
ନୂଆଦିଲ୍ଲୀ: ନିଜ ଫିଲ୍ମକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ସାଉଥ୍ ସୁପରଷ୍ଟାର ଥଲପଥି ବିଜୟ । ହେଲେ ଏଥର ସେ ଫିଲ୍ମକୁ ନେଇ ନୁହେଁ ନିଜର ବ୍ୟକ୍ତିଗତ ବିବାଦକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି। ନିଜ ବାପା, ମା’ଙ୍କ ସହ ଅନ୍ୟ ୧୧ଜଣଙ୍କ ବିରୋଧରେ ବିଜୟ କୋର୍ଟରେ ପହଞ୍ଚିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ହଠାତ ସେ ଏଭଳି ନିଜ ବାପା-ମାଙ୍କ ବିରୋଧୀ କାହିଁକି ହେଲେ ସେ ପ୍ରଶ୍ନ ଏବେସମସ୍ତଙ୍କ ମନରେ।
ମିଳିଥିବା ସୂଚନା ମୁତାବକ, କଥା ହେଉଛି ବିଜୟଙ୍କ ବାପା ତଥା ଫିଲ୍ମ ନିର୍ଦ୍ଦେଶକ ଏସ୍ ଏ ଚନ୍ଦ୍ରଶେଖର ନିକଟରେ ଏକ ରାଜନୈତିକ ଦଳ ଗଢିଥିଲେ, ଯାହାର ନାଁ ରଖାଯାଇଥିଲା ଅଲ ଇଣ୍ଡିଆ ଥଲପଥି ବିଜୟ ମୁକ୍କଲ ୟାକାମ୍ । ଏହାପରେ ବିଜୟ ରାଜନୀତିରେ ପାଦ ଦେବେ ବୋଲି ଆଲୋଚନା ହେବାକୁ ଲାଗିଥିଲା । ହେଲେ ଏପରି ଗୁଜବକୁ ଏକ ଗଣମାଧ୍ୟମ ଜରିଆରେ ପ୍ରତ୍ୟାଖ୍ୟାନ କରିଥିଲେ ବିଜୟ ।
ସେ କହିଥିଲେ ଯେ, ମୋ ବାପା ଦେଇଥିବା ରାଜନୈତିକ ବିବୃତି ସହିତ ମୋର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ କୌଣସି ସମ୍ପର୍କ ନାହିଁ। ମୁଁ ମୋ ବାପାଙ୍କ ରାଜନୈତିକ ଆକାଂକ୍ଷାକୁ ଅନୁସରଣ କରିବାକୁ ବାଧ୍ୟ ନୁହେଁ। ମୁଁ ମୋର ପ୍ରଶଂସକମାନଙ୍କୁ ଅନୁରୋଧ କରୁଛି ଯେ, ମୋ ବାପା ଆରମ୍ଭ କରିଥିବା ଦଳରେ ଯୋଗ ନ ଦିଅନ୍ତୁ। ଯଦି କେହି ନିଜର ରାଜନୈତିକ ଆକାଂକ୍ଷା ପାଇଁ ମୋ ନାମ, ଫଟୋ କିମ୍ବା ମୋର ଫ୍ୟାନ୍ କ୍ଲବଗୁଡିକର ଅପବ୍ୟବହାର କରିବାକୁ ଚେଷ୍ଟା କରନ୍ତି, ମୁଁ ସେମାନଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି।
ଦଳରେ କୌଣସି ଭାବରେ ବିଜୟଙ୍କୁ ସମ୍ପୃକ୍ତ ନକରିବାକୁ ବିଜୟ ତାଙ୍କ ବାପା ଏବଂ ମା’ଙ୍କୁ ପୂର୍ବରୁ ଚେତାଇ ଦେଇଥିବା ସତ୍ତ୍ବେ ତାଙ୍କୁ ସମ୍ପୃକ୍ତ କରାଯାଇଥିବାରୁ ସେ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି । ଦଳର ନାଁ ବିଜୟଙ୍କ ନାଁରେ ହେବା ସହ ତାଙ୍କର ଏକ ଫ୍ୟାନ୍ ଗ୍ରୁପରୁ ଜଣକୁ ଦଳରେ ପ୍ରାର୍ଥୀ କରିବାକୁ ଅନୁମିତ ମିଳିଥିବା ଜାଣିବା ପରେ ଏହାକୁ ବିରୋଧ କରି ବାପାଙ୍କ ସହ ୧୧ଜଣଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି ବିଜୟ । ସେପ୍ଟେମ୍ବର ୨୭ ତାରିଖରେ ମାଡ୍ରାସ୍ ହାଇକୋର୍ଟ ଏହି ମାମଲାର ଶୁଣାଣି କରିବ ବୋଲି ଜଣାପଡ଼ିଛି ।
The post ବାପା-ମା’ଙ୍କ ବିରୋଧରେ କୋର୍ଟ ଗଲେ ଥଲପଥି ବିଜୟ, ୧୧ ଜଣଙ୍କ ବିରୋଧରେ କଲେ ମାମଲା ଦାଏର first appeared on Sambad.from ରାଜନୀତି | Sambad https://ift.tt/3hPEqgu
0 Comments