ଭୁବନେଶ୍ବର/ପିପିଲି : ସେପ୍ଟେମ୍ବର ୩୦ତାରିଖରେ ପିପିଲି ଉପନିର୍ବାଚନ ହେବ। ଶନିବାର ଏନେଇ ଭାରତର ନିର୍ବାଚନ କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଏଠାରେ ଉପ ନିର୍ବାଚନ ହେବା ନେଇ ଏହାକୁ ମିଶାଇ ତିନି ଥର ବିଜ୍ଞପ୍ତି ପ୍ରକାଶ ପାଇଛି। ଶନିବାର ଉପନିର୍ବାଚନ ନେଇ ନିର୍ବାଚନ କମିସନ ଘୋଷଣା କରିବା ପରେ ପିପିଲିରେ ଆଚରଣ ବିଧି ଲାଗୁ ହୋଇଛି।

ନିର୍ବାଚନ କମିସନଙ୍କ ସୂଚନା ଅନୁଯାୟୀ, ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି ୬ ତାରିଖରେ ପ୍ରକାଶ ପାଇବ। ଏଠାରେ ପୂର୍ବରୁ ନାମାଙ୍କନ ପତ୍ର ଦାଖଲ କରିଥିବା ପ୍ରାର୍ଥୀ ହିଁ ନିର୍ବାଚନ ଲଢିବେ। ୩୦ତାରିଖରେ ଭୋଟ୍‌ ଗ୍ରହଣ ହେବ। ଅକ୍ଟୋବର ୩ରେ ଭୋଟ୍‌ ଗଣତି ହେବ। ସମସ୍ତ ନିର୍ବାଚନ ପ୍ରକ୍ରିୟା ଅକ୍ଟୋବର ୫ତାରିଖ ଭିତରେ ଶେଷ କରିବାକୁ କୁହାଯାଇଛି।

କରୋନା କଟକଣା ଯୋଗୁଁ ନିର୍ବାଚନ କମିସନ ପ୍ରଚାର ଉପରେ କଟକଣା ଲଗାଇଛନ୍ତି। ସେପ୍ଟେମ୍ବର ୨୦ରୁ ପ୍ରାର୍ଥୀମାନେ ପ୍ରଚାର କରିପାରିବେ।

ଇନ୍‌ଡୋର୍‌ରେ ନିର୍ବାଚନ ସଭା ହେଲେ ସର୍ବାଧିକ ୨୦୦ଜଣ କିମ୍ବା ହଲ୍‌ର କ୍ଷମତାର ୩୦% ଲୋକ ଯୋଗଦେଇପାରିବେ। ସେହିପରି ଆଉଟଡୋର୍‌ ବା ପଡ଼ିଆରେ ସଭା ହେଲେ ସର୍ବାଧିକ ୫୦୦ ଜଣ ଯୋଗ ଦେଇପାରିବେ। ତାରକା ପ୍ରଚାରକ ଯୋଗଦେଲେ ହଜାରେ ଲୋକ ଏକାଠି ହୋଇପାରିବେ। କିନ୍ତୁ ଏହା ଯେପରି ପଡ଼ିଆ କ୍ଷମତାର ୫୦%ରୁ ଅଧିକ ହେବନି ତାହାକୁ ଧ୍ୟାନ ଦେବାକୁ କୁହାଯାଇଛି। ସଭାକୁ କେତେ ଲୋକ ଆସିଲେ ତାହା ବି ଗଣତି ହେବ।

DNA India

ସେହିପରି ଜାତୀୟ ଓ ରାଜ୍ୟ ସ୍ବୀକୃତିପ୍ରାପ୍ତ ଦଳ ପାଇଁ ସର୍ବାଧିକ ୨୦ଜଣ ତାରକା ପ୍ରଚାରକ ରହିବେ। ବାକି ଦଳ ପାଇଁ ୧୦ଜଣ ତାରକା ପ୍ରଚାରକ ରହିବେ। ଏହି ନିର୍ବାଚନରେ କୌଣସି ରୋଡ୍‌ ସୋ’, ବାଇକ୍‌/ସାଇକେଲ୍‌ ରାଲି ହୋଇପାରିବନି। ରାସ୍ତା କଡ଼ ବୈଠକରେ ସର୍ବାଧିକ ୫୦ଜଣ ଯୋଗଦେଇପାରିବେ। ଘରକୁ ଘର ବୁଲି ପ୍ରଚାର କଲେ ପ୍ରାର୍ଥୀ କିମ୍ବା ତାଙ୍କ ପ୍ରତିନିଧିଙ୍କୁ ମିଶାଇ ସର୍ବାଧିକ ୫ଜଣ ଯାଇପାରିବେ। ଭିଡିଓ ଭ୍ୟାନ୍ ପ୍ରଚାର ପାଇଁ ଗଲେ ବି ୫୦ଜଣ ଶ୍ରୋତା ଏକାଠି ହୋଇପାରିବେ।

ଏହାବାଦ୍ ଯଦି କୌଣସି ପ୍ରାର୍ଥୀ ବା ରାଜନୈତିକ ଦଳ ଉପରୋକ୍ତ ନିୟମାବଳୀ ମାନିବେନି ତେବେ ତାଙ୍କୁ କୌଣସି ସଭା, ରାଲି ପ୍ରଚାର କରିବାକୁ ଅନୁମତି ମିଳିବନି। ତାରକା ପ୍ରଚାରକ ଯଦି ନିୟମ ଭାଙ୍ଗିବେ ତେବେ ତାଙ୍କୁ ପ୍ରଚାର ପାଇଁ ଅନୁମତି ମିଳିବନି। ଏହି ନିର୍ବାଚନରେ ଯେଉଁମାନେ ସାମିଲ୍‌ ହେବେ ଅର୍ଥାତ୍ ସମସ୍ତ ଅଧିକାରୀ, ନିୟୋଜିତ ହେବାକୁ ଥିବା ଗାଡ଼ିର ଡ୍ରାଇଭର, ପୁଲିଂ ଏଜେଣ୍ଟ, ପ୍ରାର୍ଥୀ ସମସ୍ତେ ଦୁଇ ଡୋଜ୍ ଟିକା ନେଇଥିବା ବାଧ୍ୟତାମୂଳକ କରାଯାଇଛି। ପ୍ରତି ମତଦାନ କେନ୍ଦ୍ରରେ ଜଣେ ଲେଖାଏଁ ସ୍ବାସ୍ଥ୍ୟକର୍ମୀ ନିୟୋଜିତ ହେବେ।

ପିପିଲି ଉପନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି କହିଛନ୍ତି, ନିର୍ବାଚନ ପ୍ରକ୍ରିୟାରେ ଯେପରି କୋଭିଡ କଟକଣା କଡ଼ାକଡ଼ି ପାଳନ ହେବ ତାହାକୁ ଆମେ ଧ୍ୟାନ ଦେବୁ। ଭୋଟ୍ ବେଳେ ସାମିଲ୍‌ ରହୁଥିବା ସମସ୍ତଙ୍କ ପାଇଁ ଦୁଇ ଡୋଜ୍ ଟିକା ବାଧ୍ୟତାମୂଳକ ହେବ। ମତଦାନ କେନ୍ଦ୍ରକୁ ଯିବା ପୂର୍ବରୁ ମତଦାତାଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯିବ।

The Economic Times

ସୂଚନାଯୋଗ୍ୟ, ପିପିଲିର ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏଠାରେ ଉପନିର୍ବାଚନ ପାଇଁ ଘୋଷଣା କରାଯାଇଥିଲା। ଏଥିପାଇଁ ଏପ୍ରିଲ ୧୭, ୨୦୨୧ରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିଲା। ତେବେ ପ୍ରଚାରର ଶେଷ ପର୍ଯ୍ୟାୟରେ ଅର୍ଥାତ ଏପ୍ରିଲ ୧୪ତାରିଖ ଅପରାହ୍ନରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନାରେ ପରଲୋକ ଘଟିଥିଲା। ଫଳରେ ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ପରେ ପୁଣି ଏହି ଉପନିର୍ବାଚନ ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ସାନି ବିଜ୍ଞପ୍ତି ଅନୁସାରେ ଗତ ମେ ମାସ ୧୬ତାରିଖରେ ନିର୍ବାଚନ ହେବାକୁ ଥିଲା। ମାତ୍ର ସାରା ଦେଶରେ କରୋନା ସ୍ଥିତ ଗମ୍ଭୀର ଥିବାରୁ ବିଭିନ୍ନ ରାଜନୈତିକ ଦଳର ଦାବି କ୍ରମେ ପୁଣି ଥରେ ଏହାକୁ ନିର୍ବାଚନ କମିସନ ସ୍ଥଗିତ ରଖିଥିଲେ।

ପିପିଲି ଉପନିର୍ବାଚନ ପାଇଁ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏଥିରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, କଂଗ୍ରେସ ଓ ବିଜେଡିର ପ୍ରାର୍ଥୀ ରହିଛନ୍ତି। ବିଜେଡ଼ିରୁ ରୁଦ୍ର ପ୍ରତାପ ମହାରଥୀ, ବିଜେପିରୁ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସରୁ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି। ଅନ୍ୟାନ୍ୟ ଦଳରୁ ୪ଜଣ ଓ ୩ଜଣ ସ୍ବାଧୀନ ପ୍ରାର୍ଥୀ ଅଛନ୍ତି।

The post ୩୦ରେ ପିପିଲି ଉପନିର୍ବାଚନ, ଅକ୍ଟୋବର ୩ରେ ଗଣତି first appeared on Sambad.

from ରାଜନୀତି | Sambad https://ift.tt/3BIeESW