୦୧୭ରେ ଚରଣଜିତ୍‌ ସିଂହ ଚନ୍ନିଙ୍କୁ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ କରାଯାଇଥିଲା। ତେବେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଦ୍ବାଦଶ ଶ୍ରେଣୀରେ ସୀମିତ ଥିବାରୁ ଏହାକୁ ନେଇ ବିବାଦ ହୋଇଥିଲା।

ଚନ୍ନି ୨୦୧୫-୨୦୧୬ରେ ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ଦାୟିତ୍ବ ତୁଲାଇଥିଲେ। ଏହା ସହିତ ସେ ଅମରିନ୍ଦର ସିଂହଙ୍କ କ୍ୟାବିନେଟ୍‌ରେ ବୈଷୟିକ ଶିକ୍ଷା ମନ୍ତ୍ରୀ ଥିଲେ। ୧୯୬୬ରେ ହୋଇଥିବା ରାଜ୍ୟ ପୁନର୍ଗଠନ ପରଠାରୁ ଆଜି ପର୍ଯ୍ୟନ୍ତ କେହି ଦଳିତ ମୁଖ୍ୟମନ୍ତ୍ରୀ ହୋଇନଥିବା ବେଳେ ଏବେ ଚନ୍ନି ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଚନ୍ନିଙ୍କ ସହିତ ୨ ଜଣ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେବାକୁ ମଧ୍ୟ କଂଗ୍ରେସ ଯୋଜନା କରୁଛି।

The post ଚରଣଜିତ୍‌ ସିଂହ ଚନ୍ନି କିଏ? ରାଜ୍ୟର ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ ହେବେ first appeared on Sambad.

from ରାଜନୀତି | Sambad https://ift.tt/3lypLY4