
ଭୁବନେଶ୍ବର : ବିଜେଡିର ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ ଗତ ତିନିଟି ବିଧାନସଭା ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦେଇଥିବାରୁ ତାଙ୍କର ସଭ୍ୟପଦ ରଦ୍ଦ କରାଯାଉ ବୋଲି ବିେଜପି ଦାବି କରିଛି। ଆଜି ଏନେଇ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି ପତ୍ର ଦେଇଛି।
ବିଜେପି ଅଭିଯୋଗ କରିଛି ଯେ, ଗତ ତିନିଟି ନିର୍ବାଚନରେ ସୋରଡ଼ା ବିଧାୟକ ଶ୍ରୀ ସ୍ବାଇଁ ତାଙ୍କର ଶିକ୍ଷାଗତ ଯୋଗ୍ୟତାକୁ ନେଇ ତିନି ପ୍ରକାରର ମିଛ ସତ୍ୟପାଠ ଦେଇଛନ୍ତି। ୨୦୦୯ରେ ସତ୍ୟପାଠରେ ସେ ଲେଖିଛନ୍ତି ୧୦ମ ଶ୍ରେଣୀ ପାସ୍ କରିଛନ୍ତି, ୨୦୧୪ରେ ଲେଖିଛନ୍ତି ୯ମ ଶ୍ରେଣୀ ପାସ୍ କରିଛନ୍ତି, ୨୦୧୯ରେ ଲେଖିଛନ୍ତି ୯ମ ପାସ୍ କରିଛନ୍ତି। ଏବେ ଗଣମାଧ୍ୟମରେ ଆମେ ଦେଖୁଛୁ ୧୦ମ ପରୀକ୍ଷା ଦେଉଛନ୍ତି। ତେଣୁ ତାଙ୍କର ଏ ତିନିଟି ସତ୍ୟପାଠ ନୁହେଁ ବରଂ ସଂପୂର୍ଣ୍ଣ ମିଥ୍ୟାପାଠ। ଯେଉଁ ବ୍ୟକ୍ତି ସତ୍ୟପାଠରେ ମିଛ କହୁଛନ୍ତି ସେ ଜନତାଙ୍କୁ କିପରି ସେବା ଯୋଗାଉଥିବେ ତାହା ସ୍ପଷ୍ଟ ଜଣାପଡ଼ୁଛି। ଏହି ଘଟଣାରେ ହସ୍ତକ୍ଷେପ କରି ରାଜ୍ୟ ନିର୍ବାଚନ ଆୟୋଗ ତୁରନ୍ତ ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁଙ୍କ ସଭ୍ୟ ପଦ ରଦ୍ଦ କରନ୍ତୁ।
ଆଜିର ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ, ରାଜ୍ୟ ସମ୍ପାଦିକା ପିଙ୍କି ପ୍ରଧାନ, ଘୁମୁସୁର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ଜିଲ୍ଲା ପ୍ରଭାରୀ ସୁରଥ ବିଶ୍ବାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଶୋଇ, ଶିଶିର ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ରଂଜନ ରାଉତ, ଜୟନ୍ତୀ ପଢ଼ିଆରୀ, ଗୋପାଳ ଗୌଡ଼ ପ୍ରମୁଖ ସାମିଲ୍ ଥିଲେ।
The post ସୋରଡ଼ା ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରାଯାଉ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି first appeared on Sambad.from ରାଜନୀତି | Sambad https://ift.tt/3fz7rf8
0 Comments