ଭୁବନେଶ୍ବର: ପୁଣିଥରେ ଜାତିଭିତ୍ତିକ ଜନଗଣନା ଦାବି କଲା ବିଜେଡି। ଜାତିଭିତ୍ତିକ ଜନଗଣନା ନହେବା ଦ୍ୱାରା ପଛୁଆବର୍ଗଙ୍କ ବିକାଶ ହୋଇପାରୁନାହିଁ। ସଂଘୀୟ ଢାଞ୍ଚା ଏଥିପାଇଁ ପ୍ରତିବନ୍ଧକ ସାଜିଛି। ତେଣୁ ପୁଣିଥରେ ଜାତିଭିତ୍ତିକ ଜନଗଣନା ପାଇଁ ଦାବି ଦୋହରାଇଛି ବିଜେଡି। ଏକାକୀ ନୁହେଁ ମିଳିମିଶି ଏହି ଦାବିକୁ ସମର୍ଥନ କରିବାକୁ ଅପିଲ କରିଛି ବିଜେଡି। ଯଦି କୌଣସି ଦଳ ଏହି ଲଢେଇରେ ସାମିଲ ନ ହୁଅନ୍ତି ତେବେ ଏକାକୀ ବିଜେଡି ପଲ୍ଲୀରୁ ଦିଲ୍ଲୀ ଯାଏଁ ଏନେଇ ସ୍ୱର ଉଠାଇବ ବୋଲି କହିଛନ୍ତି ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ବିଜେଡିର ଦଳୀୟ କାର୍ଯ୍ୟାଳୟରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଦଳର ଦୁଇ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ ଜାତିଭିତ୍ତିକ ଜନଗଣନାକୁ ନେଇ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। କେନ୍ଦ୍ର ମନା କରିବା ପରେ ୨୦୨୦ ଜାନୁଆରୀ ୧୧ରେ ହୋଇଥିବା କ୍ୟାବିନେଟ ବୈଠକରେ ଜାତିଭିତ୍ତିକ ଗଣନା ପାଇଁ ପ୍ରସ୍ତାବ ପାରିତ ହୋଇଥିଲା। ଏନେଇ ଜାତିଭିତ୍ତିକ ପ୍ରସ୍ତାବ ବିଧାନସଭାରେ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ। ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ନବୀନ ଏଭଳି ଦାବି କରିଥିଲେ। କାରଣ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ପଛୁଆବର୍ଗଙ୍କ ସ୍ଥିତି ସେତେଟା ଭଲ ନାହିଁ। ପଛୁଆ ବର୍ଗଙ୍କ ସଂଖ୍ୟା ଅନୁସାରେ ଏଯାଏଁ ଅଧା ସଂରକ୍ଷଣ ମିଳିପାରିନି। ଏହାଛଡା ପଛୁଆ ବର୍ଗଙ୍କ ସାମାଜିକ ନ୍ୟାୟ ପାଇଁ ରାଜ୍ୟ ସରକାର ବଦ୍ଧ ପରିକର। ଯେଉଁଥିପାଇଁ ନବୀନ ପ୍ରଥମେ ଏଭଳି ପ୍ରସ୍ତାବ ଆଣିଥିଲେ। ଏପରିକି ଦଳର ସାଂସଦମାନେ ମଧ୍ୟ ଦିଲ୍ଲୀରେ ଗୃହମନ୍ତ୍ରୀଙ୍କୁ ଭେଟି ଏବାବଦରେ ଆଲୋଚନା କରିଥିଲେ।

ଆଉ ଏବେ ଜାତିଭିତ୍ତିକ ଜନଗଣନାକୁ ନେଇ ପୂରା ଦେଶରୁ ଦାବି ଉଠିଲାଣି । ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ଦଳ ନବୀନଙ୍କ ଏଭଳି ପ୍ରସ୍ତାବକୁ ଏବେ ସମର୍ଥନ କରୁଥିବାର ଦେଖିବାକୁ ମିଳିଲାଣି। ଏପରିକି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ୧୦ଟି ଦଳର ନେତା ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। ଦେଶରେ ଜାତି ଆଧାରରେ ଜନଗଣନା ହେଉ ବୋଲି ଦାବି ଜଣାଇଛନ୍ତି। ସେହିଭଳି ଏନଡିଏରେ ଥିବା ଅନେକ ଦଳ ଜାତିଭିତ୍ତିକ ଜନଗଣନାକୁ ସବୁଜ ସଂକେତ ଦେଇଛନ୍ତି। ଖୋଦ୍ ବିହାର ମନ୍ତ୍ରୀମଣ୍ଡଳରେ ଥିବା ବିଜେପି ନେତା ମଧ୍ୟ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରୁଛନ୍ତି। କିନ୍ତୁ ଏପ୍ରସଙ୍ଗରେ ରାଜ୍ୟ ବିଜେପି ଚୁପ୍ ରହିବା ସୂଚାଉଛି ଯେ, ରାଜ୍ୟ ବିଜେପି ପଛୁଆବର୍ଗଙ୍କ ବିକାଶ ବିରୋଧୀ। ତେଣୁ ବାସ୍ତବରେ ପଛୁଆବର୍ଗଙ୍କ ବିକାଶ ରାଜ୍ୟ ବିଜେପି ଚାହୁଁଥାଏ, ତେବେ ଅନ୍ୟ ଦଳ ଭଳି କାନ୍ଧରେ କାନ୍ଧ ମିଳାଇ ଏହି ଦାବିକୁ ଦିଲ୍ଲୀ ଦରବାରରେ ଉଠାଇବାକୁ ପରାମର୍ଶ ଦେଇଛି ବିଜେଡି। ବିଜେପି ନେତୃତ୍ୱ ଯଦି ଏହି ଲଢେଇରେ ସାମିଲ ବି ନହୁଅନ୍ତି ତେବେ ମଧ୍ୟ ପଛୁଆବର୍ଗଙ୍କୁ ସାମାଜିତ ନ୍ୟାୟ ନ ମିଳିବା ଯାଏଁ ପଲ୍ଲୀରୁ ଦିଲ୍ଲୀ ଲଢେଇ ଜାରି ରହିବ ବୋଲି କହିଛି ବିଜେଡି।

The post ପୁଣିଥରେ ଜାତିଭିତ୍ତିକ ଜନଗଣନା ଦାବି କଲା ବିଜେଡି first appeared on Sambad.

from ରାଜନୀତି | Sambad https://ift.tt/3sIFEyi