
ଲକ୍ଷ୍ନୌ: ଆସନ୍ତା ବର୍ଷ ପ୍ରାରମ୍ଭରେ ହେବାକୁ ଥିବା ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ ରାଜ୍ୟ ନିର୍ବାଚନରେ ବହୁଜନ ସମାଜ ପାର୍ଟି ଏକାକୀ ପ୍ରତିଦ୍ବନ୍ଦ୍ବିତା କରିବ ବୋଲି ଆଜି ସକାଳେ ଦଳର ମୁଖ୍ୟ ମାୟାବତୀ ଟୁଇଟ୍ କରି ଜଣାଇଛନ୍ତି। ରାଜ୍ୟରେ ଆସାଉଦ୍ଦୀନ ଓୱାଇସିଙ୍କ ନେତୃତ୍ବାଧୀନ ‘ଏଆଇଏମ୍ଆଇଏମ୍’ ସହ ମେଣ୍ଟ ହେବାର ଯୋଜନା ଚାଲିଛି ବୋଲି ଗଣମାଧ୍ୟମରେ ଯେଉଁ ରିପୋର୍ଟ ପ୍ରକାଶ ପାଇଥିଲା ତାହାକୁ ମାୟାବତୀ ଖଣ୍ଡନ କରିଛନ୍ତି।
ଗୁରୁତ୍ବାରୋପ କରି ମାୟାବତୀ କହିଛନ୍ତି ଯେ, ତାଙ୍କ ଦଳ କେବଳ ଶିରୋମଣି ଅକାଳୀ ଦଳ ସହ ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଜାବ ନିର୍ବାଚନରେ ଭାଗ ନେବା ପାଇଁ ବୁଝାମଣା କରିଛି। ୧୧୭ ଆସନବିଶିଷ୍ଟ ବିଧାନସଭା ନିମନ୍ତେ ଦୁଇ ଦଳ ଭିତରେ ଆସନ ବାଣ୍ଟକୁଣ୍ଟ ମଧ୍ୟ ଚୂଡ଼ାନ୍ତ ହୋଇଛି। ‘ଏସ୍ଏଡି’ ୯୭ ଆସନ ଏବଂ ‘ବିଏସ୍ପି’ ୨୦ଟି ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବେ।
ସୂଚନାଯୋଗ୍ୟ, ଆଗାମୀ ଉତ୍ତର ପ୍ରଦେଶ ନିର୍ବାଚନରେ ‘ଏଆଇଏମ୍ଆଇଏମ୍’ ଏବଂ ‘ବିଏସ୍ପି’ ମିଳିତ ଭାବେ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଗତକାଲି ଠାରୁ ନିଉଜ୍ ଚାନେଲ୍ ସବୁ ଖବର ପ୍ରସାରଣ କରିଥିଲେ। କିନ୍ତୁ, ଏ ଖବର ସମ୍ପୂର୍ଣ୍ଣ ମିଥ୍ୟା, ବିଭ୍ରାନ୍ତିକର ଏବଂ ଭିତ୍ତିହୀନ ବୋଲି ସେ କହିଛନ୍ତି। ଏଥିରେ ତିଳେ ମାତ୍ର ସତ୍ୟତା ନାହିଁ ଏବଂ ‘ବିଏସ୍ପି’ ଏହାକୁ ଦୃଢ଼ଭାବେ ଖଣ୍ଡନ କରୁଛି ବୋଲି ସେ ପୁନର୍ବାର କହିଛନ୍ତି।
The post ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଏକାକୀ ପ୍ରତିଦ୍ବନ୍ଦ୍ବିତା କରିବ ‘ବିଏସ୍ପି’: ମାୟାବତୀ first appeared on Sambad.from ରାଜନୀତି | Sambad https://ift.tt/2UaoSuU
0 Comments