ବାଲେଶ୍ବର  : ‘ଦଳ ଚାହିଁଲେ ମୁଁ ସାଂସଦ ଭାବେ ଲଢ଼ିବା ପାଇଁ ପ୍ରସ୍ତୁତ ଅଛି’। ନିକଟରେ ଝାଡ଼ଖଣ୍ଡ ରାଜ୍ୟପାଳ ପଦରୁ ଅବ୍ୟାହତି ନେବାପରେ ମୟୂରଭଞ୍ଜ ପ୍ରତ୍ୟାବର୍ତ୍ତନ କରିଥିବା ଦ୍ରୌପଦୀ ମୁର୍ମୁ ଏକ ସାକ୍ଷାତକାରରେ ‘କନକ ନ୍ୟୁଜ୍‌’କୁ ଏହା କହିଛନ୍ତି। ଯେତେବେଳେ ମୟୂରଭଞ୍ଜରେ ରାଜନୈତିକ ପତିଆରା ଜାହିର୍‌ ପାଇଁ ଉଭୟ ବିଜେଡି ଓ ବିଜେପି ପକ୍ଷରୁ ଗୋଟିଚାଳନା ଅବ୍ୟାହତ ରହିଛି, ଠିକ୍‌ ସେହି ସମୟରେ ଦ୍ରୌପଦୀଙ୍କ ମନ୍ତବ୍ୟ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ, ଉଭୟ ଦଳ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

୨୦୧୭ ମସିହା ପଞ୍ଚାୟତ ନିର୍ବାଚନରେ ବିଜେପିର ଆଶାତୀତ ସଫଳତା ପରଠାରୁ ଆଦିବାସୀ ବହୁଳ ଏହି ଜିଲ୍ଲା ଚର୍ଚ୍ଚାରେ ରହିଆସିଛି। ରାଜନୈତିକ ବିଶେଷଜ୍ଞଙ୍କ ମତ ଯେ ୨୦୧୫ ମସିହାରେ ଦ୍ରୌପଦୀଙ୍କୁ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇ କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ବାଧୀନ ସରକାର ଏକ ଗୋଟିଚାଳନା କରିଥିଲା। ଯାହାର ପ୍ରଭାବ‌ କାମ ଦେଇଥିଲା ଏବଂ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳ ଏହି ସଫଳତା ହାସଲ କରିଥିଲା। କେବଳ ପଞ୍ଚାୟତ ନିର୍ବାଚନ ନୁହେଁ, ଗତ ସାଧାରଣ ନିର୍ବାଚନରେ ଦଳ ୮ଟି ବିଧାନସଭା ଆସନ ମଧ୍ୟରୁ ୬ଟି ଆସନରେ ବିଜୟୀ ହେବା ସହ ଲୋକସଭା ଆସନ ବି ହ‌ାତେଇଥିଲା। ଏହି ଘଟଣା ପରେ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଏକପ୍ରକାର ଛକାପଞ୍ଝା ଆରମ୍ଭ ହୋଇଯାଇଛି। ଦୁଇ ଦଳ ଏହି ଜିଲ୍ଲାକୁ ପ୍ରମୁଖତା ଦେବା ସହ ନିଜନିଜର ଗୋଟିଚାଳନା ଅବ୍ୟାହତି ରଖିଛନ୍ତି। ଗୋଟିଏପଟେ ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି ରାଜ୍ୟରେ ମନ୍ତ୍ରୀ ଥିବାବେଳେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି। ଅନ୍ୟପଟେ, ନିକଟରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମୟରେ ସାଂସଦ ବିଶ୍ବେଶ୍ବର ଟୁଡ଼ୁ ସ୍ଥାନ ପାଇଛନ୍ତି।

ଏହିଭଳି ଏକ ରାଜନୈତିକ ପରିସ୍ଥିତିରେ ଦ୍ରୌପଦୀ ମୁର୍ମୁଙ୍କ ସାକ୍ଷାତକାରକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ସାକ୍ଷାତକାର ସମୟରେ କନକ ନ୍ୟୁଜ୍‌ର ପକ୍ଷରୁ ଆଗତ କେତେକ ପ୍ରଶ୍ନର ସେ ଉତ୍ତର ରଖିବା ସମୟରେ ତାଙ୍କର ସକ୍ରିୟ ରାଜନୀତିରେ ଅଂଶଗ୍ରହଣ ଇଚ୍ଛା ସାମ୍‌ନାକୁ ଆସିଛି। ରାଜନୀତି କଲେ, ନେତା ବା ମନ୍ତ୍ରୀ ହେଲେ ଦୁର୍ନୀତିଗ୍ରସ୍ତଙ୍କ ଗହଣରେ ସମୟ ବିତାଇବାକୁ ପଡ଼ିବ। ଜଣେ ସଚ୍ଚୋଟ ମଣିଷ ଭାବେ ସେ ଉକ୍ତ ପରିସ୍ଥିତିକୁ କିପରି ସାମ୍ନା କରିବେ? ଦ୍ରୌପଦୀ ନିଜ ଉତ୍ତରରେ କହିଛନ୍ତି; ‘ଦୁର୍ନୀତିଗ୍ରସ୍ତଙ୍କ ସହ ରହିବାକୁ ପଡ଼ିବ। ଏ କଥାକୁ ମାନୁଛି। ହେଲେ ମୁଁ ଦୁର୍ନୀତିକୁ ପ୍ରଶ୍ରୟ ଦିଏନାହିଁ। ଦୁର୍ନୀତି ସହ ଲଢ଼ିଆସିଛି, ଆଗକୁ ମଧ୍ୟ ଲଢ଼ିବି। ଆଧ୍ୟାତ୍ମିକ ରାଜନୀତି ମୋର ସମ୍ବଳ। ମୋତେ ଦଳୀୟ କର୍ମୀମାନେ ସହଯୋଗ କରିଆସିଛନ୍ତି। ଆଗକୁ ମଧ୍ୟ କରିବେ ବୋଲି ବିଶ୍ବାସ ରହିଛି।’

ବିଜେପିର କର୍ମୀ ଭାବେ ଶେଷ ଯାଏ ରହିବାକୁ ଚାହିଁବେ? ଦ୍ରୌପଦୀ ଉତ୍ତର ରଖିଛନ୍ତି; ‘ ଦଳ ପାଇଁ ମୁଁ ରାଇରଙ୍ଗପୁର କାଉନ୍‌ସିଲରରୁ ରାଜ୍ୟପାଳ ଯାଏ କାମ କରିବାର ସୁଯୋଗ ପାଇଛି। ରାଜ୍ୟପାଳ ଭାବେ କାର୍ଯ୍ୟରୁ ଅବସର ‌ନେବା ପରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଧନ୍ୟବାଦ ଜଣାଇଛି। ବ୍ୟକ୍ତିଗତ ଭାବେ ମଧ୍ୟ ତାଙ୍କୁ ଭେଟି ମୋର ସମ୍ମାନ ପ୍ରଦର୍ଶନ କରିବି। ଦଳ ମୋତେ ତିଆରି କରିଛି। ବେଳ ଆସିଛି; ମୋର ଦଳକୁ କିଛି ପରିଶୋଧ କରିବାର। ବିଜେପିରେ କିଛି ମଗାଯାଏନି। ମୁଁ କିଛି ନ ମାଗି ବିଧାୟକ ହୋଇଛି, ମନ୍ତ୍ରୀ ହୋଇଛି। ସାଂସଦ ହୋଇ ଲୋକଙ୍କ ସେବା କରିବାର ସୁଯୋଗ ନ ମିଳିଲେ ମଧ୍ୟ ଜଣେ ସାଧାରଣ କର୍ମୀ ହୋଇ ଦଳ ପାଇଁ ସେବା କରିବାରେ ମୋର ତିଳେମାତ୍ର ଦୁଃଖ ହେବନାହିଁ।’ ଜଣେ ବରିଷ୍ଠ କର୍ମୀ ଓ ଉପଦେଷ୍ଟା ଭାବେ ଦଳ ପାଇଁ କାମ କରିବେ ଏବଂ ଦଳ ଚାହିଁଲେ ସାଂସଦ ଭାବେ ଲଢ଼ିବେ ବୋଲି ଗତକାଲି ଏକ ସାକ୍ଷାତକାରରେ ସେ କନକନ୍ୟୁଜ୍‌କୁ କହିଛନ୍ତି। କ୍ଷମତା ବାହାରେ ରହି ଲୋକଙ୍କ ସେବା କରାଯାଇ ପାରେନାହିଁ ବୋଲି ନେତାମାନଙ୍କ ଯେଉଁ ବ୍ୟବସ୍ଥାଗତ ବିଶ୍ବାସ ରହିଛି, ତାହାରି ଆଧାରରେ ଦ୍ରୌପଦୀ ଏପରି ଆଶା ପୋଷଣ କରିଥିବା କୁହାଯାଉଛି।

ଦ୍ରୌପଦୀଙ୍କ ଏହି ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ତେବେ, ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ସାମ୍‌ନାକୁ ଆସିନି। ଉଲ୍ଲେଖଯୋଗ୍ୟ ଯେ ଝାଡ଼ଖଣ୍ଡର ରାଜ୍ୟପାଳ ପଦରୁ ଅବସର ନେଇ ଗତ ୧୨ ତାରିଖ ଦିନ ଘରକୁ ଫେରିବାର ଦୁଇଦିନ ପରେ ସେ ପଶ୍ଚିମ ମୟୂରଭଞ୍ଜ ବିଜେପିରେ ସାମିଲ ହୋଇଛନ୍ତି। ଯାହାକି, ସାଂସଦ ଭାବେ ତାଙ୍କର ପ୍ରତିଦ୍ବନ୍ଦ୍ବିତା କରିବା ଇଚ୍ଛାକୁ ଅଧିକ ପ୍ରାସଙ୍ଗିକ କରିଛି।

The post ରାଜ୍ୟପାଳରୁ ସକ୍ରିୟ ରାଜନୀତିରେ ଦ୍ରୌପଦୀ ମୁର୍ମୁ: ‘ଦଳ ସୁଯୋଗ ଦେଲେ ସାଂସଦ ପାଇଁ ଲଢ଼ିବି’ first appeared on Sambad.

from ରାଜନୀତି | Sambad https://ift.tt/36Hvpjy