
ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ସୀମା ୫୦% ଭିତରେ ସୀମିତ ରହିବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସରକାର ଆସନ ସଂରକ୍ଷିତ କରିବେ। ଏଥିପାଇଁ ପ୍ରଚଳିତ ଆଇନରେ ସଂଶୋଧନ କରାଯିବ। ଏ ନେଇ ସରକାରୀ ସ୍ତରରେ ଆପାତତଃ ନିଷ୍ପତ୍ତି ନିଆଯାଇଛି। ତେଣୁ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗ(ଓବିସି)ଙ୍କ ପାଇଁ ସଂରକ୍ଷିତ ଆସନ କମିବା ସ୍ପଷ୍ଟ ହୋଇଛି।
ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଆଜି ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନିର୍ବାଚନରେ ସଂରକ୍ଷଣ ନେଇ ଆଇନରେ ଆବଶ୍ୟକ ସଂଶୋଧନ ପ୍ରସ୍ତାବ ଆସନ୍ତା ବିଧାନସଭା ଅଧିବେଶନରେ ଆସିବ। ନିର୍ବାଚନରେ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ। ଜାତିଭିତ୍ତିକ ଜନଗଣନା ଓ ଓବିସି ସଂରକ୍ଷଣ ନେଇ ବିଜେଡି କେନ୍ଦ୍ର ନିକଟରେ ଦାବି କରିଥିଲା। କିନ୍ତୁ କେନ୍ଦ୍ର ସରକାର ଓବିସିଙ୍କୁ ୨୭% ସଂରକ୍ଷଣ ଦେବାକୁ ଆଇନ ଆଣିବା ପାଇଁ କୌଣସି ପଦକ୍ଷେପ ନେଉ ନାହାନ୍ତି। ତେଣୁ ଦଳୀୟ ଭିତ୍ତିରେ ଓବିସିଙ୍କୁ ୨୭% ସଂରକ୍ଷଣ ଦେଇ ବିଜେଡି ନିର୍ବାଚନ ଲଢ଼ିବ। ତେବେ ଏଥର ପଞ୍ଚାୟତ ପୁନର୍ଗଠନ ହେବନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ଗତ ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ ୬୫%ରୁ ଅଧିକ ହୋଇଥିଲା। ଅନୁସୂଚିତ ଜାତିଙ୍କୁ ୧୬.୨୫%, ଅନୁସୂଚିତ ଜନଜାତିଙ୍କୁ ୨୨.୫% ଓ ଓବିସିଙ୍କୁ ୨୭% ସଂରକ୍ଷଣ ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ହାଇକୋର୍ଟ ଏ ସଂକ୍ରାନ୍ତୀୟ ଏକ ମାମଲାର ବିଚାର କରି ସଂରକ୍ଷଣ ସୀମାକୁ ୫୦% ଭିତରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାଏମ୍ ରଖିଥିଲେ।
ଏହାପରେ ସରକାର ସଂରକ୍ଷଣକୁ ନେଇ ଅଡ଼ୁଆରେ ପଡ଼ିଯାଇଥିଲେ। ରାଜ୍ୟ ଜନସଂଖ୍ୟାର ସିଂହଭାଗ ଓବିସି ହୋଇଥିବାରୁ ସେମାନଙ୍କ ପାଇଁ ସଂରକ୍ଷିତ ଆସନ କିପରି କମାଇବେ, ତାହାକୁ ନେଇ ସମସ୍ୟା ସୃଷ୍ଟି ହୋଇଥିଲା। ଏହି କାରଣ ପାଇଁ ପୌର ନିର୍ବାଚନକୁ ପାଖାପାଖି ୩ ବର୍ଷ ଘୁଞ୍ଚାଇ ସାରିଲେଣି। ତେଣୁ ପଞ୍ଚାୟତ ନିର୍ବାଚନ ମଧ୍ୟ ବିଳମ୍ବ ହେବା ନେଇ ଆଶଙ୍କା ଦେଖାଦେଇଥିଲା। ନିର୍ଦ୍ଦିଷ୍ଟ ସମୟରେ ପ୍ରକ୍ରିୟା ବି ଆରମ୍ଭ ହୋଇ ନ ଥିଲା।
ଏହି ଅଡ଼ୁଆକୁ ମୁକୁଳିବା ପାଇଁ ବିଜେଡି ଭିନ୍ନ ଢଙ୍ଗରେ ଓବିସି କାର୍ଡ ଖେଳିଛି। ସରକାରୀ ଭାବେ ପଞ୍ଚାୟତ ନିର୍ବାଚନରେ ଓବିସିଙ୍କ ପାଇଁ ୨୭% ସଂରକ୍ଷଣ ନିଷ୍ପତ୍ତି ନେବାରେ ବାଧା ରହିଥିବାରୁ ରାଜନୈତିକ ଭାବେ ଦଳ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ଅତି କମ୍ରେ ପଛୁଆ ବର୍ଗରୁ ୨୭% ପ୍ରାର୍ଥୀ ଦେବ ବୋଲି କିଛି ଦିନ ତଳେ ଘୋଷଣା କରାଯାଇଛି। ଏହାପରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ତ୍ବରାନ୍ବିତ ହେବାର ସମ୍ଭାବନା ଦେଖାଦେଇଥିଲା। ଆଜି ମନ୍ତ୍ରୀଙ୍କ ସୂଚନା ପରେ ସ୍ପଷ୍ଟ ହୋଇଛି ଯେ ପଞ୍ଚାୟତ ନିର୍ବାଚନରେ ସରକାରୀ ଭାବେ ଓବିସିଙ୍କ ପାଇଁ ସର୍ବାଧିକ ୧୧.୨୫% ଆସନ ସଂରକ୍ଷିତ ରହିବ।
ତେବେ ପଞ୍ଚାୟତ ନିର୍ବାଚନ ପାଇଁ ମନ୍ତ୍ରୀଙ୍କ ଘୋଷଣା ପରେ ବିଜେପି ପୌର ନିର୍ବାଚନ କଥା ଉଠାଇଛି। ବିଜେପି ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି, ପଞ୍ଚାୟତ ନିର୍ବାଚନ ତ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ। ଏଥିରେ ନୂଆ କିଛି ନାହିଁ। କିନ୍ତୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବା ଉଚିତ। ବୋଧହୁଏ ପରାଜୟ ଭୟରେ ସରକାର ପୌର ନିର୍ବାଚନ କରୁନାହାନ୍ତି। ବିଜେପିକୁ ଜବାବ ଦେଇ ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ୨୦୧୯ ସାଧାରଣ ନିର୍ବାଚନ ଓ ପରବର୍ତ୍ତୀ ସମସ୍ତ ଉପନିର୍ବାଚନରେ ହାରିବା ପରି ରାଜ୍ୟ ବିଜେପିକୁ ଏବେ ପଞ୍ଚାୟତ ଓ ପୌର ନିର୍ବାଚନରେ ହାରିବା ଜଳ ଜଳ ହୋଇ ଦେଖାଯାଉଛି। ତେଣୁ ପରାଜୟ ଭୟରେ ସେମାନେ ଏପରି ଭିତ୍ତିହୀନ ଓ ମନଗଢ଼ା ବିବୃତିର ଆଶ୍ରୟ ନେଉଛନ୍ତି। ପୌର ନିର୍ବାଚନ ପ୍ରସଙ୍ଗ ଏବେ ହାଇକୋର୍ଟଙ୍କ ନିକଟରେ ବିଚାରାଧୀନ ଅଛି ଓ ଓଡ଼ିଶା ବିଜେପି ଅଦାଲତଙ୍କୁ ସମାନ ଦେବା ଉଚିତ। ଓଡ଼ିଶାରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବ। ବିଜେପି ତାହାର ଆଉ ଏକ ପରାଜୟ ନିଶ୍ଚିତ ହେବା ଜାଣି ନିଜର ମୁଖଲଜ୍ଜା ବଞ୍ଚାଇବା ପାଇଁ ପୁଣି ଥରେ ଏପରି ବିବୃତିବାଜି ଆରମ୍ଭ କରିଛି।
The post ପଞ୍ଚାୟତ ଭୋଟ୍ରେ ୫୦% ସଂରକ୍ଷଣ: ଓବିସି ସଂରକ୍ଷଣ କମିବା ନିଶ୍ଚିତ first appeared on Sambad.
from ରାଜନୀତି | Sambad https://ift.tt/2WsnLaS
0 Comments