ନୂଆଦିଲ୍ଲୀ : ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଖାଲି ପଡ଼ିଥିବା ୨୫ଟି ବିଧାନସଭା ଆସନ ପାଇଁ କେବେ ଉପନିର୍ବାଚନ କରାଯିବ ସେ ନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ବାରା ତାରିଖ ଘୋଷଣା କରାଯାଇନଥିବାବେଳେ ଏ ନେଇ ଖୁବ୍‌ ଶୀଘ୍ର ବିଚାରବିମର୍ଶ ପାଇଁ ଆୟୋଗ ବୈଠକ କରିବେ ବୋଲି ଜଣା ଜଣାପଡ଼ିଛି। ସମ୍ବନ୍ଧିତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଭିତ୍ତିରେ ଉପନିର୍ବାଚନ କେବେ କରାଯିବ ସେ ନେଇ ଆୟୋଗ ତାରିଖ ଘୋଷଣା ସମ୍ଭାବନା ରହିଛି।

ପୂର୍ବରୁ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ବାରା କରୋନା ମହାମାରୀର ଭୟଙ୍କର ସ୍ଥିତିକୁ ଦେଖି ମେ ୩ ତାରିଖରେ ଓଡ଼ିଶାର ପିପିଲି ତଥା ପଶ୍ଚିମବଙ୍ଗର ଦୁଇଟି ଆସନରେ ଭୋଟ ଗ୍ରହଣ ସ୍ଥଗିତ ରଖାଯାଇଥିଲା। କରୋନା ସ୍ଥିତି ସୁଧୁରିବା ତଥା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଆଧାରରେ ନିର୍ବାଚନ ପାଇଁ ସାନି ତାରିଖ ଘୋଷଣା କରାଯିବ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଥିଲା। ମିଳିଥିବା ସୂଚନା ଅନୁସାରେ, ଆୟୋଗ ଉପନିର୍ବାଚନ ହେବାକୁ ଥିବା ଓଡ଼ିଶା, ପଶ୍ଚିମବଙ୍ଗ, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା, ମେଘାଳୟ, ହିମାଚଳ ପ୍ରଦେଶ ଓ ଆନ୍ଧ୍ର ପ୍ରଦେଶର କରୋନା ସ୍ଥିତି ସଂପର୍କରେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟକୁ ତର୍ଜମା କରିବେ। ପିପିଲିରେ ଏପ୍ରିଲ ୧୭ରେ ଉପନିର୍ବାଚନ ହେବାର ଥିଲା। ମାତ୍ର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଅକାଳ ବିୟୋଗ କାରଣରୁ ଭୋଟ ଗ୍ରହଣ ସ୍ଥଗିତ ରହିଥିଲା। ଏହା ପରେ ସାନି ବିଜ୍ଞପ୍ତି ଜାରି ହୋଇ ପ୍ରଥମେ ମେ ୧୩ ଓ ପରେ ୧୬ରେ ଭୋଟ ଗ୍ରହଣ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। କଂଗ୍ରେସ ପକ୍ଷରୁ ନୂଆ ପ୍ରାର୍ଥୀଭାବେ ବିଶ୍ବକେଶନ ହରିଚନ୍ଦନ ନାମାଙ୍କନପତ୍ର ଦାଖଲ କରିଥିଲେ।

ଚଳିତ ଉପନିର୍ବାଚନରେ ଆୟୋଗ ବୁଥ୍‌ମାନଙ୍କରେ ଭୋଟର ସଂଖ୍ୟାକୁ ବଢ଼ାଇବା ସହିତ ଟିକା ନେଇଥିବା କର୍ମଚାରୀଙ୍କୁ ପୋଲିଂ ପ୍ରକ୍ରିୟାରେ ସାମିଲ କରିବାକୁ ଗୁରୁତ୍ବ ଦେବେ ବୋଲି ବିଚାର କରୁଥିବା ସୂଚନା ମିଳିଛି। ଅପରପକ୍ଷେ, ଉପନିର୍ବାଚନ ହେବାକୁ ଥିବା ୨୫ଟି ଆସନରୁ ଉତ୍ତର ପ୍ରଦେଶର ୬ଟି ଏବଂ ଉତ୍ତରାଖଣ୍ଡର ୨ଟି ଆସନରେ ଆୟୋଗ ନିର୍ବାଚନ ନ କରାଇବ‌ା ସମ୍ଭାବନା ରହିଛି। କାରଣ ଏହି ଦୁଇ ରାଜ୍ୟରେ ଆସନ୍ତା ବର୍ଷ ପ୍ରାରମ୍ଭରେ ବିଧାନସଭା ନିର୍ବାଚନ ରହିଛି। ଜନ ପ୍ରତିନିଧି ଆଇନ ୧୯୫୧ ର ଧାରା ୧୫୧(ଏ) ଅର୍ନ୍ତଗତ ବିଧାନସଭାର କାର୍ଯ୍ୟକାଳ ବର୍ଷେରୁ କମ ରହିବା ସ୍ଥିତିରେ ଉପନିର୍ବାଚନ କରାଯାଇପାରିବ ନାହିଁ। ଏହି ଆଇନଗତ ଦିଗକୁ ନିର୍ବାଚନ ଆୟୋଗ ପରୀକ୍ଷା ନିରୀକ୍ଷା କରି ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।

The post ୨୫ ବିଧାନସଭା ଉପନିର୍ବାଚନ ନେଇ ଖୁବ୍‌ ଶୀଘ୍ର ବୈଠକ, ଓଡ଼ିଶାରୁ ପିପିଲି first appeared on Sambad.

from ରାଜନୀତି | Sambad https://ift.tt/3xr6hbX