ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଶିଷ୍ଟ ଦଳିତ ନେତା ରାମ ବିଳାସ ପାସୱାନ୍ଙ୍କଦ୍ବାରା ସଂସ୍ଥାପିତ ବିହାରର ‘ଲୋକ ଜନଶକ୍ତି ପାଟି’ (ଏଲ୍ଜେପି) ରାଜନୈତିକ ସଙ୍କଟ ଦେଖାଦେଇଛି। ପ୍ରାପ୍ତ ସୂଚନା ଅନୁସାରେ, ରାମ ବିଳାସ ପାସୱାନ୍ଙ୍କ ପୁତ୍ର ତଥା ‘ଏଲ୍ଜେପି’ର ଲୋକସଭା ସଂସଦୀୟ ଦଳର ନେତା ଚିରାଗ ପାସୱାନ୍ ନିଜ ଦଳର ସାଂସଦମାନଙ୍କଦ୍ବାରା କ୍ଷମତାଚ୍ୟୁତ ହୋଇପାରନ୍ତି।
ସମ୍ପ୍ରତି ବିହାର ହାଜିପୁର ଲୋକସଭା ଆସନର ପ୍ରତିନିଧିତ୍ବ କରୁଥିବା ପଶୁପତି କୁମାର ପାରସ୍ଙ୍କୁ ‘ଏଲ୍ଜେପି’ର ପ୍ରାୟ ୫ଜଣ ସାଂସଦ ଔପଚାରିକ ଭାବେ ସଂସଦୀୟ ଦଳର ନୂତନ ନେତା ଭାବେ ଚୟନ କରିଛନ୍ତି।
ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ପ୍ରକାଶ କରି ପଶୁପତି କହିଛନ୍ତି, ଦଳରେ ବିଦ୍ରୋହ ହୋଇନାହିଁ। ଏକଥା ସମ୍ପୂଣ୍ଣ ମିଥ୍ୟା। ‘ଏଲ୍ଜେପି’ ଆମ ଦଳ, ବିହାରରେ ଏବେ ମଧ୍ୟ ସଙ୍ଗଠନ ସୁଦୃଢ଼ ଅଛି। ଆମ ଦଳରେ ୬ଜଣ ସାଂସଦ ଅଛନ୍ତି। ଦଳକୁ ବଞ୍ଚାଇବା ପାଇଁ ୫ଜଣ ସାଂସଦ ଇଚ୍ଛା ପ୍ରକାଶ କରୁଛନ୍ତି। ତେଣୁ, ମୁଁ ଦଳ ଭାଙ୍ଗିନାହିଁ। ପ୍ରକୃତରେ ମୁଁ ଦଳକୁ ବଞ୍ଚାଇଛି। ଚିରାଗ ପାସୱାନ୍ ମୋ ପୁତୁରା ଏବଂ ଦଳର ଜାତୀୟ ଅଧ୍ୟକ୍ଷ। ତା’ ବିରୋଧରେ ମୋର କୌଣସି ଆପତ୍ତି ନାହିଁ। ବାଧ୍ୟବାଧ୍ୟକତାରେ ଏ ଭଳି ନିଷ୍ପତ୍ତି ନିଆଯାଇଛି।
ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ‘ଏନ୍ଡିଏ’ ସହିତ ଥିଲି ଏବଂ ସେ ମେଣ୍ଟର ଅଂଶୀଦାର ହୋଇ ରହିବି। ‘ଏଲ୍ଜେପି’ର ୫ଜଣ ସାଂସଦ ବାଚସ୍ପତିଙ୍କ ନିକଟରେ ପତ୍ର ଦାଖଲ କରିଥିବା କଥା ସେ ସୁନିଶ୍ଚିତ କରି କହିବା ସହ କହିଛନ୍ତି ଯେ, ସେ ଆଦେଶ ଦେଲେ ଆମେ ଯାଇ ତାଙ୍କୁ ଭେଟିବୁ।
ସୂଚନାଯୋଗ୍ୟ, ଦଳର ଉପରୋକ୍ତ ୫ଜଣ ସାଂସଦ ବିଦ୍ରୋହ କରିବା ହେତୁ ଆଜି ଚିରାଗ ପାସୱାନ ସାଂସଦ ତଥା ତାଙ୍କ ଦାଦି ପଶୁପତି କୁମାର ପାରସ୍ଙ୍କୁ ଭେଟିବାକୁ ଦିଲ୍ଲୀ ଯାଇଛନ୍ତି। ପ୍ରିନ୍ସ୍ ରାଜ୍, ଚନ୍ଦନ ସିଂହ, ବୀଣା ଦେବୀ ଏବଂ ମେହବୁବ୍ ଅଲି କାଇଜର୍ ପ୍ରଭୃତି ସାଂସଦ ଚିରାଗଙ୍କ କାର୍ଯ୍ୟଧାରାରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପଶୁପତି କୁମାର ପାରସଙ୍କୁ ଲୋକସଭାର ‘ଏଲ୍ଜେପି’ ନେତା ଭାବେ ନିର୍ବାଚିତ କରିବା ଲାଗି ସେମାନେ ବାଚସ୍ପତି ଓମ୍ ବିର୍ଲାଙ୍କୁ ଲିଖତ ନିଷ୍ପତ୍ତି ଜଣାଇ ଦେଇଥିଲେ।
ଘଟଣାର ସାମ୍ପ୍ରତିକ ଅଗ୍ରଗତି ସଂକ୍ରାନ୍ତରେ ଚିରାଗ ପାସୱାନ କୌଣସି ମନ୍ତବ୍ୟ ଦେଇନାହାନ୍ତି।
The post ‘ଏଲ୍ଜେପି’ରେ ବିଦ୍ରୋହ: ଦଳର ଅଧ୍ୟକ୍ଷ ପଦରୁ ବିଦା ହୋଇପାରନ୍ତି ଚିରାଗ ପାସୱାନ୍, ପଶୁପତି କୁମାର ପାରସ ନୂଆ ନେତା ମନୋନୀତ first appeared on Sambad.from ରାଜନୀତି | Sambad https://ift.tt/3woBg8z
0 Comments