
ବାରିପଦା: ପ୍ରଥମେ ଦଳରୁ ଇସ୍ତଫା ଏବଂ ୪୮ ଘଣ୍ଟା ନପୁରୁଣୁ ପୁଣିଥରେ ପ୍ରତ୍ୟାବର୍ତ୍ତନ। ପଞ୍ଚାୟତ ନିର୍ବାଚନ ଘୋଷଣା ହୋଇନି। ଅଥଚ ଦଳ ବଦଳକୁ ନେଇ ସରଗରମ ଧରିଛି ମୟୂରଭଞ୍ଜ ରାଜନୀତି। ଶୁକ୍ରବାର ଦିନ ବିଜେପିରୁ ନିର୍ବାଚିତ ୧୫ ଜଣ ଜିଲ୍ଲାପରିଷଦ ସଭ୍ୟ-ସଭ୍ୟା ବିଭିନ୍ନ ଅଭିଯୋଗ କରି ଦଳରୁ ଇସ୍ତଫା ଦେଇଥିଲେ, ଯାହାକି ରାଜ୍ୟସ୍ତରରେ ଦଳକୁ ଏକ ଅଡ଼ୁଆ ପରିସ୍ଥିତିରେ ପକାଇଥିଲା। ମାତ୍ର ଏହା ପରେ ଟ୍ରାକ୍କୁ ଫେରିଥିଲା ଦଳ।
ଗୋଲକ ମହାପାତ୍ରଙ୍କୁ ମୟୂରଭଞ୍ଜ ପଠାଯାଇଥିଲା। ପ୍ରଥମେ ଜିଲ୍ଲା ବିଜେପିର କୋର୍ ଟିମ୍ ସହିତ ବୈଠକ ପରେ ଶ୍ରୀ ମହାପାତ୍ର ଏବଂ ଦଳର ନିର୍ବାଚିତ ବିଧାୟକ ଏବଂ ବରିଷ୍ଠ ନେତୃମଣ୍ଡଳୀ ନିଆରା ଢଙ୍ଗରେ ଇସ୍ତଫା ଦେଇଥିବା ଜିଲ୍ଲା ପରିଷଦ ସଭ୍ୟା/ସଭ୍ୟଙ୍କ ଘରେ ପହଞ୍ଚିଥିଲେ। ଦଳର ଚାରି ଚାରି ବିଧାୟକ, ଏକାଧିକ ବରିଷ୍ଠ ନେତା ଏବଂ ଶତାଧିକ ସମର୍ଥକଙ୍କ ସହିତ ଇସ୍ତଫା ଦେଇଥିବା ସଭ୍ୟଙ୍କ ଘରେ ପହଞ୍ଚି ଦଳ ଛାଡ଼ିବାର କାରଣ ସମ୍ପର୍କରେ ପଚାରି ବୁଝିଥିଲେ।

ତେବେ ବିଜେପିର ଏହି କୌଶଳ କିଛି ମାତ୍ରାରେ ଫଳପ୍ରଦ ମଧ୍ୟ ହୋଇଛି। ଇସ୍ତଫା ଦେବାର ୪୮ ଘଣ୍ଟା ନପୁରୁଣୁ ପୁଣିଥରେ ବିଜେପିକୁ ଫେରିଛନ୍ତି ୫ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା। ବରିଷ୍ଠ ଦଳୀୟ ନେତୃବୃନ୍ଦଙ୍କ ସହିତ ବ୍ୟାପକ ଆଲୋଚନା ପରେ ୩୩ ନମ୍ବର ଜୋନ୍ର ନାନିକା ନାଏକ, ୪୨ ନମ୍ବର ଜୋନ୍ର ଗାନ୍ଧାରୀ ନାଏକ, ୨୪ ନମ୍ବରର ମଧୁସ୍ମିତା ପରିଡ଼ା, ୨୨ ନମ୍ବର ଜୋନ୍ର ଅସିନ୍ତମଣୀ ସିଂ ଏବଂ ୪୪ ନମ୍ବର ଜୋନ୍ର ପରମେଶ୍ୱର ନାଏକ ପ୍ରମୁଖ ପୁନର୍ବାର ଦଳକୁ ଫେରିଥିବା ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ପତ୍ର ମାଧ୍ୟମରେ ଅବଗତ କରିଛନ୍ତି।
The post ବିଜେପିରୁ ୧୫ ଜିଲ୍ଲା ପରିଷଦ ଇସ୍ତଫା ପ୍ରସଙ୍ଗ: ପୁଣି ଦଳକୁ ଫେରିଲେ ୫ ସଦସ୍ୟ first appeared on Sambad.from ରାଜନୀତି | Sambad https://ift.tt/3DuG00k
0 Comments