
କୋଲ୍କାତା: ୨୦୨୧ ରାଜ୍ୟ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରେ ‘ବିଜେପି’ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିଜୟକୁ ଚାଲେଞ୍ଜ୍ କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଫାଇଲ୍ କରିଥିବା ପିଟିସନ୍ର ଶୁଣାଣିକୁ ଆଜି କାଲ୍କାଟା ହାଇକୋର୍ଟ ଜୁନ୍ ୨୪ ତାରିଖ ପାଇଁ ତାଲିକାଭୁକ୍ତ କରିଛନ୍ତି।
ଆଜି ପୂର୍ବାହ୍ନ ୧୧ଟା ବେଳେ ବିଚାରପତି କୌଶିକ ଚନ୍ଦା ଏହି ‘ହାଇ-ପ୍ରୋଫାଇଲ୍’ ମାମଲାର ଭର୍ଚ୍ୟୁଆଲ୍ ଶୁଣାଣି କରିଥାଆନ୍ତେ। ଆଜି ଜାରି କରିଥିବା ଆଦେଶନାମାରେ କାଲ୍କାଟା ହାଇକୋର୍ଟ ଲେଖିଛନ୍ତି, ଆଗାମୀ ଗୁରୁବାର ପାଇଁ ଏହି ମାମଲା ତାଲିକାଭୁକ୍ତ କରାଯାଉ। ‘ରିପ୍ରେଜେନ୍ଟେସନ୍ ଅଫ୍ ପିପୁଲ୍ସ୍ ଆକ୍ଟ୍’ ଅନୁଯାୟୀ ଏହି ପିଟିସନ୍ ଫାଇଲ୍ ହୋଇଛି କି, ନାହିଁ, ଏହି ସମୟ ମଧ୍ୟରେ ରେଜିଷ୍ଟ୍ରାର୍ ଅଦାଲତଙ୍କୁ ରିପୋର୍ଟ କରନ୍ତୁ।
ଆଜି କାଲ୍କାଟା ହାଇକୋର୍ଟର ବିଚାରପତି ଚନ୍ଦାଙ୍କ ନିକଟକୁ ପଶିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପିଟିସନ୍ ଶୁଣାଣି ପାଇଁ ଯାଇଥିଲା। କିନ୍ତୁ, ଏହି ମାମଲାର ଶୁଣାଣି ଆସନ୍ତା ସପ୍ତାହକୁ ଘୁଞ୍ଚାଇ ଦିଆଯାଉ ବୋଲି ଉପସ୍ଥିତ ଥିବା ମୁଖ୍ୟମନ୍ତ୍ରୀ ବାନାର୍ଜୀଙ୍କ ଓକିଲ ସୌମେନ୍ଦ୍ରନାଥ ମୁଖାର୍ଜୀ ଅନୁରୋଧ କରିଥିଲେ। ଅଦାଲତ ତାଙ୍କ ଅନୁରୋଧ ରକ୍ଷା କରିବା ସହ ଆଗାମୀ ଗୁରୁବାର ଦିନ ଶୁଣାଣି ନିମନ୍ତେ ମାମଲାଟିକୁ ତାଲିକାଭୁକ୍ତ କରିଥିଲେ।
ସ୍ମରଣଯୋଗ୍ୟ, କ୍ରମାଗତ ତୃତୀୟ ଥର ପାଇଁ ‘ତୃଣମୂଳ କଂଗ୍ରେସ’ କ୍ଷମତାକୁ ଆସିଥିଲେ ସୁଦ୍ଧା ପ୍ରତିଦ୍ବନ୍ଦ୍ବୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ମମତା ବାନାର୍ଜୀ ମାତ୍ର ୧,୯୫୬ ଖଣ୍ଡ ଭୋଟ୍ରେ ପରାସ୍ତ ହୋଇଥିଲେ। ତିନି ଦଶନ୍ଧି ମଧ୍ୟରେ ଏହା ହେଉଛି ମମତା ବାନାର୍ଜୀଙ୍କର ପ୍ରଥମ ନିର୍ବାଚନୀୟ ପରାଜୟ। ଅଦାଲତରେ ଆବେଦନ କରିବେ ବୋଲି ମେ ୩ ତାରିଖ ଦିନ ନିର୍ବାଚନ ଫଳାଫଳ ଘୋଷିତ ହେବା ପରେ ମମତା ବାନାର୍ଜୀ କହିଥିଲେ।
The post ମମତା ବାନାର୍ଜୀ ବନାମ ଶୁଭେନ୍ଦୁ ଅଧିକାରୀ: ଆଗାମୀ ଗୁରୁବାର ଦିନ ଶୁଣାଣି ପାଇଁ ‘ନନ୍ଦିଗ୍ରାମ ନିର୍ବାଚନ ଆବେଦନ’କୁ ତାଲିକାଭୁକ୍ତ କଲେ କାଲ୍କାଟା ହାଇକୋର୍ଟ first appeared on Sambad.from ରାଜନୀତି | Sambad https://ift.tt/3xsxlru
0 Comments