ଭୁବନେଶ୍ବର: ବଳଙ୍ଗା ଥାନା ବିସ୍ଫୋରଣ ପ୍ରସଙ୍ଗରେ ରାଜନୀତି ଜୋର ଧରିଛି। ଏହି ଘଟଣାକୁ ନେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ଗତ ସାଧାରଣ ନିର୍ବାଚନରେ ପୁରୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ଡାକ୍ତର ସମ୍ବିତ ପାତ୍ର କହିଛନ୍ତି, ପିପିଲିର ଅନେକ ଅଞ୍ଚଳ ବଳଙ୍ଗା ଥାନା ଅଧୀନରେ ଆସୁଛି। ଏସଡିପିଓ ମଧ୍ୟ ପିପିଲି ଅଞ୍ଚଳର ଲୋକ। ଉପନିର୍ବାଚନ ସମୟରେ ଆଇନଶୃଙ୍ଖଳା ରକ୍ଷା କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ପିପିଲିରେ ଗ୍ୟାଙ୍ଗୱାର ଅନେକ ବର୍ଷ ହେବ ଚାଲୁଛି। ସାତଶଙ୍ଖ ବିଜେପି କାର୍ଯ୍ୟାଳୟରେ ମଧ୍ୟ ବୋମା ପକାଗଲା। ଏବେ ଥାନାରେ ବିସ୍ଫୋରଣ ହେଲା। ଯଦି ଏଠି ରକ୍ଷକ ସୁରକ୍ଷିତ ନୁହନ୍ତି, ତେବେ ଲୋକ କେତେ ସୁରକ୍ଷିତ। ବାଣ ଯଦି ଥିଲା କେତେ ଦିନ ଯାଏ ରହିପାରିବ। ନିଷ୍କ୍ରିୟ କାହିଁକି କରାଯାଇନଥିଲା। ଏହାକୁ ନେଇ ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି। ବିଜେଡି ନିର୍ବାଚନକୁ ପ୍ରଭାବିତ କରିବାକୁ ଚାହୁଁଛି। ଏ ପ୍ରସଙ୍ଗରେ ବିଜେପି ନିର୍ବାଚନ କମିସନଙ୍କ ନିକଟକୁ ଯିବ। ନିର୍ବାଚନ ସମୟରେ ଏପରି ହେବା ଗଣତନ୍ତ୍ରର ସୁରକ୍ଷା ଉପରେ ପ୍ରଶ୍ନ ଉଠାଉଛି। ଯଦି ପୁଲିସ ସୁରକ୍ଷିତ ନୁହେଁ, ତେବେ ଲୋକଙ୍କ ପାଖକୁ ସନ୍ଦେଶ ଯାଉଛି ଯେ ଆମେ ସୁରକ୍ଷିତ ନୁହେଁ।

ଅପରପକ୍ଷରେ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଯଦି ସମ୍ବିତ ପାତ୍ରଙ୍କ ପାଖରେ କିଛି ଠୋସ ପ୍ରମାଣ ଅଛି ତା’ହେଲେ ଉପସ୍ଥାପନ କରନ୍ତୁ। ଏଭଳି ଅବାନ୍ତର ଓ ଅପ୍ରାସଙ୍ଗିକ କଥା କହିଲେ କିଛି ଲାଭ ନାହିଁ। ଥାନା ଉଡ଼ିଛି। ତାହା ସଂପୃକ୍ତ ବିଭାଗ ତଦନ୍ତ କରିବ। ଘଟଣାର ତଦନ୍ତ ହେବ। ସମ୍ବିତ ପାତ୍ର ଔଷଧ ବିକଳରେ ତାଟିଆ କାମୁଡ଼ିବା ଠିକ ନୁହେଁ। ବିଜେପି ପରାଜୟର ଆଶଙ୍କାରେ ଏଭଳି କହୁଛି । ବିରୋଧୀ ଦଳଙ୍କର ଏହା ଚିରାଚରିତ ଅଭ୍ୟାସ। ଯେଉଁ ଦଳ ନିର୍ବାଚନ ଜିତନ୍ତି, ସେମାନେ ସବୁ ବୁଥ୍ କ୍ୟାପଚର କଲେ ଓ ଅର୍ଥବଳ, ବାହୁବଳ ପ୍ରୟୋଗ କଲେ ବୋଲି ବିରୋଧୀ ଅଭିଯୋଗ କରନ୍ତି । ବିଜେପି ଲୋକଙ୍କ ମୁଡ୍ ବିଜେଡ଼ି ଆଡକୁ ହେଉଥିବା ଦେଖି ହତାଶାରେ ଏ ସବୁ କହୁଛି।

The post ବଳଙ୍ଗା ଥାନା ବିସ୍ଫୋରଣକୁ ନେଇ ରାଜନୀତି ତେଜିଲା: ନିରପେକ୍ଷ ତଦନ୍ତ ଦାବି କଲା ବିଜେପି, ଅବାନ୍ତର ଓ ଅପ୍ରାସଙ୍ଗିକ କହିଲା ବିଜେଡି first appeared on Sambad.

from ରାଜନୀତି | Sambad https://ift.tt/3m3ZQI2